ଛାୟାଲିପି : ଭାଗ ସତର
ମିହିର ଦାସ ଚାଲିଗଲେ ଆଜି ! ଆଜି ଘୋର ଦୁର୍ଦ୍ଦିନରେ, ତାଙ୍କୁ ସ୍ମରଣ କରି କେତେକେତେ ଶ୍ରଦ୍ଧାଞ୍ଜଳି ଓ ଶୋକାଞ୍ଜଳି ଅର୍ପଣ ହୋଇଛି, କେତେ କେତେ ଧାର ଲୁହରେ ଓଦା ହୋଇଛି ଛାତି ଆଉ ମନ, କେତେ କେତେ ଦୀର୍ଘଶ୍ୱାସରେ ଉନ୍ମନା ହୋଇଛି କେତେ ହୃଦୟ ତା’ର ଇୟତ୍ତା ନାହିଁ । ଓଡ଼ିଆ ରୁପେଲି ପର୍ଦ୍ଦାରେ ଛନ୍ଦି ହୋଇଥିବା ଆଶା, ସ୍ୱପ୍ନ, ବାସ୍ତବ ଅଭିନୟର ଅନ୍ୟନାମ ମିହିର ଦାସ ଓ ଦ୍ୱନ୍ଦ୍ୱ, ସ୍ୱପ୍ନହୀନତା, ବିରହର ଅନ୍ୟନାମ ବି ମିହିର ଦାସ! ଏମିତି କୌଣସି ଚରିତ୍ର ନାହିଁ, ଯେଉଁଥିରେ ସେ ଆସିନାହାନ୍ତି । ପାର୍ଶ୍ୱ ହେଉ କି ନାୟକ, ବୟସ୍କ ଚରିତ୍ର ହେଉ କି ଖଳନାୟକ, ହାସ୍ୟ ହେଉ କି ବିଷାଦ, ସବୁ ଭୂମିକାରେ ଆସିଛନ୍ତି ମିହିର!
ସେ ଆପଣଙ୍କର ମିହିର ଦାସ । ରୁପେଲି ପର୍ଦ୍ଦାରେ ଚିକ୍ମିକ୍ ଅଭିନୟରେ କୋଟିଏଙ୍କ ମନ ଜିଣୁଥିବା ମିହିର ଦାସ । କିନ୍ତୁ ଏମିତି ଦିନ ବି ଥିଲା, ଯେବେ ମିହିର ନିଜ ନାମ ପଛରେ ଆଉ କିଛି ଯୋଡୁଥିଲେ । ଏମିତି ଦିନ ବି ଥିଲା, ଯେବେ ମିହିର ଚଳଚ୍ଚିତ୍ର ଅପେକ୍ଷା ଚଳଚ୍ଚିତ୍ର୍ର ସାମ୍ବାଦିକତା ପ୍ରତି ଅଧିକ ଆଗ୍ରହୀ ଥିଲେ । ଆଗ୍ରହୀ ଥିଲେ ବୋଲି ଏକ ଚଳଚ୍ଚିତ୍ର ପତ୍ରିକାର ସମ୍ପାଦନା କରୁଥିଲେ । ବର୍ଷେ କି ଦୁଇବର୍ଷ ନୁହେଁ, ଆଠବର୍ଷ ଚାଲିଥିଲା ସେ ପତ୍ରିକା । କେବେ ନିୟମିତ ମାସିକ, ତ କେବେ ଅନିୟମିତ ମାସିକ । ପତ୍ରିକା ଥିଲା ‘ଚିତ୍ର ଲହରୀ’, ସମ୍ପାଦକ ଥିଲେ ମିହିର ଦାସ ‘କିନ୍ତୁ’ । ନିଜ ନାମ ପଛରେ ‘କିନ୍ତୁ’ ଯୋଡ଼ିଥିଲେ ସେ । ହୁଏତ ଖିଆଲରେ, ହୁଏତ କିନ୍ତୁ ରେ! କାହିଁକି ଯୋଡ଼ିଥିଲେ ଏହି ପ୍ରଶ୍ନର ଉତ୍ତର ସେ ଥିଳାବେଳେ ବି ମିଳି ନଥିଲା, ଆଉ ଆଜି ମିଳିବାର ହିଁ ନାହିଁ ।
‘ଚିତ୍ର ଲହରୀ ’ ଆରମ୍ଭ ହୋଇଥିଲା ୧୯୮୦ ମସିହା, ସେପ୍ଟେମ୍ବର ମାସରେ, କଟକରୁ । ମୁଖ୍ୟ ସମ୍ପାଦକ ଥିଲେ ରଜନୀକାନ୍ତ ସ୍ୱାଇଁ, ସମ୍ପାଦକ ଥିଲେ ମିହିର ଦାସ ‘କିନ୍ତୁ’ । ମିହିର ଦାସଙ୍କ ନାମରେ ଏହି କିନ୍ତୁ ଯୋଡିହେବାର କାରଣ କ’ଣ ଯଦିଓ ଜାଣିହେଉ ନାହିଁ କିନ୍ତୁ କିନ୍ତୁ କେବେ ବନ୍ଧନୀ ଭିତରେ ନାମ ଆଗରେ ଯୋଡ଼ାଯାଉଥିଲା ତ କେବେ ନାମ ପଛରେ! ‘ଝାଞ୍ଜିରିମଙ୍ଗଳା’ର ଅଳକା ପ୍ରେସ୍ରେ ଛପା ଯାଉଥିଲା ଓ କାର୍ଯ୍ୟାଳୟ ଥିଲା ବାଦାମବାଡ଼ିରେ । ଜନ୍ମସଂଖ୍ୟାରେ ମିହିର ଦାସଙ୍କ ସମ୍ପାଦକୀୟ ଥିଲା ‘ନ ଲେଖିଲେ ବି ଚଳିଥାନ୍ତା’ । ପ୍ରତିସଂଖ୍ୟାରେ ଜଣେ ନାୟକ ବା ନାୟିକାଙ୍କ ବିଶେଷ ଭଙ୍ଗୀର ଏକ ଚିତ୍ର ପତ୍ରିକାରେ ସନ୍ନିହିତ ହେଉଥିଲା ଓ ଲେଖା ହେଉଥିଲା : ଫଟୋ ଦେଖି ଆପଣ କ’ଣ ଭାବୁଛନ୍ତି, ଯାହା ଭାବୁଛନ୍ତି ଦୁଇରୁ ଚାରିଟି ବାକ୍ୟ ଭିତରେ ଲେଖନ୍ତୁ, ଶ୍ରେଷ୍ଠ ଭାବନା ପାଇଁ ତିନିଟି ସଂଖ୍ୟା ମାଗଣା । କହିବା ବାହୁଲ୍ୟ, ଏ ପ୍ରକାର ପ୍ରସାରଣ ଚମକ ଓଡ଼ିଆ ପତ୍ରିକା ଜଗତରେ ଚହଳ ପକାଇଥିଲା । ଅଦ୍ଭୁତ ଅଦ୍ଭୁତ ଯୋଜନା ଓ କଳ୍ପନା ‘ଚିତ୍ର ଲହରୀରେ ରହୁଥିଲା’ । ଯେମିତିକି ଛବିଟିଏ ଅଛି ଓ ତଳେ ଲେଖା ହୋଇଛି କେଉଁ କଳାକାରଦ୍ୱୟଙ୍କ ମୁଣ୍ଡ କଟା ହୋଇ ଅମଜଦ୍ ଖାନ୍ ଓ ରାଖୀଙ୍କ ମୁଣ୍ଡ ଲଗା ହୋଇଛି, ଆପଣ ଲେଖି ପଠାନ୍ତୁ । ସଠିକ୍ ପୁରସ୍କାର ଦାତା ପାଇବେ ଦୁଇଶହ ଟଙ୍କା!
