ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’…
ହାତର ତୂଳୀରେ କଣ ସାତରଙ୍ଗର ଘରକରଣା? କାନ୍ଧର ଝୁଲାବ୍ୟାଗ୍ରେ କଣ ଅଜଣାଅଶୁଣା କୁହୁକଟାପୁର ଠିକଣା? ପାଦର ଚଟିହଳକରେ କଣ ଧୂସର ଛାୟପଥର ଧୂଳିକଣା? ସଂସାର ବୁଝେନା ମାଟିର ମହାଶିଳ୍ପୀକୁ । ଦିନ କ’ଣ ଧରିପାରେ ରାତିର ସ୍ୱପ୍ନକୁ ନା ରାତି କଣ ରଖିପାରେ ଭୋର୍ର ସୂର୍ଯ୍ୟକିରଣକୁ? ଦୁନିଆ ଯାହାକୁ କହେ ଅଙ୍କାବଙ୍କା ଗୁଡ଼ାଏ ଅନାବନା ଗାର, ତାହା ହିଁ ନିବିଷ୍ଟ ଶିଳ୍ପୀର ନିର୍ଜନ ଦରବାର! ସେଇଠି ସେ ଏକଛତ୍ରପତି ସମ୍ରାଟ୍ … ସାରାରାତିକୁ ଦିଏ ପହରାଦାର୍ ପରି ଉଜାଗର ରହିବାର ହୁକୁମ୍ – ତମାମଦିନକୁ ଦିଏ ରୁଟିନ୍କୁ ବେଖାତିର୍ କରିବାର ଅଲବତ୍ ଇସାରା! କଳାକୃଷ୍ଣ ଚେହେରାରୁ ଚିତ୍ର ଫୁଟିବ ହୁଏତ – ଜନ୍ମ ନେବ ନୂତନ ଯୁଗର ଭ୍ରୂଣ … ପରିବାର ବୁଝେନା ପ୍ରିୟଶିଳ୍ପୀକୁ । ଟ୍ୟୁଙ୍କିଲ୍ ଟ୍ୟୁଙ୍କିଲ୍ ଲିଟଲ୍ ଷ୍ଟାର୍ କ’ଣ ଷ୍ଟୁଡିଓକୁ କହିପାରେ ଆକାଶ ନା ଷ୍ଟୁଡିଓ କଣ ଭଙ୍ଗାଘରକୁ କରିପାରେ ଚିତ୍ରଘର? ସମାଜ ଯାହାକୁ କହେ କାନ୍ଭାସ୍ ନାଆଁରେ କଣାକପଡ଼ାର ଗୋଟାଏ କୋତରା କମ୍ବଳ, ତାହା ହିଁ ରଙ୍ଗତୂଳୀର ତପସ୍ୱୀଶିଳ୍ପୀ ପାଇଁ ସ୍ୱପ୍ନକୁ ସଚିତ୍ର କରିବାର ଶ୍ରେଷ୍ଠସମ୍ବଳ! ପାଣିଗାର … ତା କଳାକୁ କାଳେକାଳେ କୟଦ୍ କରିରଖିବାକୁ କଳାପାଣିର କୁଳୀନ କାରାଗାର! ସେ କଳାକାର । ସେ କଣ୍ଟକିତ ରୂପକୁମାରୀ କୁସୁମର ଉପାସୀ ମାଳାକାର । ପ୍ରଚାରିତ ନୁହେଁ ପ୍ରକୃତ ପ୍ରତିଭା । ଚର୍ଚ୍ଚିତ ନୁହେଁ ଚିରନିଭୃତ ଚିତ୍ରକର । ସେ ଚାହେନା – ବିବେକ ବିନିମୟରେ ବିତ୍ତଶାଳୀ ଭବିଷ୍ୟତ । ସେ ମାଗେନା – ମଣିମାର ମଣିମହଲରୁ ମାନପତ୍ର । ସେ ଲୋଡ଼େନା – ପ୍ରଭୂତ ପ୍ରଭୁପଣ ପାଖରୁ ପାଦଚଟା ପାର୍ଥିବତା । କ୍ରୀତଦାସ ନୁହେଁ କଳାକାର । କାହାର କିଣାକିଙ୍କର ନୁହେଁ କଳାର କୁଳତିଳକ । ସିଂହାସନର ସ୍ୱୀକୃତି କଣ ଦରକାର, ଯଦି ତାହା ତାର ଶିଳ୍ପୀବ୍ୟକ୍ତିତ୍ୱରେ ବୋଳିଦେଇପାରେ ବିକୃତି? ଶୁଣିଛନ୍ତି ପ୍ରିୟବନ୍ଧୁଗଣ, ଶିଳ୍ପୀ ବିଳାସଚନ୍ଦ୍ରଙ୍କ ନାଆଁ? ଶୁଣିବେ କିପରି? ସେ ତ ସତରେ ଏହିପରି ମାଟିର ମହାଶିଳ୍ପୀ – ସଂସାର ସହିତ ସୁଖ ଅସଂଲଗ୍ନ … ସମାଚ୍ଛନ୍ନ ସ୍ୱପ୍ନ ସହିତ ଆଶାବାଡ଼ି ଅର୍ଦ୍ଧଭଗ୍ନ; ଅଥଚ ସେ ମଗ୍ନ … ନିମଗ୍ନ … ନିଜ ସୃଷ୍ଟିସୁଖର ନୀରବନିଭୃତ ଉଲ୍ଲାସରେ! ଶାନ୍ତଶିଷ୍ଟ ଶିଷ୍ୟବର୍ଗ ପରି ତାଙ୍କ ଛିନ୍ନସଂସାରର ଚାରିପଟେ କେତେ ଗଛଲତା … ସେମାନଙ୍କ ସହ ଏ ସଚ୍ଚାଶିଳ୍ପୀଙ୍କର ସ୍ନେହସମାଦରପୂର୍ଣ୍ଣ କେତେ ଚୁପ୍ଚାପ୍ କଥାବାର୍ତ୍ତା! ବିଶ୍ୱାସ କରୁନାହାନ୍ତି କି? ନ କରନ୍ତୁ … ଆମେ କିନ୍ତୁ କରୁ … କରୁ ଅନ୍ତଃକରଣରେ । କାରଣ ଏଇ ବିଶ୍ୱାସର ଅଖଣ୍ଡତା ଉପରେ ହିଁ ଉଡୁଚି ତାଙ୍କ ଚିତ୍ରସର୍ଜନାର ଜୈତ୍ରକେତନ! ସବୁ ବିଷଣ୍ଣ ଭଗ୍ନସ୍ତୂପ ଉପରେ ଆମକୁ ଦିଶୁଛି ଗୋଟିଏ ପ୍ରତ୍ୟୟର ପ୍ରତିମୂର୍ତ୍ତି …
ସେ ଆମ ମାଟିର ମହାଶିଳ୍ପୀ – ବିଳାସଚନ୍ଦ୍ର !
ହେଉଛନ୍ତି ମାଟିର ମହାଶିଳ୍ପୀ ବିଳାସ ପରିଡା । ଯିଏ ଗଛମାନଙ୍କୁ ମାଇକରେ ଭାଷଣ ଶୁଣାନ୍ତି ନାହିଁ । ଦି’ ପଦ କଥା ହୁଅନ୍ତି । କୁହନ୍ତି – “ଗଛ ମୋ ଜୀବନ । ମୁଁ ଯେତେବେଳେ ବାହାରକୁ ଦି’ ତିନି ଦିନ ପାଇଁ ଯାଇଥାଏ ଫେରିଲା ବେଳକୁ ଦେଖେ – ଗଛସବୁ ଝାଉଁଳି ଯାଇଛନ୍ତି । ସେମାନଙ୍କୁ ଆସ୍ତେ ଆଉଁଶି ଦିଏ – ପଚାରେ ଏମିତି ଅବସ୍ଥା କାହିଁକି ହେଲା । ସେମାନେ କୁହନ୍ତି – ତୁମେ ନଥିଲ । କୁହେ – ଏବେ ଆସିଲି । ଆଉ ଛାଡିକି ଯିବିନି । ଗଛମାନେ ହସି ଉଠନ୍ତି ।”
ମୁଁ ଆଶ୍ଚର୍ଯ୍ୟ ହୋଇଛି ମୋ ଆଖି ଆଗରେ ଏ ଦୃଶ୍ୟ ଦେଖି ।
କାରଣ ମୁଁ ଜାଣେ – ଆମର ଏ ଆଜିର ଦୁନିଆ ଏ କଥା ବିଶ୍ୱାସ କରିବ ନାହିଁ । ଯେହେତୁ ବିଶ୍ୱାସ ଏଠି ଗଣିତର ଗୋଦାମ ବାହାରେ ଗୋଟିଏ ବାସିମଡ଼ା ।
ଖୋଦ୍ ମହାଶିଳ୍ପୀ ନିଜେ ବି ଉଭେଇଗଲେ କୁଆଡେ । ବହୁତ ଖୋଜିଲି । ବହୁତ ପଚରାଉଚରା କଲି – କିନ୍ତୁ ମୁଁ କ’ଣ ଜାଣିଥିଲି – କସ୍ତୁରୀମୃଗ ତା’ ନାଭିପଦ୍ମର ସୁଗନ୍ଧ ଜାଣିନପାରି ଅରଣ୍ୟସାରା ଖୋଜିବୁଲୁଥାଏ – ବହୁ ବେନାମୀ ଫୁଲର ଠିକଣା । ମାତ୍ର ତା ପାଖରେ ଯେ ମହଜୁଦ୍ ରହିଛି ସେଇ ମହାର୍ଘ ମହକର ଉତ୍ସ, ଏ ସନ୍ଧାନର ସୁଦିନ ସେ କ’ଣ ସହଜରେ ପାଇପାରେ?
ସେମିତି ଶିଳ୍ପୀଙ୍କୁ ସନ୍ଧାନ କରୁକରୁ ହଠାତ୍ ଦିନେ ଆବିଷ୍କାର କଲି ତାଙ୍କ ନିଜ ମାଟିର ଭଙ୍ଗାକୁଡିଆରେ ସେ । ଏ ଆବିଷ୍କାର ଥିଲା – ମୋ ପାଇଁ ପ୍ରକୃତରେ ନେହରୁଙ୍କ ଭାରତ ଆବିଷ୍କାର ଭଳି । ଏକ ଆତ୍ମିକ ଆବିଷ୍କାର ।
ଏଇ ସେଇ ଗାଁ କଟିକଟା । ଯାଜପୁର ସହର ରାମବାଗ ରାସ୍ତା ଦେଇ ଯିବାକୁ ହୁଏ । ଦିନେ ଆସିଥିଲି … କେବେ ସେ ଦିନ, ସେ ତାରିଖ … ସେ ମାସ – ସେ ମସିହା? ଆସିଥିଲି ଅଂତତଃ ଅର୍ଦ୍ଧଶତାବ୍ଦୀକୁ ଛୁଇଁଥିବା ଗୋଟାଏ ଛାଇଢଙ୍କା ଗୋଧୂଳିରେ! ସେଦିନ ଥିଲା ୧୯୬୯ ମସିହା ଅକ୍ଟୋବର ମାସ । ତାରିଖ ମନେ ନାହିଁ । ବିଳାସ ଆଉ ମୁଁ ଏନ୍.ସି. କଲେଜ ଯାଜପୁରରେ ବି.ଏ. ଶେଷବର୍ଷ ଛାତ୍ର । ଦୁହେଁ ଦି’ ସାଙ୍ଗ । କ୍ଷୀରନୀର ସଂପର୍କ କହିଲେ ଅତ୍ୟୁକ୍ତି ହେବନି । ସେ ମୋତେ ତାଙ୍କ ଘରକୁ ଡାକିନେଲା ଦିନେ । ଦୁହେଁ ସଂଧ୍ୟାବେଳେ କଟିକଟାରେ ପହଂଚିଲୁ । ତା’ ବାପ ମା’ଙ୍କ ସହ ପରିଚିତ କରାଇଦେଲା । କହିଲା – ଏ ମାୟାଧର । ମୋ ସାଙ୍ଗ ।
ସେତେବେଳେ ତାଙ୍କ ଘରେ ବିଜୁଳି ଆଲୁଅ ନଥିଲା । ଲଣ୍ଠନ ଆଲୁଅରେ ଆମେ ଦୁହେଁ ବସି କେତେ କ’ଣ ଗପିଗଲୁ । ବେଶ୍ ଭୁରିଭୋଜନ ପରେ ବିଶ୍ରାମ ନେଲି ।
ସକାଳୁ ଉଠିଲା ବେଳକୁ ଅଲ୍ ଇଣ୍ଡିଆ ରେଡିଓରୁ ଶୁଣିଲି – ଛାତ୍ରଙ୍କ ଉପରେ ପୁଲିସର ଜଘନ୍ୟ ଅତ୍ୟାଚାର । କଟକରେ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଦୁଇ ସାଙ୍ଗ ତୁରନ୍ତ କଟିକଟାରୁ ସାଇକେଲରେ କଲେଜ ଛୁଟିଲୁ ।
ପ୍ରତିବାଦ ସଭା । ସେଇ ସଭାରେ ଏକ ଛାତ୍ର କ୍ରିୟାନୁଷ୍ଠାନ କମିଟି ଗଠନ ହେଲା । ମୋତେ କମିଟିର ଚେୟାରମ୍ୟାନ ଘୋଷଣା କରାଗଲା । ଦୁର୍ବାର ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଗଲା । ସବୁବେଳେ ବିଳାସ ମୋ ପାଖେପାଖେ ଥାଏ । ଯାଜପୁର ଛାତ୍ର ଆନ୍ଦୋଳନ ପ୍ରଭାବ ସାରା ଓଡିଶାରେ ପଡିଲା । ଯାଜପୁରରୁ ଯାଇ ସାରା ଓଡିଆ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଆବାହକ ହେଲି । ସେତେବେଳେ ଅରୁଣ ଦେ ମୁଖପାତ୍ର ହେଲେ ।
ଯାଜପୁରରେ ପଢା ଶେଷ ହେଲା ପରେ ମୁଁ ରେଭେନ୍ସା କଲେଜକୁ ଗଲି । ବିଳାସ ଶାନ୍ତିନିକେତନ ଚାଲିଗଲା । ମୁଁ ମାତିଗଲି ଛାତ୍ର ରାଜନୀତିରେ । ସେ ଚିତ୍ର ଆଙ୍କି ପାଇଗଲା ପରଶମଣିର ସନ୍ଧାନ … ଗାଇଗଲା ଜୀବନର ଜୟଗାନ । ମୁଁ ରାଜନୀତିରେ ଗାଇଗଲି ବିପ୍ଳବର ଜୟଗାନ ।
ବିଳାସ କେତେବେଳେ ଜଣେ ପ୍ରସିଦ୍ଧ ଚିତ୍ରକର ହୋଇଗଲାଣି – ଏ ଖବର ମୋ ପାଖରେ ନଥିଲା । ଏକ ଇଂରାଜୀ ପତ୍ରିକାରେ କେତେକ ନାମୀ ଶିଳ୍ପୀଙ୍କର ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ମଣିଷଜୀବନକୁ ନେଇ ଅନେକଗୁଡ଼ିଏ ଆଭାସଚିତ୍ରର ଫଟୋ ପ୍ରକାଶ ପାଇଥିଲା ।
ସେଇ ପତ୍ରିକାରେ ବେଦନାଜର୍ଜରିତ ଆମ ସମକାଳୀନ ସମାଜର ଚିତ୍ର ପ୍ରକାଶ ପାଇଥିଲା । ତଳେ ଲେଖାଯାଇଥିଲା – ଶିଳ୍ପୀ ବିଳାସ । ମୁଁ ଦ୍ୱନ୍ଦ୍ୱରେ ପଡିଯାଇଥିଲି । ମୋର ସେହି ମାଣିକଯୋଡ଼ି ସାଙ୍ଗଟି ଏ ବିଳାସ ନୁହେଁ ତ? ଫୋନ୍ ନମ୍ବର ସଂଗ୍ରହ କରି ଯୋଗାଯୋଗ କଲି ।
ହଁ ତ ସେଇ ବିଳାସ ! ପ୍ରାୟ ବର୍ଷ ବର୍ଷ ଧରି ବାହାରର ସବୁ ସଂସାର ସଂପର୍କ ଭୁଲିଯାଇ ଚିତ୍ରକଳାରେ ମଜ୍ଜିରହିଛି । ଏବେ ସେ ପାକଳ ଚିତ୍ରକର, କିନ୍ତୁ ଦେଖେଇହେବା କି ପ୍ରଚାର କରିବାକୁ ଆଦୌ ଭଲ ପାଉନଥିଲା ।
ତା’ର ସମସ୍ତ ସୃଷ୍ଟି ଓ କୃତି ସେ ସାଇତି ରଖେ ଗଦାଗଦା ଡାଇରିରେ । କବିତା ଗଳ୍ପ ଲେଖା ସବୁ ଅପର୍ଯ୍ୟାପ୍ତ । କାନଭାସ୍ରେ ଅଙ୍କା ପେଣ୍ଟିଂ ରଖିବାପାଇଁ ଗୋଟାଏ ବଡ ହଲ ମଧ୍ୟ ନିଅଁଟ ପଡିବ ।
ୟା ଭିତରେ ପ୍ରାୟ ତିନିଶହ ଋତୁ ଅତିବାହିତ ହୋଇଗଲାଣି । ମୋ ସହ ବିଳାସ ମଝିରେ ମଝିରେ ଦେଖାହୁଏ । ଦୁଇ ସାଙ୍ଗ ନିର୍ଜନ ସ୍ଥାନକୁ ଯାଇ ଦିନେ ଦି’ ଦିନ ବିତାଉ । ବିଳାସର ଗଦାଗଦା କବିତା ଗଳ୍ପ ପଢ଼ିଛି ଏବଂ ଚିତ୍ରକଳା ଦେଖିଛି । ଅନେକଥର ବିଳାସକୁ କହିଛି – ଏ ସବୁ ସୃଷ୍ଟି ଓ କୃତିକୁ ଲୋକଲୋଚନକୁ ଆଣ । ଯେଉଁ ସମାଜକୁ ବଦଳାଇବା ପାଇଁ ତୁମର ଲେଖା କାଗଜକଲମରେ, ଚିତ୍ର ରଙ୍ଗତୂଳିରେ ସୃଷ୍ଟି କରିଛ, ତାକୁ ଆଲୋକକୁ ଆଣ ।
ବିଳାସ କିନ୍ତୁ ଅନ୍ୟ ଧାତୁରେ ଗଢା । ସେ ଆତ୍ମପ୍ରଚାରକୁ କେବେ ଗୁରୁତ୍ୱ ଦେଇଆସିନି । ପତ୍ରପତ୍ରିକାମାନେ ତାକୁ ଲେଖା ମାଗିଲେ ବି ସେ ଦିଏନା । ପ୍ରଦର୍ଶନୀକୁ ଚିତ୍ର ପଠାଇବା ପାଇଁ ନିମନ୍ତ୍ରଣ ଆସିଲେ ସେ ସେଥିରେ ମନ ଦିଏନା ।
ଶିଳ୍ପୀଜୀବନର ନିସ୍ତରଂଗ ବାସ୍ତବତା ସଂପର୍କରେ ମୁଁ ଆଉ ଇତିମଧ୍ୟରେ ପ୍ରାୟ କୌଣସି ଖୋଜଖବର ନେଇନି । ବର୍ଷ ବର୍ଷ ଧରି ଉଭୟେ ଭିନ୍ନ ଭିନ୍ନ ବାଟରେ ଯାଇଛୁ, କିନ୍ତୁ ଦୁହିଁଙ୍କ ବନ୍ଧୁତା ଅକ୍ଷୁଣ୍ଣ ରହିଛି ।
ହଠାତ୍ କାହିଁକି ମନଟା କିନ୍ତୁ ଦିନେ ଛଟପଟ ହେଲା ବିଳାସକୁ ଦେଖିବା ପାଇଁ । ଖୋଜଖବର ନେଇ ବିଳାସ ରହୁଥିବା ନଈକୂଳ କଟିକଟା ଗାଁକୁ ଗଲି । ବିଳାସର ଠିକଣା ନଈକୂଳ ଆମ୍ବ, ପଣସ, ନଡିଆ ଗଛ ବଗିଚା ମଧ୍ୟରେ ଏକ ଲମ୍ବା ଚାଳଘରେ ।
ଉଦୁଉଦିଆ ଖରାବେଳେ ବିଳାସ ଚାଳଘର ପିଣ୍ଢାରେ ବସିଛି – ଯାହା ଦେଖିଲି ଆଖିକୁ ବିଶ୍ୱାସ ହେଲାନି ।
ବିଳାସ ଏକ ମଶିଣା ଉପରେ ବସି ଖବରକାଗଜ ଉପରେ ଟର୍ଚ୍ଚ ଲାଇଟ୍ ପକାଇ ଏକ ଲୟରେ ପଢୁଛି । ଆଖିରେ ମୋଟା ଚଷମା ।
ମୁଁ ପାଖରେ ପହଂଚିଯାଇଥିଲେ ମଧ୍ୟ ଦେଖିପାରି ନଥିଲା । ମୁଁ ହଲେଇ ଦେଇ କହିଲି – ବନ୍ଧୁ !
