ଭୁବନେଶ୍ବର: ପିଏମ୍-ଉଷା ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ଗବେଷଣା ପାଇଁ ପିଏମ୍-ଉଷା ଯୋଜନାରେ ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ୬୭୦ କୋଟି ଟଙ୍କା ପ୍ରଦାନ କରାଯିବ । ରେଭେନ୍ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ୪ଶହ କୋଟି ଟଙ୍କା ମିଳିବ । ଶିକ୍ଷା ଓ ଗବେଷଣାର ବିକାଶ ପାଇଁ ପ୍ରତି ବିଶ୍ବବିଦ୍ୟାଳୟକୁ ଶହେ କୋଟି ଟଙ୍କା ପ୍ରଦାନ କରାଯିବ ।
ସେହିପରି ଭାବେ ଆକାଂକ୍ଷୀ ଜିଲ୍ଲା ମାନଙ୍କରେ ଥିବା ପ୍ରତ୍ୟେକ ବିଶ୍ବବିଦ୍ୟାଳୟ ୨୦ କୋଟି ଟଙ୍କା ପାଇବେ । ସେଗୁଡିକ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨୦କୋଟି ଟଙ୍କା, ବଲାଙ୍ଗିରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କା ଓ କୋରାପୁଟର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପାଇଁ ୨୦କୋଟି ଟଙ୍କା ପ୍ରଦାନ କରାଯିବ । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ସମ୍ୱଲପୁରର ବିକାଶ ନିମନ୍ତେ ୨୦ କୋଟି ଟଙ୍କା ପ୍ରଦାନ କରାଯିବ ।
ପିଏମ୍-ଉଷାର କାର୍ଯ୍ୟକାରିତା ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ନିଜ ନିଜ ଶିକ୍ଷାନୁଷ୍ଠାନର ବିକାଶ ନିମନ୍ତେ ଏକ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବେ । ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ୍, ଲାବ୍ରୋଟୋରି, କମ୍ପ୍ୟୁଟର ଲବ୍ରୋଟୋରି, ଏକାଡେମିକ୍ ବିଲ୍ଡିଂ, ଲାଇବ୍ରେରୀ, ଇ-ଲାଇବ୍ରେରୀ ଆଦିର ନିର୍ମାଣ କରାଯିବ ।
ସେହିପରି ବିଶ୍ବବିଦ୍ୟାଳୟ ମାନଙ୍କରେ ଉଚ୍ଚକୋଟୀର ଗବେଷଣା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Comments are closed.