Latest Odisha News

BREAKING NEWS

କନ୍ଧମାଳ: ଛାତ୍ରୀନିବାସରେ ନାବାଳିକାଙ୍କ ସନ୍ତାନ ପ୍ରସବ, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ଛାତ୍ରୀନିବାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣା ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତେଜିତ ସ୍ଥାନୀୟ ଲୋକେ ଏନ୍ଏଚ୍-୫୯ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତ, ପ୍ରଧାନଶିକ୍ଷୟତ୍ରୀ ଓ ହଷ୍ଟେଲ ୱାର୍ଡେନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ସମ୍ପୃକ୍ତ ୮ମ ଶ୍ରେଣୀ ଛାତ୍ରୀ ଜଣଙ୍କ ହଷ୍ଟେଲ ମଧ୍ୟରେ ଏକ ନବଜାତକକୁ ଜନ୍ମ ଦେଇଥିଲେ । ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକମାନେ ଉକ୍ତ ବିଦ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ସ୍କୁଲର ଶିକ୍ଷକ ତଥା ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିଥିଲେ । ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ କୌଣସି ଉତ୍ତର ନଦେବାରୁ ସ୍ଥାନୀୟ ବାସିନ୍ଦା ଏନେଇ ଦାରିଙ୍ଗବାଡି ପୋଲିସକୁ ସୂଚନା ଦେଇଥିଲେ ।

ଅନ୍ୟପକ୍ଷରେ ଖବର ପାଇ ଦାରିଙ୍ଗବାଡି ଥାନାର ଆଇଆଇସି ଆଲେସ ଗରଡିଆଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଆଇଆଇସି କହିଛନ୍ତି “ଏହି ଘଟଣା ସଂପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଉଛି”।

ଏହି ଖବର ପ୍ରଚାରିତ ହେବା ପରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ମଧ୍ୟ କୁହାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି ।

ଆହୁରି ମଧ୍ୟ ଉଭୟ ନାବାଳିକା ଓ ନବଜାତକ ଶିଶୁ କନ୍ୟା ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଥିବାବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.