ଶିଳ୍ପୀ ବିଳାସ ମୁହଁ ଟେକି କହିଲା – ଆଜି କି ସୌଭାଗ୍ୟ ମୋର । ଅନେକ ବର୍ଷ ହେଲା ତୁମକୁ ଦେଖିନି, ଦେଖିବି ଦେଖିବି ବୋଲି ମନ ଡାକୁଥିଲା, ହେଲେ ମୁଁ ଜାଣିଥିଲି – ତୁମେ ଅନିକେତ । ତୁମର ଠିକଣା କାହାକୁ ଜଣାନାହିଁ ।
ଏ ଥିଲା ଏକ ତରଙ୍ଗାପ୍ଳୁତ ଅନ୍ତରଙ୍ଗତାର ଅଂତଧ୍ୱର୍ନି ।
– ହଉ ଏବେ ତ ଦେଖା ହେଲା । ଆଚ୍ଛା ଶିଳ୍ପୀ – ଦିନରେ ତୁମେ ଟର୍ଚ୍ଚ ଲାଇଟରେ ଖବରକାଗଜ ପଢୁଛ ? ସକ୍ରେଟିସ୍ ଯେଭଳି ଦିନରେ ଲଣ୍ଠନ ଆଲୁଅରେ ସହର ସହର ବୁଲି ଭଲ ମଣିଷର ସନ୍ଧାନରେ ଥିଲେ । ତୁମେ ତ ଏ ଯୁଗର ସକ୍ରେଟିସ୍ ।
– ହଁ ବନ୍ଧୁ! ସକ୍ରେଟିସଙ୍କୁ ମୁଁ ଗୁରୁ ମଣିନେଇଛି ।
– ବଂଧୁ ……ବଂଧୁ ……. ବଂଧୁ …….. ସକ୍ରେଟିସ୍ ମୁଣ୍ଡ ନ ନୁଆଇଁବାରୁ ତାଙ୍କୁ ବିଷପାନ କରିବାକୁ ପଡିଥିଲା ।
– ଭାଇ ! ଆମ୍ଭେ ବିଷପାନ ନକଲେ ବି ବିଷଠୁ ଆହୁରି ଉତ୍କଟ ଦାରିଦ୍ର୍ୟର କଷାଘାତ ପ୍ରତି ମୁହୂର୍ତରେ ପାନ କରୁଛୁ ।
– ବନ୍ଧୁ ! ତୁମେ ତ ନଜରୁଲପ୍ରେମୀ । ସେ ଗାଇଥିଲେ ଦାରିଦ୍ର୍ୟ ହେଉଛି କଣ୍ଟକର ମୁକୁଟ । ତୁମେ କ’ଣ ସେହି ଦାରିଦ୍ର୍ୟର ମୁକୁଟ ପରିଧାନ କରିଥିବା ସମ୍ରାଟ ? ବେଖିଆଲି ବାଦ୍ଶାହା ?
– ହଁ ହଁ ମୋ ଶିଳ୍ପକଳା ରାଜ୍ୟରେ ମୁଁ ସମ୍ରାଟ । ବର୍ତମାନ ମୋର ସାମ୍ରାଜ୍ୟ ପତନର ବେଳ । ଯେଉଁ ସମ୍ରାଟର କେହି ଯତ୍ନ ନିଅନ୍ତି ନାହି – ଯାହାକୁ କେହି ଦେଖନ୍ତି ନାହିଁ ଏବଂ ଯାହାକୁ କେହି ଶୁଣନ୍ତି ନାହିଁ । ମୁଁ ସେହି ସମ୍ରାଟ – ମୋର କାହା ଉପରେ ରାଗ ନାହିଁ କି ଅଭିମାନ ନାହିଁ । ତୁମ ସହ ମୋର ଦି’ପଦ କଥା ହେବାକୁ ପ୍ରବଳ ଇଚ୍ଛା ଥିଲା – ଯାହା ହେଉ ଆଜି ଆସିଲ – ଆମେ ମନବୋଧ କରି କଥା ହେବା ।
– ବନ୍ଧୁ ! ତୁମକୁ କେବଳ ଦେଖିବାପାଇଁ ଆସିଛି – ଶୁଣିବା ପାଇଁ ଆସିଛି । ହଜାରେ ସାଙ୍ଗ ଥିବା ଅପେକ୍ଷା ତୁମ ଭଳି ଜଣେ ସାଙ୍ଗ ମୋର ଦରକାର ।
– ବିପ୍ଳବୀ ବନ୍ଧୁ ! ତମେ ମୋତେ ତତେଇ ଦେଲ । ଗୁମ୍ଫା ଭିତରେ ଶୋଇରହିଥିବା ସିଂହକୁ ଉଠାଇଦେଲ ।
– ହଉ ଶିଳ୍ପୀ ! ଆମେ ଏ ପିଣ୍ଢାରେ ବସି ଗପୁଥିବା ନା ତମ ମିଉଜିୟମକୁ ଯିବା ?
– ହଉ ଆସ ! ନୂଆଣିଆ ଚାଳଘର । ଟିକେ ଘରକୁ ସଲାମ କରିଆସ । ମାନେ ମୁଣ୍ଡ ନୁଆଇଁ ଆସ ।
ଶିଳ୍ପୀଙ୍କ ଜୀର୍ଣ୍ଣଶୀର୍ଣ୍ଣ ମାଟିକାନ୍ଥରୁ ମଝି ମଝିରେ କାଦୁଅ ଛାଡିଯାଇଛି । ଭଙ୍ଗାକବାଟ । କୌଣସିମତେ କବାଟ ଖୋଲି ଘର ଭିତରକୁ ପ୍ରବେଶ କଲୁ ।
ଘର ଭିତରଟା ଧୂଳିମଳିରେ ଭର୍ତି । ଛାତ କଣା । ଦିନରେ ସୂର୍ଯ୍ୟାଲୋକ ଆଉ ରାତିରେ ଚନ୍ଦ୍ରାଲୋକ । ଖଟିଆ ଉପରେ ବିଛଣା-ବେଡ୍ସିଟ୍ ପଡିଛି । ସେ ବେଡ୍ସିଟ୍ ବୋଧେ ମାସେ କି ଦୁଇମାସ ହେବ ଧୁଆ ହୋଇନି । ପାଖରେ ଟେବୁଲ୍ ଆଉ ଭଙ୍ଗା ଚେୟାର । ଟେବୁଲ୍ ଉପରେ କିଛି ପୁରୁଣା ବହି, ଆଉ କିଛି ଛବି ଅଛି । କଲମ ଦି’ଚାରିଟା ଗଡାଗଡି ହେଉଛନ୍ତି । ବିଡି କଠେ ଥୁଆହୋଇଛି, ଆଉ ଖଣ୍ଡିଆ ବିଡି ଦି’ଚାରିଟା ପଡିଛି । ଗୋଟିଏ କୋଣରେ ଗଦାଗଦା ଛୋଟବଡ କାନ୍ଭାସ୍ରେ ଅଧାଅଙ୍କା ଚିତ୍ର । ଭଙ୍ଗା ଆଲମାରିରେ କାଗଜବିଡା ପୁରୁଣା ଖାତା ଖୁନ୍ଦା ହୋଇଛି । ଖଟିଆପାଖ କାନ୍ଥରେ ଶିଳ୍ପୀଙ୍କ ଶାନ୍ତିନିକେତନୀ ବ୍ୟାଗ ଝୁଲୁଛି । ଦୁଇ ହଳ ପୁରୁଣା ଟ୍ରାଉଜର ପଂଜାବି ଟଙ୍ଗାଯାଇଛି । ଆର କୋଣରେ ପୋଡା ଟେବୁଲ ଉପରେ କିଛି ବାସନକୁସନ ଆଉ ଷ୍ଟୋଭଟିଏ ଅଛି । ପାଖରେ ପାଣିସୋରେଇ ଥୁଆ ହୋଇଛି ।
ଏ ସବୁ ଦୃଶ୍ୟ ଦେଖି ମୁଁ ବିଳାସକୁ କିଛି କହିଲି ନାହିଁ । କହିଲେ କାଳେ ଆତ୍ମାକୁ ଲାଗିବ – ସେଥିପାଇଁ ହସି ହସି କହିଲି – ଶିଳ୍ପୀ ବନ୍ଧୁ ! କି ଚମତ୍କାର ତମ ମିଉଜିୟମ !
