Latest Odisha News

BREAKING NEWS

ମୋଦିଙ୍କ ନିର୍ବାଚନ ଭେଟି: ଆର୍ଥିକ ଅନଗ୍ରସର ଉଚ୍ଚ ଜାତିର ୧୦ % ସଂରକ୍ଷଣକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନର ଉଷ୍ମତା କ୍ରମେ ବୃଦ୍ଧି ପାଇ ଚାଲିଥିବାବେଳେ, କେନ୍ଦ୍ରର ମୋଦି ସରକାର ସୋମବାର ଦିନ ଆର୍ଥିକ ଭାବେ ଅନଗ୍ରସର ଉଚ୍ଚ ଜାତି ଲାଗି ବିଭିନ୍ନ ସରକାରୀ ଚାକିରି କ୍ଷେତ୍ରରେ ୧୦% ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଆସନ୍ତାକାଲି ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କ ଲାଗି ୧୦% ସଂରକ୍ଷଣ ନେଇ ସରକାର ଏକ ସାମ୍ବିଧାନିକ ପ୍ରସ୍ତାବ ଆଗତ କରିବେ ।

ଏହି ପ୍ରସ୍ତାବ ସମ୍ପର୍କରେ ଆଜି ଅପରାହ୍ନରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ନିଷ୍ପତ୍ତିରୁ ସୂଚନା ମିଳୁଛି ପୂର୍ବରୁ ଚାକିରି କ୍ଷେତ୍ରରେ ସାଧାରଣ ବର୍ଗର ପ୍ରାର୍ଥିମାନେ କୌଣସି ସୁବିଧା ହାସଲ କରିପାରୁନଥିଲେ । ତେବେ ଏହି ସଂରକ୍ଷଣ ଯୋଗୁଁ ପ୍ରଥମଥର ଲାଗି ଉଚ୍ଚବର୍ଗର ଆର୍ଥିକ ଅନଗ୍ରସର ବ୍ୟକ୍ତିବିଶେଷ ଏହି ସଂରକ୍ଷଣ ବ୍ୟବସ୍ଥାରୁ ଉପକୃତ ହୋଇପାରିବେ ।

ଏହି ୧୦ ପ୍ରତିଶତ ସଂରକ୍ଷଣର ସୁବିଧା ଆର୍ଥିକ ଅନଗ୍ରସର ଏକ ପରିମାପକ ଦ୍ୱାରା ନିର୍ଦ୍ଧାରିତ କରାଯିବ । ଏଥିଲାଗି ବ୍ୟକ୍ତିବିଶେଷଙ୍କ ସମ୍ପତ୍ତିର ମୂଲ୍ୟ ଧାର୍ଯ୍ୟ କରାଯାଇ ଯୋଗ୍ୟତା ନିର୍ଦ୍ଧାରଣ କରାଯିବ ।

ଏହି ଆର୍ଥିକ ପରିମାପର ବର୍ହିଭୂତ ସମ୍ପତ୍ତିର ଅଧିକାରୀ ହୋଇଥିଲେ ଏହି ୧୦% ଆର୍ଥିକ ଅନଗ୍ରସର ସଂରକ୍ଷଣର ଯୋଗ୍ୟତା ଅର୍ଜନ କରିପାରିବେ ନାହିଁ ।

ଏହି ପଦକ୍ଷେପକୁ ଏନଡିଏ ଅଶିଂଦାର ଶିବସେନା ସ୍ୱାଗତ କରିଛି । ଏହି ପରିପ୍ରେକ୍ଷୀରେ ଦଳୀୟ ଏମପି ଅରବିନ୍ଦ ଗଣପତ ସାୱନ୍ତ ସ୍ମୃତିଚାରଣ କରି କହିଛନ୍ତି ଦଳର ପ୍ରତିଷ୍ଠାତା ବାଲାସାହେବ ଠାକରେ ଆର୍ଥିକ ଅନଗ୍ରସରତାକୁ ଭିତ୍ତି କରି ଚାକିରି କ୍ଷେତ୍ରରେ ସଂରକ୍ଷଣ କରିବା ଉଚିତ୍ ମାତ୍ର ଜାତି ଭିତ୍ତିରେ ନୁହେଁ ବୋଲି କହିଥିଲେ ।

ସାମ୍ବିଧାନିକ ବିଶେଷଜ୍ଞ କହିବାନୁଯାୟୀ, ଚଳିତ ଅଧିବେଶନରେ ଏହି ବିଲଟି ସମ୍ବିଧାନ ଅନୁଯାୟୀ ସଂସଦରେ ଗୃହୀତ ହେବା କଷ୍ଟସାଧ୍ୟ ମନେ ହୁଏ । ଅବଶ୍ୟ ଏହି ବିଲଟି ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ଆବଶ୍ୟକ ।

Leave A Reply

Your email address will not be published.