Latest Odisha News

BREAKING NEWS

କମଳର ମିଶନ କରମଣ୍ଡଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏକ ପ୍ରଭାବଶାଳୀ ଉପସ୍ଥିତି ଓ ଆସାମରେ ବିଜୟୀ ହେବା ପରେ ବିଜେପି ବର୍ତ୍ତମାନ ଓଡ଼ିଶାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ଥିବା ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ଉପରେ ନଜର ରଖିଛି । ଏଥିପାଇଁ ଦଳ ପକ୍ଷରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଓ କେରଳ ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ନିଜ ଦଳରେ ଦକ୍ଷ ଓ ସର୍ବମାନ୍ୟ ନେତା ଅଭାବରୁ ବିଜେପି ନୂତନ ରଣନୀତି ଅନୁସାରେ ଅନ୍ୟ ଦଳର ବିଶିଷ୍ଟ ତଥା ପ୍ରଭାବଶାଳୀ ନେତାମାନଙ୍କୁ ଦଳରେ ସାମିଲ କରି ନିର୍ବାଚନ ଲଢ଼ିବ।

ବିଗତ ଛଅ ବର୍ଷ ମଧ୍ୟରେ ଅଧିକାଂଶ ରାଜ୍ୟରେ ବିଜେପି ନିଜର ଏକ ପ୍ରଭାବଶାଳୀ ଉପସ୍ଥିତି ଜାହିର କରିଛି। କିନ୍ତୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଏବଂ କେରଳରେ ବହୁ ଚେଷ୍ଠା ପରେ ମଧ୍ୟ ଏପର୍ଯ୍ୟନ୍ତ ବିଜେପିର ସଙ୍ଗଠନ ଦୁର୍ବଳ ଥିବାରୁ ନିର୍ବାଚନୀ ସଫଳତା ପାଇପାରୁନାହିଁ। ଅପରପକ୍ଷରେ ଉତ୍ତର ଭାରତରେ ଦଳର ଲୋକପ୍ରିୟତା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିଜେପିର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ନିର୍ବାଚନ କ୍ଷେତ୍ରକୁ ମଜଭୂତ କରି ସେଠାକାର ବିଧାନସଭା ନିର୍ବାଚନରେ ନିଜର ପ୍ରଭାବଶାଳୀ ଉପସ୍ଥିତିକୁ ଜାହିର କରିବା। ସାମାନ୍ୟ ଉପସ୍ଥିତି ଥିବା ଓଡ଼ିଶା ଓ ତେଲେଙ୍ଗାନାରେ ନିର୍ବାଚନୀ ସଫଳତା ପାଇଁ ବିଜେପିର ରଣନୀତି ଅଧିକ ଆକ୍ରମଣାତ୍ମକ ହୋଇପାରେ। ଏଥିପାଇଁ ଖୁବ୍ ଶୀଘ୍ର ଯୋଜନା କାର୍ଯ୍ୟକାରୀ ହେବ ବୋଲି ଦଳୀୟ ମହଲରୁ ସୂଚନା ମିଳିଛି।

ବିଜେପିର ଏହି କରମଣ୍ଡଳ ମିଶନରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ ଅନ୍ତର୍ଭୁକ୍ତ ହେବ। ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ବିଜେପିର ଆଦର୍ଶରେ ବିଶ୍ୱାସ କରୁଥିବା ଅନ୍ୟ ଦଳର ନେତାମାନଙ୍କୁ ସଙ୍ଗଠନରେ ଗ୍ରହଣ କରିବାକୁ ବିଜେପି ପ୍ରସ୍ତୁତ ଅଛି। ଉପରୋକ୍ତ ରାଜ୍ୟଗୁଡ଼ିକରେ ଅନ୍ୟ ଦଳରେ ଅନେକ ନେତା ଅଛନ୍ତି ଯେଉଁମାନେ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ପସନ୍ଦ କରୁଛନ୍ତି। ଏହି ନେତାମାନେ ଖୁବ୍ ଶୀଘ୍ର ଯେପରି ବିଜେପିରେ ଯୋଗଦାନ କରିବେ ପ୍ରସ୍ତୁତ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି।

