ଭୁବନେଶ୍ୱର: କିଟ୍ ରେ ଭାରତର ପ୍ରଥମ ଅନ୍ତର୍ଜାତୀୟସ୍ତରର ମିନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍ ଉଦଘାଟିତ ହୋଇଯାଇଛି । କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା ବୁଧବାର ଏହାକୁ ଉଦ୍ଘାଟିତ କରିଛନ୍ତି । ଭାରତର ପ୍ରଥମ ମହିଳା ସାଇକ୍ଲିଷ୍ଟ, ସାଇକ୍ଲିଂରେ ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜେତା ସୁନାମଧନ୍ୟ ସାଇକ୍ଲିଷ୍ଟ ମିନତି ମହାପାତ୍ରଙ୍କ ନାମରେ ଏହି ଭେଲୋଡ୍ରୋମ ନାମିତ କରାଯାଇଛି ।
୨୫୦ ମିଟର ବିଶିଷ୍ଟ ଏହି କଂକ୍ରିଟ୍ ଭେଲୋଡ୍ରୋମ ଭାରତର ପ୍ରଥମ ଅନ୍ତର୍ଜାତୀୟ ଭେଲୋଡ୍ରୋମ୍ ବୋଲି କୁହାଯାଉଛି । ଭେଲୋଡ୍ରୋମ୍କୁ ଉଦ୍ଘାଟନ କରି କେନ୍ଦ୍ର ମନ୍ତ୍ରୀ ଡ. ମାଣ୍ଡବ୍ୟ କହିଛନ୍ତି, ମୁଁ କିଟ୍ ଓ କିସ୍ ପରିଦର୍ଶନ କରିବା ପରେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ସାକାର ହୋଇଥିବା ଦେଖିବାକୁ ପାଉଛି । ଚାଣକ୍ୟଙ୍କ ଉକ୍ତିର ଉଦାହରଣ ଦେଇ ସେ ଦେଶର ଭବିଷ୍ୟତ ଗଠନରେ ଶିକ୍ଷାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଛାତ୍ରଛାତ୍ରୀମାନେ ହେଉଛନ୍ତି ଏ ଦେଶର ଭବିଷ୍ୟତ । ଦେଶର ଏହି ଭବିଷ୍ୟତମାନଙ୍କୁ ଗଢ଼ିବାରେ ଅଚ୍ୟୁତ ସାମନ୍ତଙ୍କ ଭଳି ଜଣେ ଦକ୍ଷ ଓ ନିଷ୍ଠାପର ଶିକ୍ଷାବିତ୍ଙ୍କ କାର୍ଯ୍ୟଧାରାରେ ଆନନ୍ଦିତ ବୋଲି ସେ କହିଥିଲେ । ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଧ୍ୟାନ ଦେଉଛନ୍ତି । ସେମାନଙ୍କୁ ଦେଶର ଜଣେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଏଠାରେ ଗଢ଼ି ତୋଳାଯାଉଛି । ମୁଁ ଯେଉଁଠିକୁ ବି ଯିବି ସେଠାରେ କିସ୍ ରେ ଯେଉଁ ସବୁ କାର୍ଯ୍ୟଧାରା ଚାଲୁରହିଛି ଓ କିସ୍ର ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଜ୍ଞାନ ସମ୍ପର୍କରେ ନିଶ୍ଚିତ ଭାବେ କହିବି ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ କହିଛନ୍ତି ।
ସ୍ୱାଗତ ଭାଷଣ ଦେଇ ଅଚ୍ୟୁତ ସାମନ୍ତ କହିଲେ, କିଟ୍ ଓ କିସ୍ ସବୁବେଳେ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଇ ଆସିଛି । ଏଠାରେ ଗୋଟିଏ ସ୍ଥାନରେ ଥିବା କ୍ରୀଡ଼ା ଭିତ୍ତିଭୂମି ଦେଶର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳି ନଥାଏ । ଭବିଷ୍ୟତରେ କିଟ୍ ଓ କିସ୍ର କ୍ରୀଡ଼ା ଭିତ୍ତିଭୂମିକୁ ଦ୍ୱିଗୁଣିତ କରାଯିବ ବୋଲି ସେ କହିଥିଲେ ।
ସାଇକ୍ଲିଷ୍ଟ ମିନତି ମହାପାତ୍ର କହିଲେ, ମୋତେ ଏଭଳି ଭାବେ ସମ୍ମାନୀତ କରାଯାଇଥିବାରୁ ମୁଁ କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଉଛି । ଶ୍ରୀ ସାମନ୍ତ ସବୁବେଳେ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି ।