Latest Odisha News

ଅଗ୍ନିପଥର ଲକ୍ଷ୍ୟ ଭାରତୀୟ ସେନାଙ୍କୁ ଯୁବକ କରିବା, ଅଗ୍ନିବୀରଙ୍କୁ ନେଇ କିଛି ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କାରଗିଲ୍ ବିଜୟ ଦିବସକୁ ୨୫ ବର୍ଷ ପୂରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲଦାଖର ଡ୍ରାସ ସେକ୍ଟର ଯାଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାରି ଭିତରେ ଦେଶର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି । ବିଭିନ୍ନ ଆଧୁନିକ ପ୍ରଯୁକ୍ତବିଦ୍ୟାକୁ ନେଇ ସେନା କିପରି ଆହୁରି ଦୃଢ ହୋଇଛି ସେନେଇ ଖୁସି ବ୍ୟକ୍ତ କରିଛନ୍ତି ମୋଦି । ସେନାରେ ଆଧୁନିକ ସଂସ୍କାର ପାଇଁ ସେନାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେ ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ମୁଁ ଭାରତୀୟ ସଶସ୍ତ୍ର ବାହିନୀକୁ ପ୍ରଶଂସା କରୁଛି ।

ଏହା ସହିତ ସେନାରେ ଅଗ୍ନିପଥ ସ୍କିମରେ ଅଗ୍ନିବୀରମାନଙ୍କ ଯୋଗଦାନ ନେଇ ଉଠୁଥିବ ପ୍ରଶ୍ନ ଉପରେ ଆଜି ମୁହଁ ଖୋଲି ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ମୋଦି । ଏନେଇ ମୋଦି କହିଛନ୍ତି, ଯେ ଗତ କିଛି ବର୍ଷ ମଧ୍ୟରେ ଆମର ସୈନ୍ୟବାହିନୀ ଅନେକ ସାହସିକ ନିଷ୍ପତ୍ତି ନେଇଛନ୍ତି। ସେନା ଦ୍ୱାରା କରାଯାଇଥିବା ଆବଶ୍ୟକ ସଂସ୍କାରର ଏକ ବଡ ଉଦାହରଣ ହେଉଛି ଅଗ୍ନିପଥ ସ୍କିମ୍ । ଦଶନ୍ଧି ଧରି ସଂସଦ ଠାରୁ ଆରମ୍ଭ କରି ବିଭିନ୍ନ କମିଟି ପର୍ଯ୍ୟନ୍ତ ସୈନ୍ୟବାହିନୀକୁ ଯୁବକ କରିବା ଉପରେ ଆଲୋଚନା ଚାଲିଛି। ସୈନ୍ୟମାନେ ଫିଟ୍ ଓ ଯୁବ ରହିଲେ ମନରେ ତାଙ୍କର ଜୋଶ୍ ବି ଭରି ରହିବ । ଫଳରେ ସେମାନେ ଶତ୍ରୁଙ୍କୁ ନିହତ କରିବାରେ ବେଶୀ ସଫଳ ହେବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ଭାରତରେ ସୈନିକମାନଙ୍କର ହାରାହାରି ବୟସ, ବିଶ୍ବର ହାରାହାରି ବୟସ ଅନୁଯାୟୀ ଅଧିକ ରହିଛି । ଯାହା ଚିନ୍ତା ଜନକ ବିଷୟ । ଏଥିପାଇଁ ଏ ବିଷୟ ବର୍ଷ ବର୍ଷ ଧରି ସେନା କମିଟିରେ ବି ଆଲୋଚନାର ବିଷୟ ପାଲଟିଛି । ହେଲେ ପ୍ରଥମେ ଏହି ବିଷୟରେ କେହି ଏତେ ଦୃଷ୍ଟି ଦେଇନଥିଲେ । କାରଣ କିଛି ଲୋକଙ୍କ ମାନସିକତା ହିଁ ଏହା ଥିଲା ଯେ କି, ସେନାର ଅର୍ଥ ନେତାମାନଙ୍କୁ ସଲାମ କରିବା, ପରେଡ୍ କରିବା । କିନ୍ତୁ ଆମ ପାଇଁ ସେନା ୧୪୦ କୋଟି ଦେଶବାସୀଙ୍କ ବିଶ୍ବାସ, ୧୪୦ କୋଟି ଦେଶବାସୀଙ୍କ ଶାନ୍ତିର ଗ୍ୟାରେଣ୍ଟି, ଏବଂ ଆମ ପାଇଁ ସେନାର ଅର୍ଥ ଦେଶର ସୀମାନ୍ତ ଅଞ୍ଚଳର ସୁରକ୍ଷାର ଗ୍ୟାରେଣ୍ଟି । ଅଗ୍ନିପଥ ଯୋଜନାର ଆଧାରରେ ଦେଶ ଏହି ସବୁ ମହତ୍ବପୂର୍ଣ୍ଣ ବିଷୟକୁ ସମ୍ବୋଧିତ କରିଛି ।

ଅଗ୍ନିପଥ କେବଳ ଏକ ଯୋଜନା ନୁହେଁ, ଏହାର ଲକ୍ଷ୍ୟ ଭାରତର ସୈନ୍ୟମାନଙ୍କୁ ଯୁବ ବନାଇବା । ଯୁଦ୍ଧ ସମୟରେ ନିରନ୍ତର ଯୋଗଦାନ ବଜାୟ ରଖିବା । ହେଲେ ଏହା ଦୁର୍ଭାଗ୍ୟଜନକ ଯେ, ରାଷ୍ଟ୍ରୀୟ ସୁରକ୍ଷା ସହ ଜଡିତ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ କିଛି ବ୍ୟକ୍ତି ରାଜନୀତିର ପ୍ରସଙ୍ଗ କରିଛନ୍ତି ବୋଲି କହିଛନ୍ତି ମୋଦି । ସେନାର ଏହି ସସ୍କାରରେ କିଛି ଲୋକ ବ୍ୟକ୍ତିଗତ ସ୍ବାର୍ଥ ରଖି ରାଜନୀତି କରୁଛନ୍ତି । ଏମାନେ ସେହି ଲୋକ ଯେଉଁମାନେ ସେନାଙ୍କର ହଜାର କୋଟି ଘୋଟଲା କରି ଖାଇବା ପରେ ସେନାଙ୍କୁ ଦୁର୍ବଳ କରିଦେଇଛନ୍ତି ବୋଲି କହିଛନ୍ତି ମୋଦି ।

Comments are closed.