Latest Odisha News

‘ନାଇଡୁ ଓ ନୀତୀଶଙ୍କୁ ମୋଦୀଙ୍କ ଡର, ସୁପ୍ରିମକୋର୍ଟ ଉପରେ ମଧ୍ୟ ସନ୍ଦେହ’

ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ AIMIM ନେତା ତଥା ପୂର୍ବତନ ସାଂସଦ ଇମ୍ତିଆଜ ଜଲିଲ ଲୋକସଭାରେ ପାସ ହୋଇଥିବା ଓ୍ୱାକଫ୍‌ ସଂଶୋଧନ ବିଲ୍‌ ଉପରେ ମିଡ଼ିଆ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୟରେ ଚନ୍ଦ୍ରବାବୁ ନାୟଡୁ ଓ ନୀତୀଶ କୁମାର ଏହି ବିଲ୍‌କୁ ସମର୍ଥନ କରିଛନ୍ତି। ଜଲିଲ ଆହୁରି କହିଛନ୍ତି, ଆଗାମୀ ଚାରି ମାସରେ ଅନେକ ଜାଗାରେ ନିର୍ବାଚନ ହେବ। ଏହି ନେତାମାନେ ଏବେ କେଉଁ ମୁହଁ ନେଇ ଜନତା ଆଗକୁ ଯିବେ, ତାହା ଦେଖିବାର ଅଛି।

ଏନସିପି ନେତା ଅଜିତ ପୱାରଙ୍କୁ ଆକ୍ରମଣ କରି ଜଲିଲ କହିଛନ୍ତି, “ଅଜିତ ପୱାର କହୁଛନ୍ତି ମୁସଲମାନଙ୍କୁ କିଛି ହେବାକୁ ଦେବି ନାହିଁ, କିନ୍ତୁ ସେ ମଧ୍ୟ ମୋଦୀଙ୍କ କୋଳରେ ବସି ପଡ଼ିଛନ୍ତି।” ସେ ଘୋଷଣା କରିଛନ୍ତି ଯେ ଏହି ବିଲ୍‌ ବିରୋଧରେ ଏକ ଲଢ଼େଇ ରାସ୍ତାରେ ଓ ଅନ୍ୟଟି ସୁପ୍ରିମକୋର୍ଟରେ ଲଢ଼ାଯିବ। କିନ୍ତୁ ସେ ସନ୍ଦେହ ପ୍ରକାଶ କରି କହିଛନ୍ତି, “ସୁପ୍ରିମକୋର୍ଟଠାରୁ ବି ଆମର ବେଶି ଆଶା ନାହିଁ। ଅନେକ ବିଚାରପତି ମୋଦୀଙ୍କ ସମୟରେ ଅବସର ପରେ ରାଜ୍ୟସଭା କିମ୍ବା କମିଶନ ଅଧ୍ୟକ୍ଷ ପଦ ପାଇବାର ଆଶାରେ ଅଛନ୍ତି। ଏପରି ଲୋକଙ୍କଠାରୁ ଆଶା ରଖିବା ଠିକ୍‌ ନୁହେଁ। ଯଦି କୌଣସି ଇମାନଦାର ବିଚାରପତି ଥାଆନ୍ତି, ତାହେଲେ ଭଲ ନିଷ୍ପତ୍ତିର ସମ୍ଭାବନା ରହିଛି।”

ଜଲିଲ ଅଭିଯୋଗ କରିଛନ୍ତି ଯେ ଓ୍ୱାକଫ୍‌ ବୋର୍ଡରେ ମୁସଲମାନଙ୍କ ଜମି ରହିଛି। ଏହି ଜମି ମୁସଲମାନମାନେ କିପରି ଫେରି ପାଇବେ, ତା’ ପାଇଁ କିଛି ନିୟମ ଆବଶ୍ୟକ ଥିଲା। କିନ୍ତୁ ନୂଆ ଓ୍ୱାକଫ ବିଲ୍‌ରେ ଏପରି କୌଣସି ବ୍ୟବସ୍ଥା ନାହିଁ। ପୂର୍ବରୁ ଓ୍ୱାକଫ୍ ଜମି ବିକ୍ରି କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉଥିଲା, କିନ୍ତୁ କେନ୍ଦ୍ର ସରକାର ଏହି ନିୟମକୁ ମଧ୍ୟ ହଟାଇ ଦେଇଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ ଏହା ମୁସଲମାନଙ୍କ ଅଧିକାର ଉପରେ ଆଘାତ ନୁହେଁ କି?

ବୁଧବାର ଲୋକସଭାରେ ଓ୍ୱାକଫ୍‌ ସଂଶୋଧନ ବିଲ୍‌ ଉପସ୍ଥାପନ କରାଯାଇ ପାସ ହୋଇଛି। ଗୁରୁବାର ଏହା ରାଜ୍ୟସଭାରେ ଆଗତ ହୋଇଛି ଓ ଏହା ଉପରେ ଆଲୋଚନା ଚାଲିଛି। ବିରୋଧୀ ଦଳଗୁଡ଼ିକ ଏହାର ବିରୋଧ କରି ଏହାକୁ ମୁସଲମାନ ବିରୋଧୀ ବୋଲି କହିଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକର ଅଭିଯୋଗ, ଏହି ବିଲ୍‌ ମାଧ୍ୟମରେ ହିନ୍ଦୁ ଓ ମୁସଲମାନଙ୍କୁ ଭାଗ କରିବାର ଷଡ଼ଯନ୍ତ୍ର ଚାଲିଛି।

Comments are closed.