ପୁରୀ:ଶ୍ରୀସେତୁ ନିକଟ ଜଳଭଣ୍ଡାରରୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର । ନାବାଳକକୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁ ।
ଖବରମୁତାବକ, ମଙ୍ଗଳବାର ଜଳଖିଆ ଆଣିବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ ସୂର୍ଯ୍ୟ। ପରିବାର ଲୋକେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଶ୍ରୀସେତୁ ନିକଟ ଜଳଭଣ୍ଡାର ଠାରେ ସୂର୍ଯ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂର୍ଯ୍ୟ ଯୁକ୍ତଦୁଇର ଛାତ୍ର ଥିଲେ ।
କିଏ ଏବଂ କାହିଁକି ନାବାଳକକୁ ଏଭଳି ନିର୍ମମଭାବେ ହତ୍ୟା କରିଛି ସେନେଇ ଖୋଳତାଡ କରୁଛି ପୋଲିସ। ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୋଲିସ।
ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।
ଅନ୍ୟପଟେ ଗତକାଲି ମେରାଇନ ଥାନା ଅଞ୍ଚଳ ବ୍ରାହ୍ମଣ ପୋଖରୀ ନିକଟ ଜଣେ ଟାଇଲ ମିସ୍ତ୍ରୀକୁ ହତ୍ୟା କରାଯାଇଥିଲା । ହାତୁଡ଼ି ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଅନ୍ୟ ଜଣେ ସହଯୋଗୀ । ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ମେଦିନୀପୁରର ଶେଖ୍ ନୋରା ଆଲମ୍ (୩୫) । ସାମାନ୍ୟ ମୋବାଇଲ ଭିଡ଼ିଓ ଡିଲିଟ ହେବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହେବା ସହ ମୁଶରଫ ରାଗରେ ହାତୁଡି ସହାର୍ଯ୍ୟରେ ଶେଖ ନୋରା ଆଲାମକୁ ହତ୍ୟା କରି ଫେରାର ହୋଇଯାଇଥିଲା । ପୋଲିସ କୋଲକାତାରୁ ମୁଶରଫକୁ ଗିରଫ କରିଛି ।
Comments are closed.