– ଟିକେ ଅପେକ୍ଷା କର । ତମ ପାଇଁ ଚା’ କରି ଆଣୁଛି ।
ସ୍ୱଗତୋକ୍ତି କଲାପରି ଚାଲିଯାଉଥିବା ବିଳାସଆଡ଼କୁ ଚାହିଁ ନିଜେ ନିଜକୁ ଶୁଣାଇଲି – ନାଇଁ ବିଳାସ ! ଆଜି ଆଉ ଚା’ ପିଇବାକୁ ଆସିନି । ଆଜି ଏ ଶୂନ୍ୟ ଚା’ କପ୍ ଦି’ଟାକୁ ତୁମେ ଭରିଦିଅ ତୁମ ଉଷୁମ ଲୁହରେ । ମୁଁ ତ ସକ୍ରେଟିସ୍ଙ୍କ ପରି ଗରଳ ପିଇ ପାରିବିନାହିଁ । କିନ୍ତୁ ଶପଥ କରୁଛି – ତୁମର ଶ୍ରେଷ୍ଠ ଚିତ୍ରକଳା ଦ୍ୱାହିରେ – ମୁଁ ତୁମ ଲୁହକୁ ଅମୃତ ଅପେକ୍ଷା ଆହୁରି ମର୍ଯ୍ୟାଦା ଦେବି ।
ଚା’ ପର୍ବ ସରିଲା ପରେ ପଚାରିଲି – ଶିଳ୍ପୀ ! ତୁମର ଛବି ସବୁ ନାହିଁ । ସେ ପାଣ୍ଠୁଲିପି ସବୁ କୁଆଡେ ଗଲା ?
କହିଲେ – ଅନେକ ପାଣ୍ଠୁଲିପି ନଷ୍ଟ ହୋଇଯାଇଛି । ଚାଳଘର ଛାତରୁ ପାଣି ଗଳି ଆଲମିରା ଭିତରେ ପଶି ନଷ୍ଟ କରିଦେଇଛି । ବାକି ଯାହା ଥିଲା ସେମାନେ ମୁହଁ ମାଡି ପଡିଛନ୍ତି । ସେମାନଙ୍କୁ ମୂଷା, ଉଈ ଆକ୍ରମଣ କରି ପରାସ୍ତ କରିଛନ୍ତି ।
ପଚାରିଲେ – ତୁମର ସେ ସବୁ ଅପୂର୍ବ – ଅମୂଲ୍ୟ କାନଭାସର ପେଣ୍ଟିଂ ସବୁ କୁଆଡେ ଗଲା ?
ସେ କହିଲେ – ଅନେକ ନଷ୍ଟ ହୋଇଛି । ଆଉ କେତେକରେ ପାଣି ପଡ଼ି ରଙ୍ଗ ଧୋଇ ଯାଇଛି । ଅନେକ ଲୋକ ଆସିଛନ୍ତି – ଯାହାକୁ ଯେଉଁ ଛବି ମନକୁ ପାଇଲା ଉଠାଇ ନେଉଛନ୍ତି । ବାକି କେତେ ଖଣ୍ଡ ପଡ଼ିରହିଛି ।
– ହଉ ! ଯେଉଁ କେତେ ଖଣ୍ଡ ଛବି ଅଛି, ମୋର ଦେଖିବାକୁ ମନ ହେଉଛି ।
ମୁଁ ଘର ଭିତରେ ଗଦା ହୋଇଥିବା କାନଭାସ୍କୁ ଖେଳେଇଲି – ସତରେ ସେ ସବୁ ଛବି ରଙ୍ଗହୀନ ହୋଇଯାଇଛି । ହଠାତ୍ ଉପରକୁ ଚାହିଁ ଦେଖିଲି ସଙ୍ଗା ଉପରେ ଗୋଟାଏ ବିରାଟ କାନଭାସ ଶୋଇରହିଛି । ସେଠୁ ଆଣିବାକୁ ହାତ ପାଉନି ।
ଦଦରା ଚୌକିଟି ଆଣି ଠିଆହୋଇ ସଙ୍ଗା ଭାଡି ଉପରୁ ଏକ ବିରାଟକାୟ ୫ ଫୁଟର କାନ୍ଭାସ୍ ଟାଣିଆଣିଲି । ପଚାରିଲି – ଆଚ୍ଛା ବନ୍ଧୁ, ବହୁଦିନ ତଳେ ଆସି ଦେଖିଥିଲି – ତୁମର ଫୁଲବଗିଚା । ଏବେ ତା’ର ଅବସ୍ଥା କ’ଣ ?
ଶିଳ୍ପୀ ବିଳାସ ଦୀର୍ଘଶ୍ୱାସ ପକାଇ କହିଲେ – ଜରାଜୀର୍ଣ୍ଣ ଅବସ୍ଥାରେ । ମୁଁ ତ ନିଜେ ଅସୁସ୍ଥ, ସେମାନଙ୍କ ଯତ୍ନ ନେଇ ପାରିଲିନି । ସେମାନଙ୍କ ମୁଖ୍ୟ ଖାଦ୍ୟ, ପାଣି ଦେଇପାରିଲି ନାହିଁ । କେତେ ଅମୂଲ୍ୟ ଗଛ କୁଣ୍ଡରେ ମରିଗଲେଣି । ସେ ବଗିଚାକୁ ଆଉ ଯାଇପାରୁନି । ବାକି କିଛି ଗଛ ପ୍ରାକୃତିକ ପାଣି ପବନ ପାଇ ଏବେବି ବଂଚି ରହିଛନ୍ତି ।
– ଚାଲ ବନ୍ଧୁ – ସେଇସବୁ ଜରାଜୀର୍ଣ୍ଣ ଫୁଲଫଳ ଗଛକୁ ଦେଖିଆସିବା ।
– ତମେ ବନ୍ଧୁ ସେ ସ୍ଥାନକୁ ଯାଇପାରିବ ନାହିଁ । ବଗିଚା ଚାରିକଡେ ପାଣି । ଯିବା ରାସ୍ତା କାଦୁଅ ।
– ହଉ ! ମୁଁ ସେଇ କାଦୁଅରେ ପଶି ଯିବାକୁ ଚାହୁଁଛି ।
– ଯଦି ତମର ଇଚ୍ଛା – ତା’ହେଲେ ଚାଲ ।
ଦୁଇବନ୍ଧୁ ସେହି ଭଙ୍ଗା ଚାଳଘର ପଛପଟ ବଗିଚାକୁ ଗଲୁ । ବଗିଚା ଅର୍ଥରେ ସେ ବଗିଚା ନୁହେଁ । ଦି’ଫୁଟ ଉଚ୍ଚା ଇଟାରେ ଏକ ବିରାଟ ବେସ୍ମେଟ୍ । ପ୍ରାୟ ପାଖାପାଖି ପାଂଚଶହ ଛୋଟବଡ କୁଣ୍ଡରେ କେତେ ଫୁଲଫଳଗଛ । କେତେକ କୁଣ୍ଡରେ ଫୁଲଗଛ ମରିଯାଇଛି । ଆଉ କେତେକ କୁଣ୍ଡରେ ବିଭିନ୍ନ ପ୍ରଜାତିର ଫଳଗଛ ଲାଗିଛି । ଅଧିକାଂଶ ଫଳଗଛର ପତ୍ର ଝଡି ଶୁଖିଲା ଡାଳ ଦେଖାଯାଉଛି ।
କାଦୁଅ ଭିତରେ ଦୁହେଁ ସେଇ ବଗିଚା ଭିତରେ ପ୍ରବେଶ କଲୁ । ଆଶ୍ଚର୍ଯ୍ୟ – ଶତ ଝଡଝଞ୍ଜାକୁ ବେଖାତିର କରି ବଂଚିରହିଥିବା ସେଇ ଫୁଲଫଳଗଛଗୁଡିକ ଏବେ ବି ଭୁରୁଭୁରୁ ବାସ୍ନାରେ ମହକି ଉଠୁଛି ।
ବିଳାସ କହିଲେ – ବହୁ ସମୟ ଦିନ କ’ଣ ରାତି କ’ଣ – ଏଇ ବଗିଚାକୁ ଆସିଗଲେ ମନ ପୂରିଉଠେ । ଏଇ ଗଛମାନେ ମୋର ମିତ୍ର । ସେମାନଙ୍କ ସହ ମୁଁ କଥାବାର୍ତା କରେ । ମୁଁ ବଗିଚାରେ ବୁଲୁବୁଲୁ ଶିଉଳିରେ ଗୋଡ ଖସିଗଲା । ପଡୁପଡୁ ବିଳାସ ଧରି ପକାଇଲେ ।
ଆମେ ବଗିଚାରୁ ଫେରିଆସିଲୁ । ବିଳାସ ଏକ ନୁଆଣିଆ ଚାଳଘରକୁ ନେଇଗଲେ । ସେ ଘର କବାଟ ଏକ ବାଉଁଶତିଆରି ଧଡ଼ା । ବିଳାସ ଘର ଭିତରେ ଥିବା ବିରାଟ ପ୍ରାୟ ପାଂଚଟା ଚାବି ପଡିନଥିବା ବଡ ବଡ ବାକ୍ସ ପାଖକୁ ନେଇଗଲେ ।
ବାକ୍ସ ତ ନୁହେଁ – ପ୍ରାୟ ଛୋଟ ଛୋଟ ସିନ୍ଦୁକ । ଗୋଟାକ ପରେ ଗୋଟାଏ ସିନ୍ଦୁକ ଖୋଲି ବର୍ଷବର୍ଷର ସୃଷ୍ଟି ଚିତ୍ରକୁ ଦେଖାଇଲେ । କେତେ ହଜାର ଚିତ୍ର ଅଛି – ତାହା କହି ହେବନି । କିଛି ଚିତ୍ର କାଟଲଗ୍, ଫାଇଲ୍ ଆଣି ଖେଳେଇ ଆଶ୍ଚର୍ଯ୍ୟ ହୋଇଗଲି । କହିଲି – ଏସବୁ ଚିତ୍ର ଆଦି ଯୁଗରୁ ଆଧୁନିକ ଯୁଗର ଇସ୍ତାହାର । ଏଇସବୁ ଚିତ୍ର ସମଗ୍ର ବିଶ୍ୱର ଜୀବଜଗତର କଥା କହୁଛି । ଏହାକୁ ବାହାରକୁ ପଠାଇଲ ନାହିଁ କାହିଁକି । କୌଣସି ପ୍ରଦର୍ଶନକୁ ଦେଇନା କାହିଁକି । ଏଇ ଭଙ୍ଗା ଚାଳଘରେ ସିନ୍ଦୁକ ଭିତରେ ବନ୍ଦି କରି ରଖିଛ । ଏ ଅନ୍ଧକାର ଭିତରୁ ଏମାନେ କ’ଣ ଆଲୋକକୁ ଆସିବେ ନାହିଁ ?
