ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଆଉ ସାଧାରଣତଃ ଖରା ଦିନେ ସହର କେଉ କି ଗାଁ ବିଦ୍ୟୁତ୍ କାଟ୍ ହେବା ସାଧାରଣ କଥା । ଆଉ ଅତ୍ୟଧିକ ଖରାର ପ୍ରକୋପରେ ବିଦ୍ୟୁତ୍ କାଟ୍ କାରଣରୁ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥାନ୍ତି ଲୋକେ । ତେବେ ବିଦ୍ୟୁତ୍ କାଟ୍ କୁ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟ୍ କରାଯିବ ନାହିଁ ।
ମଙ୍ଗଳବାର ଲୋକସେବା ଭବନରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସମୟରେ ଅଘୋଷିତ ବିଦ୍ୟୁତ୍ କାଟ୍ ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଦିନ ୧୧ଟାରୁ ଅପରାହ୍ନ ୫ଟା ଏବଂ ରାତି ୯ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଶକ୍ତି ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।
ଏହା ସହ କାଳବୈଶାଖୀ ସମୟରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସାସଂଦ ଓ ବିଧାୟକମାନଙ୍କୁ ଏ ବିଷୟରେ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିସହିତ ଖରାଦିନେ ଗ୍ରାମାଞ୍ଚଳରେ ଅତ୍ୟଧିକ ଅଗ୍ନିକାଣ୍ଡ ହୋଇଥାଏ ତେଣୁ ଅଗ୍ନିଶମ ବିଭାଗ ସଜାଗ ରହିବାକୁ ସେ କହିଥିଲେ ।
ଏହା ସହ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି, ଜିଲ୍ଲାସ୍ତରରେ ହେଉଥିବା ଅଭିଯୋଗ ପ୍ରକୋଷ୍ଠର ଶୁଣାଣି ସମୟ ପରିବର୍ତ୍ତନ କରି ସକାଳ ୭ଟାରୁ ୧୦ଟା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Comments are closed.