ଭୁବନେଶ୍ବର: ଗତ ୩ ବର୍ଷରେ ପ୍ରାଣ ହରାଇଛନ୍ତି ୨୩୩ ଜଣ ଦାଦନ ଶ୍ରମିକ । ମଙ୍ଗଳବାର ବିଧାନସଭାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ତଥ୍ୟ ରଖିଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ତେଜିଛି ରାଜନୀତି । ପୂର୍ବ ସରକାର ଉପରେ ଏବକାର ସରକାର ଦୋଷ ଲଦିଥିବାବେଳେ ବିଜେଡି କହିଛି ନୂଆ ସରକାରର କୌଣସି ଯୋଜନା ନାହିଁ । ସେପଟେ କଂଗ୍ରେସ ଉଭୟ ପୂର୍ବ ଓ ନୂଆ ସରକାରକୁ ଟାର୍ଗେଟ କରିଛି ।
ତେବେ ତଥ୍ୟ ଅନୁସାରେ, ପ୍ରାଣ ହରାଇଥିବା ସର୍ବାଧିକ ଶ୍ରମିକ ଗଞ୍ଜାମ ଜିଲ୍ଲାର ଅଟନ୍ତି । ଜିଲ୍ଲାରେ ସର୍ବାଧିକ ୪୩ ଜଣ ପ୍ରାଣ ହରାଇଛନ୍ତି । ସେହିପରି ବଲାଙ୍ଗୀରରୁ ୨୬ ଜଣ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି । ତେବେ ମୋଟ ମୃତ୍ୟୁ ମଧ୍ୟରୁ ୧୯୯ ଟି ମୃତଦେହକୁ ଓଡିଶାକୁ ଅଣାଯାଇଛି ।
ଗତ ତିନି ବର୍ଷ ମଧ୍ୟରେ ମୃତ ଶ୍ରମିକଙ୍କ ମୃତଦେହକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କ ମୋଟ ୨୪ ଲକ୍ଷ ୧୬ ହଜାର ୬୦୪ ଟଙ୍କା ଖର୍ଚ୍ଚ କରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ।
ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆହୁରି କହିଛନ୍ତି, ଓଡ଼ିଶାରେ ଲାଗି ରହିଥବା ଦାଦନ ସମସ୍ୟାର ସମସ୍ୟାକୁ ଗୁରୁତର ସହ ନେଇଛନ୍ତି ମୋହନ ସରକାର । ନିକଟରେ ଦାଦନ ସମସ୍ୟାର ସମାଧାନ ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ଏହା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାଧ୍ୟମରେ କାର୍ଯ୍ୟ କରୁଥିବା ମନ୍ତ୍ରୀ କହିଛନ୍ତି ।