Latest Odisha News

BREAKING NEWS

ପୁଣି ମୋଦିଙ୍କ ପୁରୁଣା ଅନ୍ଦାଜ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ସମସ୍ତଙ୍କର ନଜର ଥିଲା ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଉପରେ । ଦୁର୍ବଳ ବିଜେପି ଓ ମେଣ୍ଟ ସରକାରର ମୁଖିଆ ଭାବେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣ କିପରି ରହିବ, ତାକୁ ନେଇ ଥିଲା ଉତ୍କଣ୍ଠା । ପରିବର୍ତ୍ତିତ ରାଜନୈତିକ ସମୀକରଣ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ନେଇ ସୃଷ୍ଟି ହୋଇଥିଲା ଉତ୍ସୁକତା ।

ଉତ୍ସାହ ଓ ଆକ୍ରମଣାତ୍ମକ ଆଭିମୁଖ୍ୟ

ଦୀର୍ଘ ୧୦୦ ମିନିଟର ଭାଷଣରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ ମୋଦି । ମହିଳା ସୁରକ୍ଷା ଓ ଯୁବକଙ୍କୁ ରୋଜଗାର ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସ୍ଥାନ ପାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଉଭୟ ଉତ୍ସାହ ଓ ଆକ୍ରମଣାତ୍ମକ ମନୋଭାବ ଥିଲା । ମୋଦିଙ୍କ ଠାରେ ପୂର୍ବର ଉତ୍ସାହ ଅଭାବ ଓ ଆକ୍ରମଣାତ୍ମକ ମନୋଭାବରେ ପରିବର୍ତ୍ତନ ହୋଇଛି ବୋଲି ମତ ପ୍ରକାଶ ପାଇଥିଲା । ସ୍ୱାଧୀନତା ଦିବସ ଭାଷଣରେ ମୋଦିଙ୍କ ପୁରୁଣା ଅନ୍ଦାଜ ଦେଖିବାକୁ ମିଳିଛି ବୋଲି ରାଜନୀତି ବିଶେଷଜ୍ଞ କହିଛନ୍ତି ।

ଏକ ମେଣ୍ଟ ସରକାରର ନେତୃତ୍ୱ ନେଉଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗ କଥା ଉଠାଇଥିଲେ । ବିଜେପି ସରକାରର ସଫଳତା ସଂପର୍କରେ କହିବା ସହ ବିରୋଧୀ ଦଳକୁ କିଛି ପ୍ରସଙ୍ଗରେ ପରୋକ୍ଷ ତାତ୍ସଲ୍ୟ କରିଥିଲେ । ଭାରତର ପଡୋଶୀ ଦେଶମାନଙ୍କୁ ମଧ୍ୟ ନିଜ ଭାଷଣ ଜରିଆରେ ବାର୍ତ୍ତା ଦେଇଥିଲେ ପ୍ରଧାନମନ୍ତ୍ରୀ । ଭାରତର ବିକାଶ ପଡୋଶୀ ଦେଶମାନଙ୍କ ପାଇଁ ବିପଦ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

‘ସିକ୍ୟୁଲାର ସିଭିଲ କୋଡ୍‌’ ନେଇ ଚର୍ଚ୍ଚା

ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ସିକ୍ୟୁଲାର ସିଭିଲ କୋଡ୍–ଏସସିସି ନେଇ ଚର୍ଚ୍ଚା ।
ସମାନ ନାଗରିକ ସଂହିତା–ୟୁସିସି ଏକ ପ୍ରକାର ସାଂପ୍ରଦାୟିକ ନାଗରିକ ସଂହିତା ୟୁସିସି ପରିବର୍ତ୍ତେ ସିକ୍ୟୁଲାର ସିଭିଲ କୋଡ୍–ଏସସିସି ଲାଗୁ କରିବା ପାଇଁ ବିତର୍କ ଉପରେ ଜୋର୍ ଦେଇଥିଲେ ପ୍ରଧାନମନ୍ତ୍ରୀ ।
ଏସସିସି ପାଇଁ ବିତର୍କର ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ବିଜେପିର ପୁରୁଣା ଏଜେଣ୍ଡାକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛନ୍ତି ।
ପ୍ରଧାନମନ୍ତ୍ରୀ କେବଳ ୟୁସିସି ଶବ୍ଦ ପରିବର୍ତ୍ତେ ଏସସିସି ବ୍ୟବହାର କରିଛନ୍ତି ବୋଲି କିଛି ବିଶେଷଜ୍ଞଙ୍କ ମତ ।
ପ୍ରଧାନମନ୍ତ୍ରୀଙ୍କ ନୂଆ ସିକ୍ୟୁଲାର ସିଭିଲ କୋଡ୍ର ପ୍ରସ୍ତାବ ଦେଶରେ ନୂଆ ବିତର୍କ ସୃଷ୍ଟି କରିପାରେ ।

କଂଗ୍ରେସକୁ ପରୋକ୍ଷ ଆକ୍ରମଣ

ସ୍ୱାଧୀନତା ଦିବସ ଭାଷଣରେ ମୋଦି କହିଛନ୍ତି ଯେ, ଭାରତର ବିକାଶ ହେବା କିଛି ଲୋକ ଚାହାନ୍ତି ନାହିଁ । ନକାରାତ୍ମକ ମନୋଭାବ ରଖି ଦେଶରେ ଅସନ୍ତୁଳନ ସୃଷ୍ଟି କରିବା ପାଇଁ କିଛି ଲୋକ ଚାହାନ୍ତି । ଲୋକେ ଏହା ବୁଝିବା ଦରକାର । ଏପରି କହି କଂଗ୍ରେସ ଓ ରାହୁଲ ଗାନ୍ଧୀକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରିୟାପ୍ରୀତି ତୋଷଣ ଓ ଜାତିବାଦ ଭାରତୀୟ ସମାଜର କ୍ଷତି କରୁଛି । ଏଭଳି ରାଜନୀତିରୁ ଦେଶକୁ ମୁକ୍ତ ରଖିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କଂଗ୍ରେସର ସମ୍ବିଧାନ ବଂଚାଅ ରାଜନୀତିର ଜବାବ ମୋଦି ସ୍ୱାଧୀନତା ଭାଷଣ ଜରିଆରେ ଦେଇଛନ୍ତି ବୋଲି କିଛି ମତ ଦେଇଛନ୍ତି ।

Comments are closed.