Latest Odisha News

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରିବ ବିଜେପି: ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ତାରିଖକୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ଦେଶବ୍ୟାପୀ ପାଳନ କରାଯିବ । ଏନେଇ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୁଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଜନଜାତି ସମାଜ ସହ ଜଡିତ ବିଭିନ୍ନ ସମସ୍ୟା ତଥା ଅନ୍ୟାନ୍ୟ ବିଷୟରେ ରାଜ୍ୟର ୭୬୬୭ ରାଜସ୍ୱ ଗ୍ରାମରେ ଗ୍ରାମସଭା, ପ୍ରଶିକ୍ଷଣ କରାଯାଇ ଆଲୋଚନା କରାଯିବ । ଏହି ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ, ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ ମଧ୍ୟ କରାଯିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ପ୍ରଦେଶର ଜାମୁଇଠାରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ସେହିଦିନ ଦେଶସାରା ଯେଉଁ ୫୦୦ ଜିଲ୍ଲାରେ ଏହା ପାଳିତ ହେବ ଏବଂ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସେମାନେ ଯୋଡି ହେବେ ।

ଓଡିଶାରେ ୨୭ଟି ଜିଲ୍ଲାର ୨୮ଟି ସ୍ଥାନରେ ଏକକାଳୀନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆନନ୍ଦ ଉଲ୍ଲାସରେ ସହ ପାଳନ କରାଯିବ । ରାଜ୍ୟର ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ମାଲକାନଗିରି, ରାୟାଗଡା, ମୟୁରଭଞ୍ଜ, କେନ୍ଦୁଝର ଓ ଗଜପତିରେ ଆଭାସୀ ମାଧ୍ୟମରେ ଭାଇଭଉଣୀମାନେ ୨-ଓ୍ବୋ କମ୍ୟୁନିକେସନରେ ଯୋଡି ହେବେ ।

ଭୁବନେଶ୍ୱରର ଜନତା ମାଇଦାନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ଆଗାମୀ ପୀଢିକୁ ଉତ୍ସାହିତ କରିବା ନିମନ୍ତେ ଜନଜାତି ଗୌରବ ଦିବସ ପାଳନ କରାଯିବ ବୋଲି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

Comments are closed.