ଶିଳ୍ପୀ ବିଳାସ କହିଲେ – ପ୍ରଚାର ପଛରେ ମୋ ଜୀବନର ସ୍ୱପ୍ନ କେବେ ଗୋଡାଇ ନାହିଁ । ଏ ଦେଶରେ, ଏ ବିଶ୍ୱରେ ଅନେକ ଶିଳ୍ପୀ ଅଛନ୍ତି । ଅସଲ ଶିଳ୍ପୀଙ୍କୁ କୌଣସି ପୁରସ୍କାର ମିଳେନା । ସେମାନେ ପୁରସ୍କାର ପଛରେ ଗୋଡାନ୍ତି ନାହିଁ । ତାଙ୍କର କୌଣସି ‘ଲବି’ ନଥାଏ । ମୁଁ କେବେ ପ୍ରଦର୍ଶନୀ କିମ୍ବା ଗ୍ୟାଲେରୀକୁ ମୋ ଅଙ୍କା ଛବି କାନଭାସ ପଠାଇନାହିଁ । ଅବଶ୍ୟ ମୋ ଛବିଠାରୁ ନିମ୍ନ ଧରଣର ଛବି ପୁରସ୍କାର ପାଇଛି । ଅନେକ ଚିତ୍ରକର ମୋ ପାଖକୁ ଆସି ଛବି ଦେଖି ଯାଇଛନ୍ତି । ସେଇସବୁ ଛବି କପି କରି ଅନେକ ପ୍ରଶଂସା, ପୁରସ୍କାର, ଅର୍ଥରାଶି ପାଇଛନ୍ତି – ଏସବୁ ମୁଁ ଜାଣେ । ଏଥିପାଇଁ କେବେ ଦୁଃଖ କରିନି କି କାହା ଉପରେ ଈର୍ଷାଜାତ ହୋଇନି ।
– ଆଚ୍ଛା ବନ୍ଧୁ ! ସେ ବିଡାବିଡା ବନ୍ଧା ଖବରକାଗଜ ସବୁ ଅଛି । ମୁଁ ଯାହା ଭାବୁଛି କେତେ କୁଇଂଟାଲ ହେବଣି ।
ବିଳାସ କହିଲେ – ମୁଁ ପ୍ରାୟ ପଚାଶ ବର୍ଷ ଧରି ଗୋଟିଏ ଓଡିଆ, ଗୋଟିଏ ଇଂରାଜୀ କାଗଜକୁ ସାଇତି ରଖିଛି ।
ପଚାରିଲି – ଏସବୁ କ’ଣ ହେବ?
– ଯଦି କେହି ପଚାଶ ବର୍ଷର ଖବର ଜାଣିବାକୁ ଚାହେଁ – ତା’ କାମରେ ଲାଗିପାରେ ।
– ତୁମର ଦୂରଦୃଷ୍ଟିକୁ ମୁଁ ତାରିଫ କରୁଛି ।
ଆମେ ଦୁଇ ବନ୍ଧୁ ପ୍ରାୟ ତିନିଘଂଟା କାଳ ଦୁଃଖସୁଖ ହେଲୁ । ମୁଁ କହିଲି – ତମ ପାଇଁ ଗୋଟେ ଉପନ୍ୟାସ ଆଣିଛି – ଦେଇଯାଉଛି, ପଢିବ ।
ବିଳାସ କହିଲେ – ବନ୍ଧୁ ! ମୁଁ ଆଉ ପଢିପାରୁନି କି ସଂପୂର୍ଣ୍ଣ ଦେଖିପାରୁନି । ଗୋଟାଏ ଆଖି ସଂପୂର୍ଣ୍ଣ ଖରାପ । ଆଉ ଗୋଟାଏ ଆଖିକୁ ଭଲ ଦେଖାଯାଉନି । ଜଳଜଳିଆ ଦେଖାଯାଉଛି । ସେଥିପାଇଁ ବହୁଦିନର ଅଭ୍ୟାସ ଖବରକାଗଜକୁ ଦିନରେ ଟର୍ଚ୍ଚ ସାହାଯ୍ୟରେ ପଢୁଛି । ତୁମେ ଆସିଲାବେଳେ ମୁଁ ଟର୍ଚ୍ଚରେ ଖବରକାଗଜ ପଢୁଥିଲି । ଏବେ ବିସୃତପ୍ରାୟ ମଣିଷ ମୁଁ । କେତେବେଳେ ବସିବସି କେତେବେଳେ ଶୋଇଶୋଇ ଅନେକ କଥା ଭାବୁଛି – ଆଖିକୁ ଭଲ ଦେଖାଯାଉନି ବୋଲି ଲେଖିପାରୁନି । ଭାବୁଛି ଆଉ ଗୋଟେ ଜଗତର କଥା – ଆଉ ଗୋଟେ ସମାଜର କଥା । ସମାଜ ବର୍ତମାନ ଅମୁହାଁ ଜାଗାରେ ପହଂଚିଯାଇଛି – ସେ ସମାଜକୁ ଦେଖିପାରୁନି । ଆଖି ଠିକ୍ ହେଲେ ଅନେକ କାର୍ଯ୍ୟ କରିବାକୁ ଇଚ୍ଛା ଅଛି – ପୁଣି କାନଭାସରେ ବର୍ତମାନର ପୂତିଗନ୍ଧମୟ ସମାଜ ବନାମ୍ ଶାନ୍ତି-ମୈତ୍ରୀ-ସାମ୍ୟର ସମାଜଚିତ୍ର ଆଙ୍କିବାକୁ ମନ ଡାକୁଛି ।
ମୁଁ ପଚାରିଲି – ବନ୍ଧୁ ! ଆଉ କ’ଣ ସବୁ ମନ ଡାକୁଛି ?
ବିଳାସଙ୍କ ମୁଖମଣ୍ଡଳରେ କାରୁଣ୍ୟର ଆଭାସ । ଆଖିରେ ଲୁହ ଜକେଇ ଆସୁଛି । ଆର୍ଦ୍ରକଣ୍ଠରେ କହିଲେ – ଆଜି ବି ଅଭୁଲା ଅତୀତକୁ ମନେ ପକାଇ ଅଦେଖା ଲୁହରେ ଭିଜୁଛି । କାଖରେ ଜାକିଥିବା ସ୍ୱପ୍ନ ସବୁକୁ ମୁଣ୍ଡତଳେ ଗୁଞ୍ଜିଦେଇ ଶୋଇବାବେଳେ ଆଖିରୁ ଧାରଧାର ଲୁହ ଗଡିଯାଏ । ଖାଲି ଯେମିତି ବଂଚିବା ପାଇଁ ବଂଚିଛି ।
ସତ କହିବ ବନ୍ଧୁ ! କାହାପାଇଁ ଲୁହ ଝରେ ?
– କାହା ଆଗେ କହିନି, କିନ୍ତୁ ତମକୁ ନକହି ରହିପାରୁନି । ମୋତେ କେହି ଦେଖିବାକୁ, ଶୁଣିବାକୁ ଆସୁନଥିବାବେଳେ ପାଞ୍ଚଦଶଂଧିର ଅନ୍ତରଙ୍ଗ ବନ୍ଧୁ ଆଜି ମୋତେ ଦେଖିବାକୁ ଆସିଛି । ସତକଥା ଶୁଣିବ ବୋଲି କହୁଛ । ତମକୁ ସତ ନକହିଲେ ମୋ ମୂର୍ଧନା ଫାଟିଯିବ ।
ମୃଦୁଶୀତଳ କଣ୍ଠସ୍ୱରରେ ତାଙ୍କର ସେ ସତ୍ୟପାଠ ସେଦିନର ସେଇ ଦିଘଡ଼ିର ଦିପହରଟାକୁ କେତେ ଗୋପନୀୟ ସ୍ମୃତିଚାରଣରେ ଶୋକସଜଳ କରିଦେଲା … ମନେନାହିଁ କେତେବେଳେ ପ୍ରାୟାନ୍ଧକାର ଆସି ଛାଇଗଲାଣି ଆମ ଚାରିପଟେ – ଆମେ କିନ୍ତୁ ଭୁଲିଯାଇଛୁ ଘରର ବତି କେଉଁଠି!
