Latest Odisha News

BREAKING NEWS

ସ୍ନାନଯାତ୍ରା ଓ ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ପାଇଁ ହେଲା ମକ୍ ଡ୍ରିଲ

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ ମାତ୍ର ଦୁଇ ଦିନ । ଏହା ପରେ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ସେନେଇ ପ୍ରସ୍ତୁତି ଜୋରଦାର କରାଯାଇଛି । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତ ସମାବେଶ ହେବା ଆଶା ଥିବା ନେଇ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।

ଏହି ସମୟ ମଧ୍ୟରେ ପ୍ରବଳ ଖରା ଗୁଳୁଗୁଳି‌ରେ ଯଦି କୌଣସି ଭକ୍ତଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତେବେ ଭିଡ଼ ଭିତରୁ ଅସୁସ୍ଥ ଭକ୍ତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯିବା ସହ ଚିକିତ୍ସା ସେବା ଯୋଗାଇ ଦିଆଯିବ ଏବଂ ମେଡ଼ିକାଲକୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇପାରିବ, ସେନେଇ ଏକ ମକଡ୍ରିଲ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।

ଏହି ମକଡ୍ରିଲରେ ଅଗ୍ନିଶମ ବାହିନୀ, ଏନଡିଆରଏଫ୍, ପୋଲିସ ଏବଂ ସ୍କାଉଟ୍ସ ଏବଂ ଗାଇଡ୍ସ ଭଳି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ ।

ସେହିପରି ଚଳିତ ବର୍ଷ ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମୋବାଇଲ୍ ଆପ ଲଞ୍ଚ କରାଯାଇଛି। ପ୍ଲେ ଷ୍ଟୋରରେ ଶ୍ରୀଜଗନ୍ନାଥ ଧାମ ଆପ ଉପଲବ୍ଧ କରାଯାଇଥିବା ବେଳେ ଭକ୍ତମାନେ ଏହାକୁ ନିଜ ମୋବାଇଲରେ ଡାଉନଲୋଡ଼ କଲେ ଅନେକ ସୂଚନା ପାଇପାରିବେ । ବିଶେଷ କରି ପୁରୀରେ ଟ୍ରାଫିକ ପରିଚାଳନା,ବିଭିନ୍ନ ସ୍ଥାନରେ ଥିବା ପାର୍କିଂ ସୁବିଧା,ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଲିଥିବା ବିଭିନ୍ନ ନୀତିକାନ୍ତି ବିଷୟରେ ଏହି ସୂଚନା ଆପ୍ ମାଧ୍ୟମରେ ପାଇପାରିବେ ।

ସେପଟେ ରଥଯାତ୍ରା ପାଖେଇ ଆସୁଥିବା ବେଳେ ତିନି ରଥର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ସ୍ନାନ ପୂର୍ଣ୍ଣିମାରେ ଉଠିବାକୁ ଥିବା ତିନି ରଥର ଚାରି ନାହାକା ଗତକାଲି ଠାରୁ ଉଠି ସାରିଲାଣି ।

Comments are closed.