Latest Odisha News

ଆଜି ବିଶ୍ୱ କିଡନୀ ଦିବସ: ଜାଣନ୍ତୁ କିଡନୀ ରୋଗର କାରଣ ଓ ନିରାକରଣ ସମ୍ପର୍କରେ

ଭୁବନେଶ୍ୱର: ଆଜି ବିଶ୍ୱ କିଡନୀ ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ପାଳିତ ହୁଏ । କିଡନୀ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି କିଡନୀ ସ୍ୱାସ୍ଥ୍ୟ ସଂପର୍କରେ ଜାଣିବା, ଚିକିତ୍ସା ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି କରିବା । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।୨୦୦୬ ମସିହାରୁ ଅନ୍ତର୍ଜାତୀୟ କିଡନୀ ସୋସାଇଟି ଓ ଜାତୀୟ କିଡନୀ ସଂସ୍ଥାଙ୍କ ମିଳିତ ଆନୁକୂଲ୍ୟରେ ଏହି ଦିବସ ପାଳନ ହେଉଛି ।

ଏହା ଏକ ବଂଶାନୁଗତ ରୋଗ । ପ୍ରାଥମିକ ପର୍ଯ୍ୟାୟରେ ସାଧାରଣତଃ କିଡନୀ ଖରାପ ହୋଇଥିବା ଜଣାପଡି ନଥାଏ । ସହଜରେ ଏହାର କୌଣସି ଲକ୍ଷଣ ଦେଖାଯାଏନି । ସାଧାରଣତଃ କିଡନୀ ୫୦ ପ୍ରତିଶତ ଖରାପ ହେବା ପରେ ହିଁ ଜଣାପଡିଥାଏ । ସଂକ୍ରମଣ, ମଧୁମେହ, ଉଚ୍ଚ ରକ୍ତଚାପ ଓ କର୍କଟ ରୋଗ କିଡନୀ ରୋଗର କାରଣ ହୋଇଥାଏ । ରକ୍ତ ଓ ପରିସ୍ରା ପରୀକ୍ଷା ଦ୍ୱାରା ରୋଗ ନିରୂପଣ କରାଯାଏ । ରକ୍ତରେ ୟୁରିଆ, କ୍ରିଏଟିନିନ, ପରିସ୍ରାରେ ପ୍ରୋଟିନ ପରୀକ୍ଷା କରାଯାଏ । ମଧୁମେହ, ଉଚ୍ଚ ରକ୍ତଚାପ ଓ ମେଦବହୁଳତାର ଶିକାର ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ । ମାତ୍ରାଧିକ ପେନକିଲର ସେବନ ଦ୍ୱାରା ମଧ୍ୟ କିଡନୀ ପ୍ରଭାବିତ ହୋଇଥାଏ । ମଦ୍ୟପାନ କରୁଥିବା କିମ୍ବା ଧୁମପାନ କରୁଥିବା ବ୍ୟକ୍ତିଙ୍କ କିଡନୀ ମଧ୍ୟ ଖରାପ ହୋଇଥାଏ । ପାଣି କମ ପିଇବା ଦ୍ୱାରା ମଧ୍ୟ ଆମ ଶରୀରରେ କିଡନୀ ଷ୍ଟୋନ ହୋଇଥାଏ । ଏହି ରୋଗୀମାନେ ସତର୍କ ରହିବା ଜରୁରୀ ।

କିଡନୀ ଆଶଙ୍କା ଥିବା ରୋଗୀଙ୍କୁ ବର୍ଷକୁ ଥରେ କିଡନୀ ପରୀକ୍ଷା କରାଇନେବା ଉଚିତ୍ । ଉପଯୁକ୍ତ ଚିକିତ୍ସା ଦ୍ୱାରା କିଡନୀ ରୋଗକୁ ନିୟନ୍ତ୍ରଣ କରାଯାଇପାରେ । କିଡନୀ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ନିୟମିତ ଔଷଧ ସେବନ ସହିତ ସନ୍ତୁଳିତ ଓ ସୁଷମ ଖାଦ୍ୟ ଖାଇବା ଉଚିତ୍ । କିଡନୀ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲେ ଡାଏଲିସିସର ଆବଶ୍ୟକତା ହୋଇଥାଏ । କିଛି କ୍ଷେତ୍ରରେ କିଡନୀ ପ୍ରତିରୋପଣ ମଧ୍ୟ କରାଯାଇଥାଏ ।

Leave A Reply

Your email address will not be published.