ନୂଆଦିଲ୍ଲୀ: ଗୋଟିଏ ପଟେ ରାଜସ୍ଥାନ ଉଦୟପୁରରେ କଂଗ୍ରେସ ଚିନ୍ତନ ଶିବିର ପାଇଁ ପ୍ରସ୍ତୁତି ଚଳାଇଛି । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ । ଅନ୍ୟପଟେ ବିଜେପି ମଧ୍ୟ ୨୦୨୪ ପାଇଁ ରଣନୀତି ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ଖୁବଶୀଘ୍ର ଏକ ବୈଠକ ବସିବ ଯେଉଁଠି ରୋଡ୍ ମ୍ୟାପ ପ୍ରସ୍ତୁତ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏବେ ବି ବିଭିନ୍ନ ରାଜ୍ୟରେ ନିଜର ସ୍ଥିତି ଜାରି ରଖିଛି। ଦେଶର ବିଭିନ୍ନ ରାଜ୍ୟରେ ବିଜେପିର ପଦ ଚିହ୍ନ ରହିଲେ ମହିଳା ଏବଂ ମୁସଲମାନ ଭୋଟ୍ ବ୍ୟାଙ୍କ କମିଯାଉଥିବା ଦଳ ଅନୁଭବ କରିଛି । ତେଣୁ ଏହି ଭୋଟ୍ ବ୍ୟାଙ୍କ କିପରି ବିଜେପି ସମର୍ଥନରେ ରହିବ ସେ ନେଇ ବିଜେପି ଚିନ୍ତିତ। ବିଜେପି ଆଗାମୀ ମାସରେ ୬ ତାରିଖରୁ ଆରମ୍ଭ କରି ୮ ତାରିଖ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବ ବୋଲି ସୂଚନା ରହିଛି।
୨୦୧୪ରେ ମୋଦୀ କ୍ଷମତାକୁ ଆସିବା ବେଳେ କହିଥିଲେ ସବକା ସାଥ, ସବକା ବିକାଶ । ୨୦୧୯ରେ କ୍ଷମତାକୁ ଆସିବା ପରେ ଏଥିରେ ସବକା ବିଶ୍ୱାସ ନାରା ଯୋଡିଥିଲେ। କିନ୍ତୁ ଦ୍ୱିତୀୟ ପାଳି ସରକାରରେ ସିଏଏ ବିଲ୍ ସଂସଦରେ ପାରିତ କରିବା, କୋଭିଡ ପାଇଁ ଅନେକ ପ୍ରାଣ ହରାଇବା, ଦରଦାମ ବୃଦ୍ଧି ହେବା, ସାରା ଦେଶରେ ବିଜେପି ମୁସଲମାନ ବିରୋଧୀ ଦଳ ବୋଲି ଗୋଟିଏ ବାର୍ତ୍ତା ଯିବା ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି।
ତେଣୁ ଏବେ ବିଜେପି ଯେଉଁ ବୈଠକ କରିବାକୁ ଯାଉଛି ସେଥିରେ ମୁସଲମାନ ନେତା ଏବଂ ପ୍ରମୁଖ ମହିଳା ନେତ୍ରୀଙ୍କୁ ସାମିଲ କରାଇ ଆଗକୁ ବଢିବାକୁ ଯୋଜନା କରୁଛି। ମୁସଲମାନ ମହିଳାଙ୍କ ପାଇଁ ଟ୍ରିପିଲ ତଲାକ, ହଜ ଯାତ୍ରା ପାଇଁ ଖର୍ଚ୍ଚ ବୃଦ୍ଧି ଆଦି ଅନେକ ସଫଳତାକୁ ନେଇ ବିଜେପି ମୁସଲମାନଙ୍କ ପାଖକୁ ଯିବାକୁ ଚାହୁଁଛି। ବିଜେପି ଶାସିତ ରାଜ୍ୟରେ କିପରି ମୁସଲମାନଙ୍କୁ ସରକାରୀ ଲାଭ କିପରି ମିଳୁଛି ଏବଂ ଅଣ ବିଜେପି ଶାସିତ ରାଜ୍ୟ ସରକାରରେ ବିଫଳତା କଣ ରହିଛି ସେସବୁକୁ ନେଇ ବିଜେପି ମୁସଲମାନ ଭୋଟ୍ ହାତେଇବାକୁ ଯୋଜନା କରୁଛି।
ସେହିପରି ଦରଦାମ ବୃଦ୍ଧି ପରେ ହାଣ୍ଡିଶାଳ ଉପରେ ପ୍ରଭାବ ପଡିଛି। ଯାହାକୁ ନେଇ ବିଜେପି ସୋଶିଆଲ ମିଡିଆରେ ସମାଲୋଚନାର ଶିକାର ହେଉଛି। ଦେଶର ଆର୍ଥିକ ସ୍ଥିତି ଖରାପ ଏବଂ ମୁଦ୍ରାସ୍ତ୍ପୀତି ଅଧିକ ଥିବାବେଳେ ମହିଳାଙ୍କୁ କିପରି ମନେଇବ ସେ ନେଇ ବିଜେପି ଯୋଜନା କରୁଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଓଡିଶାର ବିଜେଡି, ତାମିଲନାଡୁ, ପଶ୍ଚିମବଙ୍ଗରେ ସରକାର ଗଢିବା ପଛରେ ମହିଳାଙ୍କର ଗୋଟିଏ ବଡ ଭୂମିକା ରହିଛି। ଅନ୍ୟପଟେ ନିକଟରେ ମୋଦୀ ମଧ୍ୟ ୟୁପି ଏବଂ ଅନ୍ୟାନ୍ୟ ରାଜ୍ୟରେ ବିଜେପିର ବିଜୟ ପଛରେ ମହିଳା ଭୋଟ୍ ବ୍ୟାଙ୍କ ରହିଛି ବୋଲି କହିଥିଲେ।