Latest Odisha News

ଗଣମାଧ୍ୟମରେ ‘ବେଟିଂ ବିଜ୍ଞାପନ’ ନେଇ ସାବଧାନ କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ନୂଆଦିଲ୍ଲୀ : ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ପ୍ରକାଶ ନ କରିବାକୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଗୁରୁବାର ସତର୍କ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ନିକଟରେ କିଛି ପ୍ରମୂଖ ଇଂରାଜୀ ଓ ହିନ୍ଦୀ ଖବରକାଗଜରେ ବେଟିଂ ୱେବସାଇଟର ବିଜ୍ଞାପନ ଏବଂ ପ୍ରଚାର ବିଷୟବସ୍ତୁ ନଜରକୁ ଆସିବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଆଡଭାଇଜରି ଜାରି କରି ଗଣମାଧ୍ୟମ ସଂସ୍ଥା, ମିଡିଆ ପ୍ଲାଟଫର୍ମ ଏବଂ ଅନଲାଇନ୍‌ ବିଜ୍ଞାପନ ମଧ୍ୟସ୍ଥିମାନଙ୍କୁ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ କିମ୍ବା ପ୍ରଚାର ବିଷୟବସ୍ତୁ ପ୍ରସାରଣରୁ ନିଜକୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।

ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତି ଅନୁସାରେ ଖବରକାଗଜ, ଟେଲିଭିଜନ ଚ୍ୟାନେଲ ଏବଂ ଅନଲାଇନ୍‌ ସମ୍ବାଦ ପ୍ରକାଶକଙ୍କ ସମେତ ଗଣମାଧ୍ୟମର ସମସ୍ତ ଫର୍ମାଟ ଉପରେ ଏହି ଆଡଭାଇଜରି ଜାରି କରାଯାଇଛି । ଏଥିସହ ନିକଟରେ ଗଣମାଧ୍ୟମରେ ପ୍ରକାଶିତ ବେଟିଂ ବିଜ୍ଞାପନର ଉଦାହରଣ ମଧ୍ୟ ଦିଆଯାଇଛି।

ସୂଚନାଯୋଗ୍ୟ, ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୨୦୧୯ ଆଧାରରେ ଭ୍ରମାତ୍ମକ ବିଜ୍ଞାପନ ଏବଂ ସମର୍ଥନକୁ ରୋକିବା ପାଇଁ ନିର୍ଦ୍ଦେଶାବଳୀର ପାରାଗ୍ରାଫ ୯ ଅନୁଯାୟୀ ବେଟିଂ ଏବଂ ଜୁଆ ବେଆଇନ ଅଟେ । ତେଣୁ ବେଟିଂ ଏବଂ ଜୁଆକୁ ଭାରତର ଅଧିକାଂଶ ଅଞ୍ଚଳରେ ବେଆଇନ କାର୍ଯ୍ୟାକଳାପ ଭାବରେ ଘୋଷଣା କରାଯାଇଛି ।

ଭାରତରେ ବେଟିଂ କାରଣରୁ ବିଶେଷ କରି ଯୁବଗୋଷ୍ଠୀ ପ୍ରଥଭ୍ରଷ୍ଟ ହେବା ସହ ଜୀବନ ହାରୁଛନ୍ତି । ଏମିତି ଅନେକ ଘଟଣା ଆଗକୁ ଆସିଛି ଯେଉଁଠି ଜଣାଯାଇଛି ଯେ ବେଟିଂରେ ଅର୍ଥ ଲଗାଇ ହାରିଯିବାରୁ ଯୁବକ ଆତ୍ମହତ୍ୟା କରୁଛନ୍ତି । ଧନ ଓ ଜୀବନ ସୁରକ୍ଷିତ କରିବା ପାଇଁ କେନ୍ଦ୍ର ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ମଧ୍ୟ ସମାନ ପ୍ରସଙ୍ଗ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମ ଉଦେଶ୍ୟରେ ଏକାଧିକବାର ଗାଇଡଲାଇନ୍ ଜାରି କରାଯାଇଛି ।

Leave A Reply

Your email address will not be published.