ବିଦାୟ ନେବାର ବେଳ ଏଥର ଶିଳ୍ପୀଙ୍କ ଠାରୁ । କହିଲି – ହଉ ! ଶିଳ୍ପୀ ବନ୍ଧୁ ! ଦୀର୍ଘବର୍ଷର ବ୍ୟବଧାନରେ ଆଜି ଦି’ବନ୍ଧୁ ମନଖୋଲା କଥାବାର୍ତା ହେଲେ । ଆଜି ଆସୁଛି ।
ବିଦାୟବେଳାରେ ବିଳାସ କହିଲେ – ବନ୍ଧୁ, ଆଉ କେବେ ଆସିବ ?
ମୁଁ କହିଲି, ନିଶ୍ଚୟ ଆସିବି । ତୁମ ଅଜସ୍ର ରକ୍ତ ଲୁହଝରା କାନଭାସ୍ ପେଣ୍ଟିଂରୁ ଗୋଟିଏ ନେବି ।
ବିଳାସ କହିଲେ – ବନ୍ଧୁ ! ତୁମେ ବ୍ୟସ୍ତ ଅଛ କି ? ଆଉ କିଛି ସମୟ ଗଳ୍ପାଳାପ କରିବାନି ? ତୁମକୁ ଦେଖି ମୋର ଜୀବନ ଫେରିଆସିଛି । କିଛି ସମୟ ରୁହ ।
ମୁଁ କହିଲି – ହଉ ବନ୍ଧୁ ! ମୁଁ ଅଛି – ତୁମକୁ ମଧ୍ୟ ଛାଡି ଯିବାକୁ ଇଚ୍ଛା ହେଉନି । ଆଚ୍ଛା ! ଏବେ ଆଉ ଛବି ଆଙ୍କୁଛ ନା ?
ଶିଳ୍ପୀ ବିଳାସ ଦରଦଭରା କଣ୍ଠରେ କହିଲେ – ନା ବନ୍ଧୁ ! କେତେ ଚିତ୍ର ଆଙ୍କିବି – କେତେ ଫଟୋ ଉଠାଇବି ? ଚିତ୍ରଗୁଡା ଏତେ ବଢିଗଲାଣି ଯେ ରଖିବାକୁ ଜାଗା ନାହିଁ । ସବୁ ଚିତ୍ର ପଡିରହିଛି । ସେ ସବୁ ଚିତ୍ରକୁ ଦେଖିବ କିଏ ?
– ବନ୍ଧୁ ତୁମେ ଜାଣିଛ କି ? ହଜାର ହଜାର ଚିତ୍ରରୁ ଗୋଟିଏ ମଧ୍ୟ କ୍ଲିକ୍ କରିପାରେ । ସେହି ଚିତ୍ର ହିଁ ବିଶ୍ୱବିଖ୍ୟାତ ହୋଇପାରେ ।
ଶୁଣିଥିବ କି ନାଇଁ – ଯେଉଁ ଛବି ଭୟାବହ ଭିଏତ୍ନାମ ଯୁଦ୍ଧକୁ ବନ୍ଦ କରିଦେଇଥିଲା । ଏବେ ଶୁଣ – ନ୍ୟାପମ୍, ଅଠା ଭଳିଆ ଏକରକମ ଜେଲି । ପ୍ରବଳ ଅଗ୍ନିବାହକ । ଘାତକ ବୋମା ତିଆରି କରିବାର ଉପାଦାନ । ଜଳ ଯେଉଁଠି ଶହେ ଡିଗ୍ରୀ ସେଲସିୟସ ଗରମ ଥାଏ, ସେଠି ଯଦି ନାପମ୍ ବିସ୍ଫୋରଣ ହୁଏ ତେବେ ଆଠଶହରୁ ବାରଶହ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିଯିବ । ଏହି ବୋମା ପଡିଲେ ମଣିଷ ଜୀବନଜନ୍ତୁଙ୍କ ସର୍ବାଙ୍ଗ ଶରୀର କ୍ଷଣିକରେ ଜଳିଯାଇ ପାଉଁଶରେ ପରିଣତ ହୋଇଯିବ । କେତେକିଏ ସବୁଦିନ ପାଇଁ ପଙ୍ଗୁ ହୋଇଯିବେ । କି ଯନ୍ତ୍ରଣା ଭାବିପାରୁଛ ?
ଜାଣିଲ ବନ୍ଧୁ ! ଭିଏତ୍ନାମ ଯୁଦ୍ଧରେ ଏଇଭଳି ଏକ ବୋମା ଫୁଟିଥିଲା । ସେହି ସମୟରେ ଜଣେ ଫଟୋଗ୍ରାଫର ଏକ ଛବି ଉଠାଇଥିଲେ । ବୋମା ଫାଟିବା ପରେ ପରେ ନଅବର୍ଷର ବାଳିକା କିମ୍ ଫ୍ଲସର ଛବି । ନଗ୍ନ ଦେହ । ପଞ୍ଜରାହାଡ ଦେଖାଯାଉଛି । ପୁଷ୍ଟିହୀନ ଶରୀର । ଦୁଇ ହାତ ଦି’ଦିଗକୁ ଝୁଲାଇ ବୁକୁଫଟା କ୍ରନ୍ଦନ । ଆଖି ମୁହଁରେ ମହାଆତଙ୍କ ଖେଳିଯାଇଛି । ପଛେ ପଛେ ଗୋଡେଇଛନ୍ତି ଆମେରିକା ପ୍ରତିପାଳିତ ଦକ୍ଷିଣ ଭିଏତ୍ନାମର ସୈନ୍ୟମାନେ ।
ଜାଣ ବନ୍ଧୁ ! ସେତେବେଳେ ରଙ୍ଗିନ୍ ଫଟୋ ନଥିଲା – ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଛବି । ଏଇ ଗୋଟିଏ ଛବି ଭିଏତ୍ନାମ ଯୁଦ୍ଧର ଭବିଷ୍ୟତ । ନ୍ୟୁୟର୍କ ଟାଇମରେ ଛବିଟି ପ୍ରକାଶିତ ହେଲା ପରେ ପ୍ରଥମେ ଆମେରିକା ପରେ ପୃଥିବୀର ସମସ୍ତ ଦେଶରେ ମାନବାଧିକାର ସଂଗଠନମାନ ଗଢିଉଠି ଯୁଦ୍ଧ ବନ୍ଦ କରିବା ନାରା ଦେଇଥିଲେ । ଏଇ ଗୋଟିଏ କରୁଣ ଛବି ଦେଖି ସମଗ୍ର ବିଶ୍ୱର ଜନଗଣ ଆମେରିକା ବିରୋଧରେ ବିଷୋଦ୍ଗାର କରିଥିଲେ । ଠିକ୍ ତାର ତିନିବର୍ଷ ପରେ ଆମେରିକା ଭିଏତ୍ନାମ ମାଟିରୁ ପଛଘୁଂଚା ଦେଇ ପଳାଇ ଆସିଥିଲା । ୧୯୫୫ ମସିହାରୁ ଆମେରିକା – ଭିଏତ୍ନାମ ଯୁଦ୍ଧ ଆରମ୍ଭ ହୋଇ ଦୀର୍ଘ ୧୯ ବର୍ଷ ଚାଲିଥିଲା ।
ବୁଝିଲ ବନ୍ଧୁ ! ଗୋଟିଏ ଛବି ଦେଖି ବିଶ୍ୱର ସବୁଠୁ ଭୟଙ୍କର ଯୁଦ୍ଧର ଅବସାନ ଘଟିଥିଲା । ଏଇ ଛବିର ନାୟକ କିଏ ଜାଣ ? ସେ ହେଉଛନ୍ତି ନିକ୍ ମନ୍ତ୍ରମୁଗ୍ଧ ଭଳି ଶିଳ୍ପୀ ବିଳାସ ମୋ କଥା ଶୁଣୁଥିଲେ । କହିଲେ – କାହିଁ ନିକ୍ କାହିଁ ବିଳାସ । ତା’ର ସବୁ ସୁଯୋଗ ସହଯୋଗ ସୁବିଧା ଥିଲା ।
କହିଲି – ଜାଣିଲ ବନ୍ଧୁ ! ସୁଯୋଗ, ସୁବିଧା, ସହଯୋଗ ଆପେଆପେ ଆସେନା । ଏଥିପାଇଁ ପ୍ରବଳ ଇଚ୍ଛାଶକ୍ତି ଜରୁରୀ । ଭିଏତ୍ନାମ ଯୁଦ୍ଧର ଏଇ ଗୋଟିଏ ହୃଦୟବିଦାରକ କରୁଣ ଛବି ନିକ୍ର ଭାଗ୍ୟ ବଦଳାଇ ଦେଇଥିଲା । ସେ ହେଲା ହଲିଉଡ୍ର ଆଲୋକଶିଳ୍ପୀ ।
ଏଇ ଛବି ଦେଖି ସେତେବେଳର ଯୁଦ୍ଧଖୋର ରାଷ୍ଟ୍ରପତି ନିକ୍ସନ୍ ପ୍ରଥମେ ବିଶ୍ୱାସ କରିପାରୁନଥିଲେ । ଯେତେବେଳେ ସରକାରୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଛବିଟି ଦେଖାଗଲା – ସେତେବେଳେ ନିକ୍ସନ୍ ବିଶ୍ୱାସ କଲେ । କହିଲେ – ବଡ ଭୁଲ ହୋଇଗଲା । ବହୁତ ଡେରି ହୋଇଗଲାଣି । ପ୍ରକୃତରେ ଆମେ ହାରିଗଲୁ ।
