Latest Odisha News

ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି: ମୋଦି

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ପୁଣି ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ହୋଇଛି । ଏହି ଅବସରରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ମୋଦି ଦେଶବାସୀଙ୍କ ସମେତ କର୍ମୀ, କର୍ମଚାରୀ, ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ‘ମା’ଙ୍କ ଦେହାନ୍ତ ପରେ ଏହା ହେଉଛି ମୋର ପ୍ରଥମ ନିର୍ବାଚନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ତୃତୀୟ ଥର ପାଇଁ ଏନଡିଏ ସରକାର ହେବା ନିଶ୍ଚିତ’ ।

ସେହିପରି ଓଡ଼ିଶାରେ ବିଜେପିର ଐତିହାସିକ ବିଜୟ ନେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ପ୍ରଥମେ ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କଲେ ମୋଦି । କହିଲେ, ପ୍ରଥମ ଥର ପାଇଁ ବିଜେପି ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି । ଲୋକସଭାରେ ମଧ୍ୟ ଦଳ ଅଧିକ ଆସନ ହାତେଇଛି । ପ୍ରଥମ ଥର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ମାଟିରେ ବିଜେପି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି ।

ମୋଦି ଆହୁରି କହିଛନ୍ତି, ଓଡ଼ିଶା ବ୍ୟତୀତ ଦଳ ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ସିକିମ ଭଳି ରାଜ୍ୟରେ ରେକର୍ଡ କରିଛି । ତେଲେଙ୍ଗାନାରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଛି । କେରଳରେ ମଧ୍ୟ ଅନେକ ବର୍ଷ ଧରି କରିଥିବା ସଂଘର୍ଷର ପରିଣାମ ଏବେ ମିଳିଛି । ଅନ୍ୟ ରାଜ୍ୟ ଗୁଡିକରେ ଆମ ଦଳ କ୍ଲିନ ସୁଇପ୍‌ କରିଛି ।

ଶେଷରେ ମୋଦି ଦେଶବାସୀଙ୍କୁ କହିଥିଲେ ଯେ, କେନ୍ଦ୍ର ସରକାର ଆପଣଙ୍କ ବିକାଶ ପାଇଁ ସମସ୍ତ କାର୍ଯ୍ୟ କରିବେ । ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ବିଜୟ। ୧୦ ବର୍ଷ ପୂର୍ବେ ଦେଶ ପରିବର୍ତ୍ତନର ଜନାଦେଶ ଦେଇଥିଲା । ସେହି ଆସ୍ଥା ଓ ବିଶ୍ବାସ ଆଜି ମଧ୍ୟ ବଜାୟ ରହିଛି ବୋଲି ମୋଦି କହିଛନ୍ତି

Comments are closed.