Latest Odisha News

ଦେଶରେ ବିରୋଧୀଙ୍କ ସମାଲୋଚନା, ସାରା ବିଶ୍ବରେ କିନ୍ତୁ ରେଟିଂରେ ଏକ ନମ୍ବର ମୋଦୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲଙ୍କଠାରୁ ଆରମ୍ଭ କରି ପାଖାପାଖି ୨୦ ବିରୋଧୀ ଦଳ ବିଭିନ୍ନ କଥା କହି ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଛନ୍ତି ସେହି ସମୟରେ ଆମେରିକାର ଏକ ସଂସ୍ଥାର ସର୍ଭେ ଦର୍ଶାଇଛି ମୋଦୀ ସାରା ବିଶ୍ବରେ କେତେ ଲୋକପ୍ରିୟ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ମୋଦୀଙ୍କ ଠାରୁ ଢେର ପଛରେ ରହିଛନ୍ତି ଏହି ରେଟିଂ ଅନୁସାରେ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜଣ ବିଶ୍ୱ ନେତାଙ୍କୁ ପଛରେ ପକାଇ ଗ୍ଲୋବାଲ ଲିଡର ଆପ୍ରୁଭାଲ ମୂଲ୍ୟାୟନରେ ଶୀର୍ଷରେ ରହିଛନ୍ତି। ଜଣେ ରାଜନେତା ଭାବରେ ବିଶ୍ୱ ନେତାଙ୍କ ମଧ୍ୟରେ ସବୁଠାରୁ ଭଲ କାମ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଧିକ ଲୋକ ପସନ୍ଦ କରିଛନ୍ତି। ତାଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ତୃତୀୟ ସ୍ଥାନରେ ଅଛନ୍ତି। ମାର୍ଚ୍ଚର ଶେଷ ସପ୍ତାହରେ ଏହି ମୂଲ୍ୟାୟନ ହୋଇଛି।

ମାର୍ଚ୍ଚ ୨୨ ରୁ ୨୮ ମଧ୍ୟରେ ଏହି ମୂଲ୍ୟାୟନ ହୋଇଥିଲା। ମୋଦୀଙ୍କୁ ବିଶ୍ୱର ୭୬% ଶ୍ରେଷ୍ଠ ରାଜନେତା ଭାବେ ରେଟିଂ ଦେଇଛନ୍ତି। ୧୦୦ ପ୍ରତିଶତ ଲୋକଙ୍କ ମଧ୍ୟରୁ ୫ ପ୍ରତିଶତ ଲୋକ ତାଙ୍କ ବିଷୟରେ କୌଣସି ମତ ପ୍ରକାଶ କରି ନ ଥିବାବେଳେ ୧୯ ପ୍ରତିଶତ ଲୋକ ତାଙ୍କୁ ନାପସନ୍ଦ କରିଛନ୍ତି।

ଅନ୍ୟପକ୍ଷରେ, ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋରଙ୍କୁ ଜଣେ ଭଲ ରାଜନେତା ଭାବରେ ୬୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ତିନି ନମ୍ବରରେ ୫୫ ପ୍ରତିଶତ ଲୋକ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଙ୍କୁ ଜଣେ ଭଲ ରାଜନେତା ଭାବରେ ପ୍ରଶଂସା କରିଥିବାବେଳେ ୧୨ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ତାଙ୍କ ବିଷୟରେ କିଛି ଜାଣନ୍ତି ନାହିଁ। ୩୨ ପ୍ରତିଶତ ଲୋକ ତାଙ୍କୁ ଜଣେ ଭଲ ନେତା ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି।

ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପରି ଲୋକପ୍ରିୟ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି। ଜୋ ବାଇଡେନ ୪୧% ପସନ୍ଦ ସହିତ ରେଟିଂରେ ୬ ନମ୍ବରରେ ଥିବାବେଳେ ଜଷ୍ଟିନ ଟ୍ରୁଡୋ ୩୯% ସହ ସାତ ନମ୍ବର ସ୍ଥାନରେ ଅଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ୩୪ ପ୍ରତିଶତ ସହ ୧୦ ନମ୍ବରରେ ଅଛନ୍ତି।

ମାର୍ଚ୍ଚ ୨୨-୨୮ରୁ ସଂଗୃହିତ ତଥ୍ୟ ଉପରେ ଏହି ରେଟିଂ ବା ମୂଲ୍ୟାୟନ ଆଧାରିତ। ଏହି ନମୁନା ଦେଶର ବିଭିନ୍ନ ଲୋକଙ୍କ ମତାମତକୁ ନେଇ ହୋଇଛି ବୋଲି ସୂଚନା ରହିଛି।

ୱାଶିଂଟନ୍‌ର ଅନଲାଇନ୍ ସର୍ଭେ ଏବଂ ଅନୁସନ୍ଧାନକାରୀ କମ୍ପାନୀ ମର୍ଣ୍ଣିଂ କନସଲଟ ପଲିଟିକାଲ୍ ଇଣ୍ଟେଲିଜେନ୍ସ ଏହି ମୂଲ୍ୟାୟନ ପ୍ରକାଶ କରିଛି। ବର୍ତ୍ତମାନ ଏହି କମ୍ପାନୀ ବିଭିନ୍ନ ଦେଶର ସରକାରର ନେତାଙ୍କ ଭାବମୂର୍ତ୍ତି ଉପରେ ସର୍ଭେ କରାଇଥାଏ।

ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲଜିୟମ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଆୟର୍ଲାଣ୍ଡ, ଇଟାଲୀ, ଜାପାନ, ମେକ୍ସିକୋ, ନେଦରଲ୍ୟାଣ୍ଡ, ନରୱେ, ପୋଲାଣ୍ଡ, ସ୍ପେନ୍, ସ୍ୱିଡେନ, ସ୍ୱିଜରଲ୍ୟାଣ୍ଡ, ବ୍ରିଟେନ ଏବଂ ଆମେରିକା ଆଦି ଦେଶରେ ଏହି ମୂଲ୍ୟାୟନ ହୋଇଛି।

Comments are closed.