Latest Odisha News

BREAKING NEWS

ମୋଦୀ ଜାନୁଆରୀ ୫ ତାରିଖ ବାରିପଦା ଗସ୍ତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨ ସପ୍ତାହ ମଧ୍ୟରେ ୨ୟ ଥର ଲାଗି ଆସନ୍ତା ୫ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ମୟୁରଭଞ୍ଜର ବାରିପଦାଠାରେ ଏକ ର‌୍ୟାଲିରେ ଉଦବୋଧନ ଦେବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ସାଧାରଣତଃ ମୟୁରଭଞ୍ଜ ବିଜେପିର ପାରମ୍ପରିକ ଗଡ଼ ଭାବେ ପୂର୍ବରୁ ସାବ୍ୟସ୍ତ ହୋଇ ଆସିଛି ଏବଂ ବାରିପଦାରୁ ହିଁ ଦଳ ମୋଦୀଙ୍କ ଗସ୍ତରୁ ଅନେକ କିଛି ହାସଲ କରିବାକୁ ଆଶା ରଖିଛି ।

ରାଜନୈତିକ ବିଶାରଦଙ୍କ ମତରେ ମୋଦୀଙ୍କ ଏହି ଗସ୍ତ ଦ୍ୱାରା ଉତ୍ତର ଓଡ଼ିଶାରେ ବିଜେପି ଭୋଟରମାନଙ୍କୁ ଦଳ ଆଡ଼କୁ ଆକୃଷ୍ଟ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିଜେପିର ମଧ୍ୟ ବିଶ୍ୱାସ ରହିଛି ମୋଦିଙ୍କ ଏହି ଗସ୍ତ ଦ୍ୱାରା ପଡ଼ୋଶୀ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର ଭୋଟର ମଧ୍ୟ ପ୍ରଭାବିତ ହେବେ । ତୃଣମୂଳ ଶାସିତ ପଶ୍ଚିମବଙ୍ଗରେ ବିଜେପି ମୁଖ୍ୟ ବିରୋଧି ଦଳଭାବେ ଅବତୀର୍ଣ୍ଣ ହୋଇ ମମତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ କଡ୍ଡା ଦେବାକୁ ଚେଷ୍ଟା କରିବ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବାରିପଦା ଗସ୍ତ ସମୟରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ବିବରଣୀ ପ୍ରସ୍ତୁତ କରାଯାଇଛି । ମୋଦି ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ୩୩୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୦ କିମି ଲମ୍ବ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭୂମି ପୂଜନ କରିବେ ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୨୧୫ ନମ୍ବର ଜାତୀୟ ରାଜପଥର ରିମୁଳି-କୋଇଡ଼ା ଭାଗ (ନୂତନ ୫୨୦ ନଂ ଜାତୀୟ ରାଜପଥ)କୁ ୪ ଲେନ ବିଶିଷ୍ଟ କରିବା, ୨୧୫ ନଂ ଜାତୀୟ ରାଜପଥ(ନୂଆ ୫୨୦ ନଂ ଜାତୀୟ ରାଜପଥ)ର କୋଇଡ଼ା-ରାଜାମୁଣ୍ଡା ଭାଗକୁ ଚାରି ଲେନ ବିଶିଷ୍ଟ କରିବା ଏବଂ ୬ ନଂ ଜାତୀୟ ରାଜପଥ (ନୂତନ ୪୯ ନଂ ଜାତୀୟ ରାଜପଥ)ର ସିଙ୍ଗାରା-ବିଞ୍ଜାବାହାଲ ଭାଗକୁ ୪ ଲେନବିଶିଷ୍ଟ କରାଯିବା । ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୪ଟି ବାଇପାସ, ୩ଟି ଫ୍ଲାଏଓଭର, ୧୧ଟି ବାହନ ଅଣ୍ଡରପାସ, ୧୨ଟି ବୃହତ ସେତୁ, ୫୦ଟି ସାଧାରଣ ସେତୁ ଏବଂ ୩୪ କିମି ସର୍ଭିସ ରୋଡ ରହିଛି ।

ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଆନ୍ତଃରାଜ୍ୟ ସଡ଼କ ଯୋଗାଯୋଗରେ ସୁଧାର ଆସିପାରିବ ଏବଂ ରାଜ୍ୟର ଅନ୍ୟ ଅଂଶ ତଥା ବନ୍ଦରଗୁଡ଼ିକ ସହିତ ଖଣିଜସମୃଦ୍ଧ ଜିଲ୍ଲାଗୁଡ଼ିକର ସଂଯୋଗ ସ୍ଥାପନ ହୋଇପାରିବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହିତ ଯାନବାହନ ଯାତାୟାତରେ ହେଉଥିବା ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.