ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ଅଷ୍ଟମ ଭାଗ’
“ପିତା ମାତା ଦୁଇ ଯୁଗଳରେ ଯାଇ କଲେ ଅବନୀରେ ଜାତ
ପୂର୍ବକାଳେ ଘୋର ତପସ୍ୟା ପୂର୍ଣ୍ଣରୁ ହୋଇଲା କବି ପଣ୍ଡିତ।”
( ସ୍ତୁତି ଚିନ୍ତାମଣି ବୋଲି ୨୨ )
ଜନନୀ ଉଦର ଗୋପ ମଧୁପୁର ପାଶୋର ନଯାଏ ଚିତ୍ତୁଁ
ମାତୃ ଗର୍ଭଗତେ ପାଠ ପଢ଼ିଥିଲି ଟିକେ ଟିକେ ଅଛି ହେତୁ। ( ବୋଲି ୨୨)
” ଶ୍ରୀଗୁରୁ କୃପାରୁ ମୋର ଗୋ କବିପଣ
ବାଳକ ବୟସ ବୁଦ୍ଧି ମୋ ନାହିଁ ଜ୍ଞାନ ।”
ସେହିପରି କବିଙ୍କର କବିତ୍ୱକୁ ନେଇ ରହସ୍ୟବାଦୀ ଦୃଷ୍ଟିଭଙ୍ଗୀ ନିହିତ ଅଛି ।
” ପିତା ଅଟନ୍ତି ମୋ ଅନାଦି ଠାକୁର ମାତା ଆଦିଶକ୍ତି ନାରୀ
ଯୁଗଳ ଅଙ୍ଗରୁ ଜନମ ଲଭିଛି କବିକୃତ କଳା ଧରି।” (ବୋଲି ୩୦)
ଇଷ୍ଟଙ୍କ କରୁଣା ବିନା ମଧ୍ୟ କବି କର୍ମର ସଫଳତା ନାହିଁ । ସେଥିପାଇଁ ସ୍ତୁତି କରି ଲେଖନ୍ତି :
ଏଥକୁ ଚାହିଁ ବିଚାରି ଦୟାକର ବାଞ୍ଛାଫଳ ପୂର୍ଣ୍ଣ ହେଉ
କବି କୃତ କଳା ଫୁଟି ଅନର୍ଗଳ ଯୁଗେ ଯୁଗେ କୀର୍ତ୍ତି ରହୁ।
ଏତଦବ୍ୟତୀତ ସୃଜନ କର୍ମ କ’ଣ , କାବ୍ୟ କୃତିର ଉପାଦାନ କଣ ଓ ଶବ୍ଦାର୍ଥ ସମ୍ପର୍କିତ ବିସ୍ମିତ ହେବା ଭଳି କାବ୍ୟତତ୍ତ୍ୱ ସେ ଦିଅନ୍ତି। ଯେଉଁଥିରେ ଆଳଙ୍କାରିକତା ଓ ଉପମାତ୍ମକ ପ୍ରୟୋଗର ବିଶେଷତ୍ୱ ମଧ୍ୟ କିଛି କମ ନୁହେଁ।
“ସାର ଅସାର ଦ୍ଵିତୀୟ ପରକାର ବାତ୍ସଲ୍ୟରେ ପଦ ବସୁ
ବରଷା ଋତୁରେ ମହାନଦୀ ପ୍ରାୟେ ପଦ ଅର୍ଥ ବଢ଼ି ଆସୁ।” (ବୋଲି ୩୦)
ଏଇଠି ସେ ଲେଖନ୍ତି କବିତା ଦୁଇ ପ୍ରକାରର ଉପଦାନକୁ ନେଇ ରଚିତ। ଗୋଟିଏ ହେଲା ‘ସାର’ ଅନ୍ୟଟି ‘ଅସାର’।
ଅସାର ଇଙ୍ଗିତ କରେ ପାର୍ଥିବ ବସ୍ତୁ ଓ ଅନୁଭବକୁ ଯାହା ନଶ୍ଵର । ମାତ୍ର ସାର ସୂଚିତ କରେ ଦିବ୍ୟ ଲୋକୋତ୍ତର ଓ ଚିରନ୍ତନ ସତ୍ୟକୁ। ଏ ଦୁଇର ସମ୍ମିଶ୍ରଣରେ କବିତାର ରଚନା। ଯେଉଁଠି ଶରୀର ଓ ଆତ୍ମା ଇନ୍ଦ୍ରିୟ ଓ ଇନ୍ଦ୍ରିୟାତୀତ ଅନୁଭବ , ପାପ, ପୁଣ୍ୟ, ଅନ୍ଧାର , ଆଲୋକ ମର୍ତ୍ତ୍ୟ ଓ ସ୍ଵର୍ଗରେ ସମାହାର ହୁଏ।
ବାତ୍ସଲ୍ୟରେ ପଦ ବସୁ ଏହା ସୂଚିତ କରେ କବି ଓ ପଦ ମଧ୍ୟରେ ଏକ ଅନାବିଳ ସମ୍ପର୍କକୁ। ଯେଉଁଠି କବି ଶବ୍ଦକୁ ପିତୃତ୍ୱ ଦିଏ , ଶବ୍ଦକୁ ବାତ୍ସଲ୍ୟ ଦିଏ ସେଠାରେ କବିର କବିତା ପ୍ରତି ସମ୍ପର୍କ ସହଜେ ଅନୁମେୟ।
କ୍ରମଶଃ
Comments are closed.