ଏହି ନେତାଙ୍କ କହିବା ଅନୁସାରେ ତେଲେଙ୍ଗାନାରେ ଟିଆରଏସ୍ ଏବଂ କଂଗ୍ରେସ ନେତାଙ୍କ ସମେତ ଆନ୍ଧ୍ରପ୍ରଦେଶର ତେଲୁଗୁଦେଶମର ବହୁ ବରିଷ୍ଠ ତଥା ପ୍ରଭାବଶାଳୀ ନେତା ବିଜେପିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବିଜେପିର ସଙ୍ଗଠନ ଦାୟିତ୍ୱରେ ଥିବା ନେତାମାନେ ଏହି ନେତାମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ନିକଟରେ ବିଜେପି ତେଲେଙ୍ଗାନାର ସ୍ଥାନୀୟ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ ସଫଳତା ହାସଲ କରିଛି। ଟିଆରଏସ୍ ତୁଳନାରେ ବିଜେପି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସହିତ ସମାନ ସ୍ଥିତିରେ ରହିଛି ବୋଲି ଦଳର ନୀତି ନର୍ଦ୍ଧାରକମାନେ ବିଶ୍ୱାସ କରୁଛନ୍ତି।
ୱାଇଏସଆର କଂଗ୍ରେସ ଓ ତେଲୁଗୁଦେଶମ୍ ଦୁଇଟି ପ୍ରମୁଖ ଦଳ ଆନ୍ଧ୍ରପ୍ରଦେଶରେ ଅଛନ୍ତି। ଏଭଳି ସ୍ଥିତିରେ ବିଜେପିକୁ ଆନ୍ଧ୍ରପ୍ରଦେଶରେ ନିଜର ସ୍ଥିତି ଜାହିର କରିବାକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆନ୍ଧ୍ରପ୍ରଦେଶରେ ତେଲୁଗୁଦେଶମ୍ ଦୁର୍ବଳ ଥିବାରୁ ଏହାର ଫାଇଦା ନେଇ ବିଜେପି ଉପକୃତ ହେବ ବୋଲି ଆଶାବାନ୍ଧି ବସିଛି। ତାମିଲନାଡୁ ଓ କେରଳ ପାଇଁ ଦଳ ଏକ ନୂଆ ରଣନୀତି ପ୍ରସ୍ତୁତ କରିଛି। ତାମିଲନାଡୁର ଦୁଇଟି ପ୍ରମୁଖ ଆଞ୍ଚଳିକ ଦଳ ଏବଂ କେରଳର ଦୁଇଟି ମିଳିତ ପ୍ରମୁଖ ମଞ୍ଚରେ ବିଜେପି ନିଜ ପାଇଁ ସ୍ଥାନ ସୃଷ୍ଟି କରିବାକୁ ଅସମର୍ଥ। ଏହି ଦୁଇ ରାଜ୍ୟରେ କ୍ଷମତା ହାସଲ କରିଥିବା ଦଳ କିମ୍ୱା ମଞ୍ଚ ଦୁର୍ବଳ ହେଲେ ବିଜେପି ସୁଯୋଗ ପାଇପାରିବ।

ଓଡ଼ିଶାରେ ବିଜେପି ଗତ ନିର୍ବାଚନରେ ବହୁ ପ୍ରଚେଷ୍ଠା ପରେ ମଧ୍ୟ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ସମନ୍ୱୟର ଅଭାବରୁ ଆଖିଦୃଶିଆ ସଫଳତା ପାଇ ପାରିନାହିଁ। ଅପର ପକ୍ଷରେ ଶାସକ ଦଳରେ ବରିଷ୍ଠ ତଥା ଅନୁଭବି ନେତାମାନଙ୍କୁ କୋଣଠେସା କରାଯାଉଛି। ଏହି ନେତାମାନଙ୍କୁ ଦଳକୁ ଆଣି ଆଗାମୀ ନିର୍ବାଚନରେ ସଫଳତା ପାଇବା ପାଇଁ ଦଳୀୟ ନେତୃତ୍ୱ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ବୋଲି ଏହି ନେତାଙ୍କ ସୂତ୍ରରୁ ପ୍ରକାଶ।

Comments are closed.