Latest Odisha News

BREAKING NEWS

ଗୋଆରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ; ନାବାଳକ ଗିରଫ

ପାନାଜୀ: ଓଡ଼ିଶାର ଜଣେ ୨୮ ବର୍ଷିୟା ଯୁବତୀଙ୍କୁ ଗୋଆରେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ୧୬ ବର୍ଷ ବୟସ୍କ ଜଣେ ନାବାଳକକୁ ଗୋଆ ପୋଲିସ ଗିରଫ କରିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସେଠାକାର ସ୍ଥାନୀୟ ଅଦାଲତ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ୍ ହୋମକୁ ପଠାଇଦେଇଛି । ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ସ୍ଥାନୀୟ କୋର୍ଟ ଅଭିଯୁକ୍ତ ନାବାଳକକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସ୍ଥାନୀୟ ଡିସିପି ଏଡ଼ୱିନ୍ କୋଲାକୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

“ପୋଷ୍ଟମର୍ଟମରୁ ଜଣାପଡ଼ିଛି ଯେ, ନାବାଳକ ସହିତ ଅନ୍ୟ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ହତ୍ୟାକାଣ୍ଡ ପୂର୍ବରୁ ଯୁବତୀ ସହିତ ଦୁଷ୍କର୍ମରେ ସମ୍ପୃକ୍ତ ରହିଛି । ଏହି ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ସଂଶ୍ଳିଷ୍ଟ ରହିଥିବାର ସ୍ୱୀକାର ମଧ୍ୟ କରିଛି ଗିରଫ ହୋଇଥିବା ନାବାଳକ ଅଭିଯୁକ୍ତ ଜଣକ,” ବୋଲି ଡିସିପି କହିଛନ୍ତି ।

ଅନ୍ୟ ଅଭିଯୁକ୍ତର ସ୍କେଚ୍ ଫଟୋଗ୍ରାଫକୁ ବିଭିନ୍ନ ରେଳ ଷ୍ଟେସନକୁ ପଠାଇ ଦିଆଯାଇଥିବାର ପୋଲିସ ସୂତ୍ରରୁ ପ୍ରକାଶ ।

ମୃତା ମହିଳା ଜଣକଙ୍କ ଗଳିତ ଶବକୁ ଉତ୍ତର ଗୋଆର ପୋରର୍ଭରିମ ଅନ୍ତର୍ଗତ କାଡ଼ମ୍ବା ଡ଼ିପୋଟ୍ ନିକଟରୁ ଗତ ୧୦ ତାରିଖ ଦିନ ଉଦ୍ଧାର କରିଥିଲା ପୋଲିସ ।

Leave A Reply

Your email address will not be published.