ବୁଝିଲ ବନ୍ଧୁ – ସମଗ୍ର ଏସିଆରେ କମ୍ୟୁନିଜିମ୍ ଛାଇଯିବ – ଏଇ ଆତଙ୍କରୁ ଆମେରିକା ଭିଏତ୍ନାମ ଯୁଦ୍ଧ ଚଳାଇଥିଲା । ଥରେ ଯୁଦ୍ଧ ଆରମ୍ଭ ହେଲେ ପଛଘୁଂଚା ଦେବା କଷ୍ଟକର । ଯେପରି ମହାଭାରତରେ କୌରବ ପାଣ୍ଡବଙ୍କ ମଧ୍ୟରେ ହୋଇଥିଲା । କିନ୍ତୁ ଆମ ରାଜ୍ୟ ଭଳି ଭିଏତ୍ନାମ୍ ଏକ ଛୋଟିଆ ଦେଶ । ଚାଷ ଥିଲା ପ୍ରଧାନ ଜୀବିକା । ଚାଷୀମାନେ ଲଙ୍ଗଳ ବଦଳରେ ବନ୍ଧୁକ ଧରିଥିଲେ । ଘମାଘୋଟ ଯୁଦ୍ଧରେ ହସିହସି ମରଣକୁ ବରଣ କରୁଥିଲେ । ଶେଷରେ ଜିତିଲେ ମଧ୍ୟ ।
ଭିଏତ୍ନାମ ଯୁଦ୍ଧର ଅବସାନରେ ନିକ୍ଙ୍କ ଫଟୋଚିତ୍ରର ଅବଦାନ ଆଜି ବିଶ୍ୱବାସୀ ମନେପକାନ୍ତି । ଇତିହାସର ଅମର ପୃଷ୍ଠାରେ ଏଇ ଛବି ଆଉ ନିକ୍ ସବୁଦିନ ପାଇଁ ରହିଥିବେ । ବିଳାସ କହିଲା – ନିକ୍ ମୋ ଭଳି ଦୁଃସ୍ଥ, ଦରିଦ୍ର ହୋଇନଥିବେ ।
ନା ବନ୍ଧୁ ! ନିକ୍ ମଧ୍ୟ ଆସୋସିଏଟ୍ ପ୍ରେସ୍ କର୍ତୃପକ୍ଷଙ୍କ ପାଖରେ ଚାକିରି ପାଇଁ ଗୋଡଭାଙ୍ଗି ଠିଆହୋଇଛି । ବାରମ୍ବାର ଧାଇଁଛି । ଶେଷରେ ପରୀକ୍ଷାମୂଳକ ଭାବେ ନିକ୍କୁ ଭିଏତ୍ନାମ ଯୁଦ୍ଧକ୍ଷେତ୍ରକୁ ପଠାଇ ଦିଆଯାଇଥିଲା । ଜୀବନକୁ ପାଣି ଛଡାଇ ଏକା ଜିଦ୍ରେ ନିକ୍ ଯୁଦ୍ଧର ଫଟୋ ଉଠଇଥିଲା । ଏଇ ଗୋଟିଏ ଛବିରେ କେବଳ ନିକ୍ର ଭାଗ୍ୟ ପରିବର୍ତନ ହେଲା – ଯାହା କୋଟିକୋଟି ଲୋକ କରିପାରିନଥିଲେ । ଜଣେ ଅଭାବୀ ଚିତ୍ରଶିଳ୍ପୀ ତାହା କରିପାରିଲେ । ବନ୍ଧୁ ! ମୁଁ କାହିଁକି ଭାବୁଛି – ମୋ ମନ ଡାକୁଛି – ତୁମ ହଜାର ହଜାର ଛବିରୁ ମୁଁ ଗୋଟିଏ ବାଛିନେବି । ଦେଖିବ ସେ ଛବିକୁ ଦେଖି ବିଶ୍ୱବାସୀଙ୍କ ହୃଦୟ ତରଳି ଯିବ । ପରିବର୍ତ୍ତନ ହୋଇଯିବ ।
ମୁଁ ବିଳାସ ଠାରୁ ବିଦାୟ ନେଇ ମୋ କାରରେ ବସି ଭାବୁଥିଲି – ଆଜି ଶିଳ୍ପୀଙ୍କ ଦର୍ଶନ, ଯତ୍କିଂଚିତ୍ ମୌଖିକ ଆତ୍ମକଥନ ଅତ୍ୟନ୍ତ ହୃଦୟସ୍ପର୍ଶୀ । ବିଳାସ ଏଭଳି ଏକ ଖିଆଲି ଶିଳ୍ପୀ, ତାଙ୍କ ରଙ୍ଗତୂଳିରେ କି କୁହୁକ ଅଛି କେଜାଣି, ଯେ କୌଣସି ଚିତ୍ର ରସିକ ବେରସିକ, ସମସ୍ତଙ୍କୁ ବାନ୍ଧି ରଖିବ । ସେଭଳି ଶିଳ୍ପୀ କୋଟିକରେ ଗୋଟିଏ ମିଳିବା କଷ୍ଟକର ।
ମୁଁ ବିଳାସଙ୍କର ଦାରିଦ୍ର୍ୟ, ଜରାଜୀର୍ଣ୍ଣ ଅବସ୍ଥାକୁ ଅତି ଗଭୀର ଭାବେ ଅନୁଧ୍ୟାନ କରି ଅତି ଆପଣାର ସାଙ୍ଗକୁ ସାହାଯ୍ୟ ସହଯୋଗ କରିବାକୁ ଇଚ୍ଛା କରି ପୁଣି ପଛେଇ ଆସିଲି । କାରଣ ଥିଲା ସ୍ପଷ୍ଟ – ତାଙ୍କୁ ଅର୍ଥ କିମ୍ବା ଅନ୍ୟ କିଛି ସାହାଯ୍ୟ କଲେ ଶିଳ୍ପୀପ୍ରତିଭା ପ୍ରତି ଅସମ୍ମାନ, ଅବମାନନା । ଶିଳ୍ପୀ ବିଳାସ ଅତ୍ୟନ୍ତ ସ୍ୱାଭିମାନୀ । ସେ ନୁହନ୍ତି କାହାର ଦୟାର ପାତ୍ର । ଦୟା ଦେଖେଇଲେ ସେ ଦୁଃଖ ପାଇବେ । ବିଳାସ ଏଭଳି ଏକ ଶିଳ୍ପୀ ସେ ଖାଇବାକୁ ନପାଇ ଶୁଖିଶୁଖି ମରିଯିବେ ପଛେ – ହାତ ପତାଇବା ଏ ପର୍ଯ୍ୟନ୍ତ ତାଙ୍କ ଜାତକରେ ନାହିଁ । ତାଙ୍କୁ ଏକମାତ୍ର ସାହାଯ୍ୟ ସହଯୋଗ ହେଉଛି – ତାଙ୍କ ଶିଳ୍ପୀପ୍ରତିଭାର ବାସ୍ତବ ମୂଲ୍ୟାୟନ ।
କି ବିଚିତ୍ର ଏ ରାଜ୍ୟ ! କି ବିଚିତ୍ର ଆମର ମସନଦୀ ମହାମାନ୍ୟମାନେ ! ସେମାନେ ବିଳାସଙ୍କ ଭାବମୂର୍ତ୍ତି ଭିତରେ ଭୋଟରର ପରିଚୟଟାକୁ ଦେଖିଆସିଛନ୍ତି, କେବଳ, କିନ୍ତୁ କେବେହେଲେ ଭେଟିଛନ୍ତି କି ସେଇ ଶାଣିତ ସଂଗୁପ୍ତ ଶିଳ୍ପୀସତ୍ତାକୁ – ଯାହାର କେହି ଯତ୍ନ ନିଅନ୍ତି ନାହିଁ – ଯାହାକୁ କେହି ଦେଖନ୍ତି ନାହିଁ – ଯାହାକୁ କେହି ଶୁଣନ୍ତି ନାହିଁ – ଯାହାର ଗଦାଗଦା ଅଙ୍କା ଛବି କେବେବି ପ୍ରଶଂସା ପାଇଲାନାହିଁ, ବହୁଲୋକ ସେ ଛବି ଦେଖି ଅଦେଖା । ପ୍ରଶଂସା ତାଙ୍କ ତୁଣ୍ଡରୁ ଅଶୁଣା । ଶିଳ୍ପୀଙ୍କର ପ୍ରଚଣ୍ଡ ଦାରିଦ୍ର୍ୟ, ରୋଗାକ୍ରାନ୍ତ ଅବସ୍ଥାରେ ବି କେହି ତାଙ୍କୁ ପଦେ ପଚାରୁ ନାହାଁନ୍ତି ।
ବିଳାସଙ୍କର ବୟସ ଏବେ ତେସ୍ତରୀ । ଆଖିକୁ ଦେଖାଯାଉନି । ପାଦ ଠିକ୍ ଭାବେ ପଡୁନି । ସେଦିନ କିନ୍ତୁ ଆମେ ଦୁଇ ସାଙ୍ଗ ଫୁଲରସିଆ ଥିଲୁ । ଦୁହେଁ ମଧ୍ୟ ପ୍ରେମବିବାହ କରିଛୁ । ବିଳାସ ପ୍ରେମବିବାହ କଲେ କଟିକଟା ଗାଁ ହାଇସ୍କୁଲରେ ଚାକିରି କରୁଥିବା ବୈଜୟନ୍ତୀଙ୍କୁ । ସେ ଆଶ୍ରୟ ନେଲେ ବୈଜୟନ୍ତୀ ଆଶ୍ରମରେ ।
