ନୂଆଦିଲ୍ଲୀ: କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ । କୁଏତ୍ ହାଲା ମୋଦି କାର୍ଯ୍ୟକ୍ରମରେ ଓଡ଼ିଶା କଥା ଉଲ୍ଲେଖ କଲେ ପିଏମ୍ ମୋଦି। ଓଡ଼ିଶାର ଗୁଣଗାନ ମଧ୍ୟ କଲେ। ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ ପ୍ରବାସୀ ଭାରତୀୟଙ୍କୁ ଆମନ୍ତ୍ରଣ କରିଛନ୍ତି।
ହାଲା ମୋଦି (ସ୍ୱାଗତ ମୋଦି)କାର୍ଯ୍ୟକ୍ରମରେ ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି। ଏଥିସହ କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ପ୍ରବାସୀ ଭାରତୀୟଙ୍କୁ ମୋଦି କହିଛନ୍ତି।
ମୋଦି କହିଛନ୍ତି, ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍ ୨୦୨୫ ଜାନୁଆରୀ ଏଥର ଅନେକ ରାଷ୍ଟ୍ରୀୟ ଉତ୍ସବର ମାସ ହେବାକୁ ଯାଉଛି। ୮ ରୁ ୧୦ ଜାନୁଆରୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ। ମୁଁ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରୁଛି। ଏହି ଯାତ୍ରାରେ ଆପଣ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି କହିଛନ୍ତି ମୋଦି। ଏହା ସହିତ ପ୍ରୟାଗରାଜରେ ମହାକୁମ୍ଭ ଓ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ମଧ୍ୟ ସେ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଛନ୍ତି। ଏଥିସହ କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ବୁଲାଇବାକୁ ମଧ୍ୟ କହିଛନ୍ତି ମୋଦି।
Comments are closed.