‘ଚିତ୍ର ଲହରୀ’ରେ ସାକ୍ଷାତକାରର ଢ଼ଙ୍ଗ ବି ଥିଲା ଏକ୍ଦମ୍ ଅଲଗା । ସେହି ସ୍ତମ୍ଭର ନାମ ଥିଲା ‘ଆମ ଭଉଁରୀରେ’ । ଚିରାଚରିତ ପ୍ରଶ୍ନ ନଥିଲା, ଏଣୁ ତେଣୁ ପ୍ରଶ୍ନକୁ ଏଣୁ ତେଣୁ ଉତ୍ତର । ‘ମୁଁ’ ବୋଲି ଗୋଟିଏ ସ୍ତମ୍ଭ ଥିଲା ଯେ ସେଥିରେ ଚଳଚ୍ଚିତ୍ର ସହ ସମ୍ପୃକ୍ତ ବ୍ୟକ୍ତି ନିଜ ଇଚ୍ଛାରେ ଯାହା ପାରିଲେ ତାହା ଲେଖୁଥିଲେ । ‘ଆପଣ’ ବୋଲି ଗୋଟିଏ ସ୍ତମ୍ଭ ଥିଲା ଯେ ପର୍ଦ୍ଦାପଛର ନାୟକମାନେ ସେଥିରେ ନିଜକଥା ଲେଖୁଥିଲେ । ସବୁଠାରୁ ଅଦ୍ଭୁତ ଥିଲା ଫଟୋ କ୍ୟାପସନ୍ ! ଆପଣ ଭାବଲେ, ଉତ୍ତମ ଓ ଅପରାଜିତାଙ୍କ ବାହାଘର ପରେ ସେମାନଙ୍କ ବାହାଘର ଫଟୋ ‘ଚିତ୍ର ଲହରୀ ’ର ପ୍ରଚ୍ଛଦରେ ସ୍ଥାନିତ ହୋଇଥିଲା, କ୍ୟାପସନ୍ ଥିଲା: ବାହା ବାହା ବାହା କେମିତି ମଜା, ଟିକି ରାଣୀକୁ କୁନିଆ ରଜା! ଆଉ ଏକ କ୍ୟାପସନ୍ ଦେଖନ୍ତୁ: ଜୋର୍ ଯାର୍ ମୁଲକ୍ ତାର୍, ‘ତମ’ ମୋ ଭିତରେ କିଛି ନାହିଁ ‘ବାର’ । ମୋର ମନେହୁଏ ମହିର ଦାସଙ୍କ ହ୍ୟାମର୍ ସେନ୍ସ ଅଦ୍ଭୁତ, ସେବେ ପତ୍ରିକା ସମ୍ପାଦନା କଲାବେଳେ ବି ଥିଲା ଓ ଶେଷ ପର୍ଯ୍ୟନ୍ତ ବି ଥିଲା । ନାୟିକାଙ୍କୁ ଇଙ୍ଗିତ କରି ଯେମିତି ସେ ଲେଖୁଥିଲେ ତାହା ବି ଅଦ୍ଭୁତ: ଫୁଲେଇ ନା ଲାଜକୁଳୀ ? ବରଷା ନା ବୈଶାଳୀ ।
ନିୟମିତ, ଅନିୟମିତ ହୋଇ ଉଠାପକା ଭିତରେ ପ୍ରକାଶିତ ହେଉଥିଲା ‘ଚିତ୍ର ଲହରୀ’ । ୧୯୮୮ ପର୍ଯ୍ୟନ୍ତ । ତା’ପରେ ବନ୍ଦ ହୋଇଗଲା । ଲକ୍ଷ୍ୟ କରିବାର କଥା ଏହି ସମୟକାଳ ଭିତରେ ମିହିର ଓଡ଼ିଆ ଚଳଚ୍ଚିତ୍ର ଅଭିନୟରେ ମଧ୍ୟ ସକ୍ରିୟ ଥିଲେ । ଆଉ ଏକ ମହତ୍ୱପୂର୍ଣ୍ଣ କଥା ହେଉଛି ‘ଚିତ୍ର ଲହରୀ’ରେ ଓଡ଼ିଆ ଚଳଚ୍ଚିତ୍ରର ତଥ୍ୟ ସଂରକ୍ଷଣ । ସେଥିରେ ଚଳଚ୍ଚିତ୍ରର ବୈଷୟିକ ବିଭାଗ ପ୍ରତି ଦୃଷ୍ଟି ଦିଆଯାଉଥିଲା ବୋଲି ସହ ନିର୍ଦ୍ଦେଶକ, କ୍ୟାମେରାମ୍ୟାନ୍, ଏଡିଟର ନିଜ ମନକଥା ଲେଖୁଥିଲେ । ଓଡ଼ିଆ ନାୟକ ନାୟିକା, ଚିତ୍ର ତାରକାଙ୍କ ବ୍ୟକ୍ତିଗତ ତଥ୍ୟ ବି ରହୁଥିଲା, ଜନ୍ମଦିନ ତାରିଖ ସହିତ । ଏହି ସଂଯୋଜନାର ପ୍ରଚ୍ଛଦରେ ନିଜେ ମିହିର ହିଁ ଥିଲେ ।
ଆଉ ଆଜି ମିହିର ଗଲାପରେ ତାଙ୍କ ବ୍ୟକ୍ତିଗତ ତଥ୍ୟକୁ ବିଭ୍ରାନ୍ତିକର ଭାବେ ବିଭିନ୍ନ ଗଣମାଧ୍ୟମରେ ଦର୍ଶାଯାଇଛି । କେଉଁଥିରେ ଜନ୍ମବର୍ଷ ୧୯୬୬ ତ କେଉଁଥିରେ ୧୯୬୪, ଜନ୍ମସ୍ଥାନ ପୁଣି ମୟୂରଭଞ୍ଜ ତ ପୁଣି ବ୍ରହ୍ମପୁର! ଅଭିନୀତ ପ୍ରଥମ ସିନେମା ମଥୁରା ବିଜୟ ବୋଲି ବି ଗଣମାଧ୍ୟମରେ ପ୍ରସାରିତ ହେଲା! ମିହିର ‘ଚିତ୍ର ଲହରି’ ର ପ୍ରଥମ ବର୍ଷ, ପୁଜା ସଂଖ୍ୟାରେ ଲେଖିଥିଲେ: କିନ୍ତୁ ମୋ ସାହାଡ଼ା ସୁନ୍ଦରୀ ଯେ ହଜି ଯାଉଛି । ହଜି ଯାଉନି ଯେ ଲୁଚି ଯାଉଛି । ଢ଼ାଙ୍କି ହୋଇ ଯାଉନି ଯେ ଝାଉଁଳି ଯାଉଛି । ମୁଁ ତ ଆଉ ମୋ କଣାପୁଅକୁ ପଦ୍ମଲୋଚନ କହୁନି, ମୁଁ’ ତ ମୋ କେନ୍ଦେରାକୁ ଭାଓଲିନ୍ କହୁନି ଯେ ମୋ କଥାକୁ ଓଲଟ ପାଲଟ କରିବ । ଆମ ସିନେମା କେବେ ଜନ୍ମ ହେଲା ଠିକ୍ରେ କୁହ ! ମିହିର ଦାସ କିନ୍ତୁ !
ମିହିର ଦାସଙ୍କ ସମ୍ପାଦକୀୟ ଆରମ୍ଭ ହେଉଥିଲା କିନ୍ତୁରୁ, ଶେଷ ହେଉଥିଲା କିନ୍ତୁରେ !
ମିହିର ଦାସ ଗଲା ପରେ ଆମ ଗଣମାଧ୍ୟମମାନେ ତାଙ୍କ ବ୍ୟକ୍ତିଗତ ତଥ୍ୟକୁ ବି ‘କିନ୍ତୁ’ରେ ଛନ୍ଦିଦେଲେ ଆମର ଦୁର୍ଭାଗ୍ୟ!
Comments are closed.