ମୁଁ ମଧ୍ୟ ପ୍ରେମବିବାହ କଲି ସୁକିନ୍ଦା ଜଗନ୍ନାଥ ହାଇସ୍କୁଲ ଶିକ୍ଷୟିତ୍ରୀ ଇନ୍ଦିରା ଦାସଙ୍କୁ । ମୁଁ ଇନ୍ଦିରାଶ୍ରମରେ ଆଶ୍ରୟ ନେଲି । ବିଳାସଙ୍କର ଦୁଇଟି ପୁଅ, ଦୁଇଟି ଝିଅ । ମୋର ଗୋଟିଏ ଝିଅ, ଗୋଟିଏ ପୁଅ । ବିଳାସଙ୍କ ବଡପୁଅ ପ୍ରୀତମ୍ ପଦ୍ମଲୋଚନ ମଧ୍ୟ ଜଣେ ଚିତ୍ରକର, କଳାଶିକ୍ଷକ । ସାନପୁଅ ପ୍ରିୟଲୋଚନ ବି ଚିତ୍ରକର । ଏବେ ସେ ଦିଲ୍ଲୀରେ । ବଡପୁଅ ମଧୁସ୍ମିତାକୁ ବାହା ହୋଇଥିଲା । ପତ୍ନୀ ଆକସ୍ମିକ ଭାବେ ମରିଗଲା – ଝିଅଟିଏ ନ’ ବର୍ଷର ଅଛି । ସାନପୁଅ ବାହା ହୋଇନି । ଏବେ ବଡଝିଅ ବନଜା ଭୁବନେଶ୍ୱରରେ ଅଛି । ସାନଝିଅ ତନୁଜାକୁ ତା’ ଶଶୁରଘର ଲୋକ ମାରିଦେଲେ ବୋଲି ଶୁଣିଛି । ତା’ର ମଧ୍ୟ ପାଂଚବର୍ଷର ପୁଅଟିଏ ଅଛି ।
ବିଳାସ ଜୀବନରେ ଦୁଃଖ ପରେ ଦୁଃଖ । ମୋତେ ଦେଖିଲେ – ସତେ ଯେମିତି ତାଙ୍କ ପ୍ରାଣରେ ଜୀବନ୍ୟାସ ଆସେ । ଆମେ ଦୁଇ ବନ୍ଧୁ ଏକାଠି ହେଲେ ଆମ ହସରେ ସାରା ଦୁନିଆ ହସିଉଠେ ।
ମାଟିର ମହାଶିଳ୍ପୀ ମାଟିରେ ମିଶିଯାଏ । ମୋର ସେ ବନ୍ଧୁଙ୍କୁ ମୁଁ ଜାଣେ – ସେ ମହାଶିଳ୍ପୀ ଆଜି ବି ଦୂରର ବତାସ, ଘର ଚାରିପଟ ଗଛଲତାର ନିଃଶ୍ୱାସପ୍ରଶ୍ୱାସ ମହାଶିଳ୍ପୀ ବିଳାସର ସେଇ ସ୍ନେହଜୁଡୁବୁଡୁ ସମ୍ବୋଧନକୁ ମୁଁ ଆଜିବି ଶୁଣିପାରୁଛି ନିକଟତମ ଦୂରନକ୍ଷତ୍ରର ନୀରବସତ୍ୟ ପରି ।
ବିଳାସର ରଙ୍ଗବାକ୍ସରେ ବନ୍ଦୀ ଛ’ଟି ରଙ୍ଗ । ଏବେ କିନ୍ତୁ ମୁକୁଳି ଆସୁଚି କେବଳ ଗୋଟାଏ ରଙ୍ଗ । ତାହା ହେଉଛି କଳା ରଙ୍ଗ । ଗୋଟାଏ ପର୍ଯ୍ୟାୟ ଏଇ ମହାଶିଳ୍ପୀଙ୍କ ଜୀବନରେ ଆସିଲା – ଯେତେବେଳେ ପ୍ରାୟ ଦି’ ତିନି ବର୍ଷ ଧରି ତାଙ୍କର ସବୁ ପେଣ୍ଟିଂ ଅଙ୍କା ହେଲା ପାଉଁଶିଆ କାନ୍ଭାସ୍ ଉପରେ – ପାଣିରଙ୍ଗବୋଳା ଅଙ୍କାବଙ୍କା ଗୁଡାଏ କଳାଗାରର ମିଶାଣ । ଯାହା ତାଙ୍କର ସେ ସମୟର ପରିଭାଷାରେ ସମକାଳୀନ ସାମାଜିକ ବାସ୍ତବତା !
କିନ୍ତୁ ସେ ବିପ୍ଳବୀ ସଂଗଠନ ବାଟରୁ ମୁହାଁଇଲେ ତାଙ୍କ ନଡାଛପରର ନୁଖୁରା ଗାଁର ବାଲିରାସ୍ତା ଆଡେ । ଏଇ ତାଙ୍କର ଜୀବନର ଆଜି ପର୍ଯ୍ୟନ୍ତ ଅସମାପ୍ତ ଆଉଏକ ପର୍ଯ୍ୟାୟ । ଯେଉଁଠି ପ୍ରଥମେ ପ୍ରଥମେ ଆଙ୍କି ଚାଲିଲେ – ଶୂନ୍ୟତାର ଧୂମକୁଣ୍ଡଳୀକୃତ ଅଜସ୍ର ଚିତ୍ରପଟ । ତା’ପରେ ଧୀରେ ଧୀରେ ଦେଖାଗଲା ସେ ଶୂନ୍ୟତାକୁ ଆଚ୍ଛାଦିତ କରି ଚାଲୁଛି ବୃକ୍ଷ, ଲତା, ଗୁଳ୍ମ ଠାରୁ ଆରମ୍ଭ କରି କିଛି କିଛି ଔଷଧୀୟ ପତ୍ରପୁଷ୍ପର ଆଭାସ । ଏହା କଣ ଆମ ଆସନ୍ନ ଆତ୍ମରୂପ?
କି ବିରାଟ ରହସ୍ୟ ଏ ମହାଶିଳ୍ପୀଙ୍କ ଜୀବନରେ! କୁଆଡେ ହଜିଗଲା କୁହୁଡି ସେପଟେ ଶାନ୍ତିନିକେତନ – କୁଆଡେ ମିଶିଗଲା ଦିହୁଡିଜଳା ଦ୍ୱୀପତଳର ଅନ୍ଧାରରେ ବିପ୍ଳବୀ ସଂଗଠନ ।
ଶିଳ୍ପୀ ଦୁଃଖ ଆଙ୍କନ୍ତି, କିନ୍ତୁ ଦୁଃଖ କାହାକୁ କହନ୍ତି ନାହିଁ । ଶ୍ମଶାନଯୋଗୀ ଶିବ ପରି ଏବେ ଶିଳ୍ପୀଜୀବନର ମରୁବାଲିରେ ତାଙ୍କର ଧୂସର ସାଧନାର ଚିରଶ୍ୟାମଳ ‘ମରୁଉଦ୍ୟାନ’ ତୋଳିବାରେ ଶପଥବଦ୍ଧ ।
ଏ ସେଇ ଶିଳ୍ପୀ ଯିଏ କୌଣସି ସଂସ୍ଥା/ସଂଗଠନ ପାଖେ ହାତ ପତାନ୍ତି ନାହିଁ – ଭିକାରି ହେବାର ନାହିିଁ କି ଶିକାରୀ ହେବାର ନାହିଁ ତାଙ୍କର – ନୁହଁନ୍ତି ସମାଜର ହର୍ତାକର୍ତା ପଦାଧିକାରୀବର୍ଗଙ୍କ ଶରଣାର୍ଥୀ ।
ମୁଁ ଦେଶବିଦେଶ, ଆମ ରାଜ୍ୟର କୋଣେ ଅନୁକୋଣେ ଘୂରି ବୁଲିଛି । ଅନେକ ଚରିତ୍ର – ଏପରିକି ଲକ୍ଷ ଲକ୍ଷ ମଣିଷଙ୍କ ସଙ୍ଗେ ମିଶିଛି – ଅନେକ ସାଙ୍ଗସାଥୀ ସାଉଁଟିଛି । ସମସ୍ତଙ୍କୁ ଭଲପାଇଛି । ଦୁଃଖସୁଖ ବାଂଟିଛି । କେତେ ଆସିଛନ୍ତି ସମୟର ସ୍ରୋତରେ, କିଏ କୁଆଡେ ଭାସି ଯାଇଛନ୍ତି । ଆଜି ତେସ୍ତରୀ ବର୍ଷରେ ଜଣେ ମାତ୍ର ବନ୍ଧୁ ବିଳାସ ପରିଡା ପାଖରେ ମୁଁ ଅଟକି ଯାଇଛି । କରମର୍ଦନ କରିଛି ବନ୍ଧୁତ୍ୱ ସହ, ମାତ୍ର ନତମସ୍ତକ ହୋଇଛି ସେଇ ଅଭିନ୍ନ ବନ୍ଧୁତାରେ ଭରା ମହାଶିଳ୍ପୀଟି ନିକଟରେ ।
ହେ ମହାଶିଳ୍ପୀ, ତୁମକୁ ଆମସମସ୍ତଙ୍କ ତରଫରୁ ଅଜସ୍ର ଅନୁତପ୍ତ ନମସ୍କାର । କ୍ଷମା କର ଆମକୁ କଣ୍ଟକମୁକୁଟ ପରିହିତ ହେ ଶିଳ୍ପୀସମ୍ରାଟ, ହେ କ୍ରୁଶବିଦ୍ଧ କଳାକାର, ବାରମ୍ବାର- ବାରମ୍ବାର … ।
ଯାଜପୁର ରୋଡ, ଯାଜପୁର, ମୋ: ୯୮୬୧୦୩୪୧୬୩
Comments are closed.