Latest Odisha News

BREAKING NEWS

ହ୍ବାଇଟ୍‌ ହାଉସରେ ମୋଦି, ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ଗୁରୁତ୍ବପୂର୍ଣ୍ଣ ଦୁଇ ଦିନିଆ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଆଜି ୱାସିଂଟନ୍‌ରେ ଭବ୍ୟ ସ୍ବାଗତ କରାଯାଇଛି। ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଏହା ପ୍ରଥମ ଗସ୍ତ। ତେବେ ମୋଦି ଆମେରିକାରେ ପହଞ୍ଚିବାପରେ ପ୍ରଥମେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଥିବା ତୁଳସୀ ଗବାର୍ଡଙ୍କୁ ଭେଟିଥିଲେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦିଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଟ୍ରେଡଠୁ ନେଇ ଆତଙ୍କବାଦ ଦମନ ଯାଏ ବହୁ ବଡ ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ନେତା ସେମାନଙ୍କର ଦୃଢ଼ ସମ୍ପର୍କକୁ ପ୍ରଶଂସା କରିଛନ୍ତି। ଦୃଢ଼ ସମ୍ପର୍କ ଏବଂ ବାଣିଜ୍ୟ ଚୁକ୍ତି ପାଇଁ ଆଶା ପ୍ରକାଶ କରାଯାଇଛି। କାରଣ ଡୋନାଲ୍ଡ ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ଯୋଜନା ଉପରେ ଚିନ୍ତା ମଧ୍ୟରେ ଏହି ବୈଠକ ହୋଇଛି। ଯାହା ଭାରତକୁ କଠିନ ଭାବରେ ପ୍ରଭାବିତ କରିପାରେ। ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି।

ଭାରତ-ଆମେରିକା ସମ୍ପର୍କ ଆହୁରି ଦୃଢ ପାଇଁ ଆହ୍ୱାନ ଦିଆଯାଇଛି। ହ୍ବାଇଟ୍ ହାଉସରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପ ତାଙ୍କ ନେତୃତ୍ବରେ ଭାରତ ଓ ଆମେରିକା ସମ୍ପର୍କକୁ ଜୀବନ୍ତ କରିଛନ୍ତି। ଯେଉଁ ଉତ୍ସାହରେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଆମ ଏକାଠୀ କାମ କରିଥିଲୁ ସେହି ଧାରାରେ ଆଜି ବି କାମ କରିବୁ। ଭାରତ ଓ ଆମେରିକାର ବନ୍ଧୁତା ଏକ ଉତ୍ତମ ବିଶ୍ବକୁ ସୁରକ୍ଷିତ କରିପାରିବ। ଭାରତ-ଆମେରିକା ସମ୍ପର୍କ ଅତୁଟ। ଭାରତର ସ୍ବାର୍ଥ ପ୍ରଥମେ, ତାପରେ ଯାହା ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ ମୋଦି।

ଆମେରିକାବାସୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୋଟୋ (ମେଡ୍ ଆମେରିକା ଗ୍ରେଟ୍ ଏଗେନ୍)କୁ ପୁରଣ କରିବା ଦିଗରେ ଆଗେଇ ଆସିଛନ୍ତି। ଭାରତବାସୀ ମଧ୍ୟରେ ବିରାସତ ଓ ବିକାଶ ରାସ୍ତାରେ ବିକଶିତ ଭାରତ ୨୦୪୭ ଦୃଢ ସଂକଳ୍ପକୁ ନେଇ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ଆମେରିକା ଭାଷାରେ କହିବାକୁ ଗଲେ ବିକଶିତ ଭାରତର ଅର୍ଥ (ମେଡ୍ ଇଣ୍ଡିଆ ଗ୍ରେଟ୍ ଏଗେନ୍)।

ଅନ୍ୟପଟେ ମୋଦିଙ୍କୁ ଗ୍ରେଟ୍ ଲିଡର କହିଲେ ଟ୍ରମ୍ପ। ଆଲୋଚନାରେ ସ୍ଥାନ ପାଇଲା ରୁଷ-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ। ବର୍ତ୍ତମାନ ଯୁଗ ଯୁଦ୍ଧର ସମୟ ନୁହଁ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ। ଭାରତ ସାରା ବିଶ୍ବରେ ଶାନ୍ତି କାମନା କରେ ବୋଲି କହିଲେ ମୋଦି। ସେହିପରି ଏହି ପ୍ରସଙ୍ଗକୁ ନେଇ ଟ୍ରମ୍ପ କହିଲେ, ଯୁଦ୍ଧ ସମାପ୍ତ କରିବା ଲାଗି ଆଗକୁ ବଢୁଛୁ। ବାଣିଜ୍ୟ ଶୁଳ୍କ ପ୍ରସଙ୍ଗରେ ବି ଟ୍ରମ୍ପ-ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଛି। ୨୦୩୦ ସୁଦ୍ଧା ଆମେରିକା-ଭାରତ ବାଣିଜ୍ୟ କାରବାର ଦୁଇଗୁଣା କରିବାକୁ ଲକ୍ଷ୍ୟ ରହିଛି। ଦୁହିଁଙ୍କ ମଧ୍ୟରେ ଆଲୋଚନା ଉପରେ ସାରା ବିଶ୍ବର ନଜର ରହିଛି।

ବେଆଇନ ଇମିଗ୍ରେସନ ସମ୍ପର୍କରେ ୱାଶିଂଟନରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, ବେଆଇନ ଭାବେ ରହୁଥିଲେ ନେବାକୁ ପ୍ରସ୍ତୁତ। ବେଆଇନ ଭାବେ ରହୁଥିଲେ ଆଇନଗତ କୌଣସି ଅଧିକାର ନାହିଁ। ସେମାନଙ୍କୁ ବଡ ବଡ ସ୍ବପ୍ନ ଦେଖାଇ ସେଠାକୁ ନିଆଯାଇଛି। ଏ ଦିଗରେ ଭାରତ ଓ ଆମେରିକା ମିଳିତ ଭାବେ ପ୍ରୟାସ କରିବା ଉଚିତ୍। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ। ଭାରତ ସମଗ୍ର ବିଶ୍ବର ଶାନ୍ତି କାମନା କରେ।

 

Comments are closed.