ଭୁବନେଶ୍ୱର: ଓଡ଼ିଶାରେ ନିଜର ପ୍ରଦର୍ଶନ ଭଲ କରିବାକୁ ଯାଇ ଦକ୍ଷିଣ ଓଡ଼ିଶା ଉପରେ ଚଳିତଥର ଫୋକସ କରିଛି ବିଜେପି। ବିଜେଡିର ଗଡ଼ କୁହାଯାଉଥିବା ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଉପରେ ବିଜେପି ଆଖି ପକାଇଛି। ଯେଉଁଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରତିନିଧିତ୍ବ କରୁଛନ୍ତି। ଯେତେବେଳେ ବିଜେଡି ବିଜେପି ବିରୋଧରେ ଜୋରଦାର ପ୍ରଚାର କରୁଛି ସେହି ସମୟରେ ବିଜେପି ମଧ୍ୟ ଦଳର ପୋଷ୍ଟର ବୟ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କୁ ଆଣି ପ୍ରଚାର କରାଉଛି।
ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ସୋନପୁରରେ ପ୍ରଚାର କରିଥିଲେ। ଏହି ଲୋକସଭା ଆସନ ବଲାଙ୍ଗୀର ଅଧିନରେ ରହିଛି। ଆଉ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ନବୀନ ଚଳିତଥର ବିଧାୟକ ପ୍ରାର୍ଥୀ ହୋଇଛନ୍ତି।
ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ବିଜୟ ସଂକଳ୍ପ ସମାବେଶର ୮ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଦୁଇଟି ଜନସଭାକୁ ସମ୍ବୋଧିତ କରିବେ। ଚଳିତ ମାସ ଓଡ଼ିଶାରେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡ଼ିବ। ଏହା ପୂର୍ବରୁ ମୋଦୀଙ୍କ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଜନସାଧାରଣଙ୍କୁ ବିଜେପି ଗୋଟିଏ ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରୁଛି।
ଉତ୍ତର, ପଶ୍ଚିମ, କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶା ତୁଳନାରେ ଦକ୍ଷିଣରେ ବିଜେପି ସବୁଠୁ ଦୁର୍ବଳ। ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାରୁ ଗଞ୍ଜାମ ଜିଲ୍ଲାରେ ଖାତା ଖୋଲିବା ନେଇ ଦଳ ଆଶାବାଦୀ ରହିଛି।
ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ଗତ ଫେବ୍ରୁଆରି ମାସରେ ବିଜେପିରେ ଯୋଗ ଦେଇଥିଲେ।
ଏହାପରେ ଫେବ୍ରୁଆରି ମାସରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ବ୍ରହ୍ମପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।
୨୦୧୯ରେ ପଶ୍ଚିମ (ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ କଳାହାଣ୍ଡି)ର ୫ଟି ଲୋକସଭା ଆସନ, ଉତ୍ତର (ମୟୂରଭଞ୍ଜ ଓ ବାଲେଶ୍ୱର)ର ୨ଟି ଏବଂ ଉପକୂଳ ଓଡ଼ିଶା (ଭୁବନେଶ୍ୱର)ର ଗୋଟିଏ ଲୋକସଭା ଆସନରେ ଏହି ଦଳ ବିଜୟୀ ହୋଇଥିଲା।
ବ୍ରହ୍ମପୁର ଲୋକସଭା ଆସନ ବ୍ୟତୀତ ଗଞ୍ଜାମର କିଛି ବିଧାନସଭା ଆସନରେ ବିଜେପି ଚଳିତଥର ଜିତିବା ପାଇଁ ଆଶା ରଖିଛି। ବିଜେପି ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗକୁ ଆଗକୁ ଆଣି ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ କଡା ସମାଲୋଚନା କରୁଛି। ଯିଏକି ତାମିଲନାଡ଼ୁର ବାସିନ୍ଦା ଏବଂ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ଷଷ୍ଠ ଥର ପାଇଁ ନିର୍ବାଚନ ଲଢୁଛନ୍ତି। ୨୦୧୯ରେ ଗଞ୍ଜାମ ଜିଲ୍ଲାରେ ବିଜେଡି ୧୨ଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା। ଗତ ୩ଟି ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରେ ମଧ୍ୟ ଶଙ୍ଖ ଦଳ ବିଜୟୀ ହୋଇ ଆସୁଛି। ଗଞ୍ଜାମର ଅନ୍ୟ ଏକ ଲୋକସଭା ନିର୍ବାଚନ ମଣ୍ଡଳୀ ଆସିକା ସଂସଦୀୟ ଆସନରେ ମଧ୍ୟ ବିଜେଡି କ୍ରମାଗତ ଭାବେ ବିଜୟୀ ହେଉଛି।
ରାଜନୈତିକ ବିଶ୍ଳେଷକଙ୍କ ମତରେ ମୋଦୀଙ୍କ ଏହି ଗସ୍ତ ବିଜେଡିକୁ ନିଜ ଗଡ଼ରେ ଗଣିତକୁ ଖରାପ କରିପାରେ। ଗଞ୍ଜାମ ଗୁଜୁରାଟର ସୁରଟକୁ ସଂଯୋଗ ଥିବାରୁ ସେଠାକାର ପ୍ରବାସୀଙ୍କ ଉପରେ ମଧ୍ୟ ମୋଦୀଙ୍କ ପ୍ରଚାରର ପ୍ରଭାବ ପଡ଼ିପାରେ।
ନବରଙ୍ଗପୁରରେ ଦଳର ପ୍ରାର୍ଥୀ ବଳଭଦ୍ର ମାଝୀ ପୂର୍ବତନ ସାଂସଦ ଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ମାଝୀ। ଯିଏକି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୨୧ରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। କଂଗ୍ରେସରୁ ସାଂସଦ ଭାବେ ପୂର୍ବରୁ ବିଜୟୀ ହୋଇଥିଲେ ପ୍ରଦୀପ ମାଝୀ। ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରୁ ମାତ୍ର ୨ଟିରେ ବିଜେପିର ବିଧାୟକ ଅଛନ୍ତି।
ବ୍ରହ୍ମପୁର, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ଆସନ୍ତା ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ରାଜ୍ୟରେ ମତଦାନ ହେବ।
Comments are closed.