Latest Odisha News

ଭୁବନେଶ୍ୱରରେ ବିଲ୍ ଗେଟସ୍‌; ମା’ ମଙ୍ଗଳା ବସ୍ତି ବୁଲିଲେ, ସ୍ଥାନୀୟଲୋକଙ୍କ ହାଲଚାଲ ପଚାରି ବୁଝିଲେ

ଭୁବନେଶ୍ବର: ଭୁବନେଶ୍ବରରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ । ଗତକାଲି ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । କୃଷି ଓଡିଶା ପରିଦର୍ଶନ କରିବା ସହ ଏକାଧିକ କାର୍ଯ୍ୟକ୍ରମ ରହିଥିବାବେଳେ, ଆଜି ସକାଳୁ ରାଜଧାନୀର ମୈତ୍ରୀ ବିହାର ଅଞ୍ଚଳର ମା’ ମଙ୍ଗଳା ବସ୍ତି ପରିଦର୍ଶନ କରିଛନ୍ତି ବିଲ୍‌ ଗେଟସ୍ ।

ମା’ ମଙ୍ଗଳା ବସ୍ତିରେ ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କୁ ଭେଟି ଆଲୋଚନା କରୁଛନ୍ତି ମାଇକ୍ରୋସପ୍ଟର ସହ ପ୍ରତିଷ୍ଠାତା । ଲୋକମାନଙ୍କ ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝୁଛନ୍ତି । ଏହି ସମୟରେ ବିଲ୍ ଗେଟସ୍ ଙ୍କ ଅଫିସିଆଲ୍ ଓ ଓଡ଼ିଶାର କିଛି ଆଇଏଏସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଏହାପରେ ବିଲ୍ ଗେଟସ୍ କୃଷି ଓଡିଶା ପରିଦର୍ଶନ କରିବା ସହ ଗେଟସ୍ ଫାଉଣ୍ଡେସନ କାର୍ଯ୍ୟର ସମୀକ୍ଷା କରିବା ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତ ସମୟରେ ସେ କୃଷକ ମାନଙ୍କର କୃଷି ଶୈଳୀ ବିଷୟରେ ଆଲୋଚନା କରିବେ । ବିଶେଷ କରି ଓଡିଶା କୃଷି ବିଭାଗ ଦ୍ଵାରା କୃଷି କ୍ଷେତ୍ରରେ AI କିଭଳି ବ୍ୟବହାର କରାଯାଉଛି, ତାର ସମୀକ୍ଷା କରିବେ ବିଲ୍‌ ଗେଟସ୍ । ଏହା ସହ ଚାଷୀମାନଙ୍କୁ ନିୟମିତ ଫସଲ ଓ ଚାଷ ସଂକ୍ରାନ୍ତରେ ପାଣିପାଗ ସୂଚନା ଦିଆଯାଉଥିବା ନେଇ ମଧ୍ୟ ବିଲ୍ ଗେଟସକୁ ଅବଗତ କରାଯିବ । କୃଷି ବିଭାଗ ପକ୍ଷରୁ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ତାଙ୍କ ଆଗରେ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି ।

ରାଜ୍ୟର କିଛି ମହିଳା ଚାଷୀ ଓ ଉଦ୍ୟୋଗୀଙ୍କୁ ବିଲ୍ ଗେଟସ୍ ଏହି ସମୟରେ ଭେଟି ସେମାନଙ୍କର ମତାମତ ନେବେ ବୋଲି ସୂଚନା ମିଳିଛି । ମିଶନ ଶକ୍ତି ମାଆ ମାନଙ୍କ ସହ ଭେଟି ସେମାନଙ୍କ ସଶକ୍ତିକରଣ, ଏବଂ ମହିଳା ମାନେ ମିଶନ ଶକ୍ତି ଦ୍ବାରା କିଭଳି ସ୍ବାବଲମ୍ବୀ ହୋଇପାରୁଛନ୍ତି, ସେ ବିଷୟରେ ବୁଲି ଦେଖିବେ ।

ସୂଚନାଯୋଗ୍ୟ, ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ବାକ୍ଷର କରିଥିଲେ ଓଡ଼ିଶା ସରକାର । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଗେଟ୍ସ ଫାଉଣ୍ଡେସନ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି, ଏହି ଗସ୍ତ ସମୟରେ ତାହାର ସେ ସମୀକ୍ଷା କରିବେ ।

Comments are closed.