Latest Odisha News

BREAKING NEWS

‘ରକ୍ତ ନୁହେଁ, ମୋ ଶିରାରେ ଗରମ ସିନ୍ଦୂର ବହୁଛି’: ବିକନେରରୁ ପାକିସ୍ତାନକୁ ମୋଦିଙ୍କ କଡା ଚେତାବନୀ

ବିକନେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେର ମାଟିରୁ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି। ଆଜି ବିକନେରର ଏକ ସାଧାରଣ ସଭାକୁ ସମ୍ବୋଧିତ କରି, ମୋ ଶିରାରେ ରକ୍ତ ନୁହେଁ ବରଂ ଗରମ ସିନ୍ଦୁର ବୋହୁଛି ବୋଲି କହିଛନ୍ତି ମୋଦି । ଏଥିସହିତ ପାକିସ୍ତାନ ଖୋଲା ସନ୍ଦେଶ ଦେଇ କହିଛନ୍ତି, ଏବେ ପାକିସ୍ତାନ ସହିତ ନା ବାଣିଜ୍ୟ ହେବ ନା ଆଲୋଚନା ହେବ, ଯଦି ହେବ ଖାଲି ପିଓକେ ନେଇ କଥା ହେବପ । ଆଉ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ମୂଲ୍ୟ ପାକିସ୍ତାନକୁ ଦେବାକୁ ପଡିବ ବୋଲି ଚେତେଇ ଦେଇଛନ୍ତି ମୋଦି ।

ଆଜି ରାଜସ୍ଥାନ ବିକନେରରେ ଏକ ରାଲିକୁ ସମ୍ବୋଧିତ କରି ପହଲଗାମ ଆକ୍ରମଣ ପରେ ଭାରତୀୟ ସେନାର ଅପରେସନ ସିନ୍ଦୂର ଉପରେ ନିଜର ଭାଷଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ୨୨ ଏପ୍ରିଲରେ ଆମର ଭଉଣୀମାନଙ୍କୁ ସେମାନଙ୍କ ଧର୍ମ ପଚାରିବା ପରେ ସେମାନଙ୍କ ସିନ୍ଦୂର କାଢ଼ି ଦିଆଯାଇଥିଲା। ୧୪୦ କୋଟି ଦେଶବାସୀ ଆତଙ୍କବାଦକୁ ମୂଳପୋଛ କରିବାର ସଂକଳ୍ପ ନେଇଥିଲେ। ଆମ ସରକାର ତିନୋଟି ଶକ୍ତିକୁ ସ୍ୱାଧୀନତା ଦେଇଥିଲା। ତିନି ବାହିନୀ ମିଶି ପାକିସ୍ତାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ।

ଏଥିସହିତ ପୁଣି ପାକିସ୍ତାନକୁ ଭାରତର ୩ କଡା ଚେତାବନୀ ଶୁଣାଇଛନ୍ତି ମୋଦି । କହିଛନ୍ତି, ପରମାଣୁ ବୋମାର ଧମକ କାମ କରିବ ନାହିଁ। ଆମେ ଆତଙ୍କର ମାଲିକ ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କୁ ପୃଥକ ଭାବରେ ଦେଖିବୁ ନାହିଁ। ପାକିସ୍ତାନର ପ୍ରକୃତ ଚେହେରା ସାରା ବିଶ୍ୱକୁ ଦେଖାଯିବ। ପାକିସ୍ତାନ କେବେବି ଭାରତ ବିରୁଦ୍ଧରେ ସିଧାସଳଖ ଯୁଦ୍ଧ ଜିତିପାରିବ ନାହିଁ। ସେ ଯେତେବେଳେ ଲଢ଼ିଥିଲେ, ସବୁବେଳେ ପରାଜୟର ସମ୍ମୁଖୀନ ହେଉଥିଲେ। ସ୍ୱାଧୀନତା ପରେ ଦଶନ୍ଧି ଧରି ଏହା ଚାଲିଲା… ପାକିସ୍ତାନ ଆତଙ୍କବାଦ ବିସ୍ତାର କଲା, ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କଲା ଏବଂ ଆତଙ୍କର ପରିବେଶ ସୃଷ୍ଟି କଲା.. କିନ୍ତୁ, ପାକିସ୍ତାନ ଗୋଟିଏ କଥା ଭୁଲିଗଲା, ଏବେ ଭାରତ ମାତାର ସେବକ ମୋଦି ଏଠାରେ ଗର୍ବର ସହିତ ଠିଆ ହୋଇଛନ୍ତି। ମୋଦିର ମନ ଥଣ୍ଡା, କିନ୍ତୁ ତା ରକ୍ତ ଗରମ। ମୋଦିର ଶିରାପ୍ରଶିରାରେ ରକ୍ତ ନୁହେଁ, ବରଂ ଗରମ ସିନ୍ଦୂର ପ୍ରବାହିତ ହେଉଛି। ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ମୂଲ୍ୟ ପାକିସ୍ତାନକୁ ଦେବାକୁ ପଡିବ।

ସେ ଆହୁରି କହିଛନ୍ତି, ୨୨ ତାରିଖରେ ହୋଇଥିବା ଆକ୍ରମଣର ଜବାବରେ, ଭାରତୀୟ ସେନା ୨୨ ମିନିଟ୍ ମଧ୍ୟରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ସିନ୍ଦୁର ବାରୁଦରେ ପରିଣତ ହେଲେ କ’ଣ ହୁଏ ତାହା ସମସ୍ତେ ଦେଖିଲେ। ମୁଁ ମୋର ଦେଶବାସୀଙ୍କୁ କହିବାକୁ ଚାହୁଁଛି ଯେ ଯେଉଁମାନେ ସିନ୍ଦୁର ପୋଛିବାକୁ ବାହାରିଥିଲେ, ସେମାନେ ଧୂଳିରେ ମିଶି ଯାଇଛନ୍ତି। ଭାରତରେ ପଡ଼ିଥିବା ପ୍ରତ୍ୟେକ ରକ୍ତ ଟୋପା ପ୍ରତିଶୋଧ ନିଆଯାଇଛି। ଯେଉଁମାନେ ନିଜ ଅସ୍ତ୍ରଶସ୍ତ୍ର ଉପରେ ଗର୍ବ କରୁଥିଲେ, ସେମାନେ ଆଜି ଭଗ୍ନାବଶେଷ ଗଦା ତଳେ ପୋତି ହୋଇଯାଇଛନ୍ତି। ଏହା ନ୍ୟାୟର ଏକ ନୂତନ ରୂପ। ଏହା କେବଳ କ୍ରୋଧ ନୁହେଁ ବରଂ ସମଗ୍ର ଭାରତର କ୍ରୋଧିତ ଚେହେରା। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଆହୁରି କହିଥିଲେ ଯେ ପ୍ରଥମେ ସେମାନେ ଘରେ ପ୍ରବେଶ କରି ଆକ୍ରମଣ କରିଥିଲେ ଏବଂ ଏବେ ସେମାନେ ସିଧାସଳଖ ଛାତିରେ ଆକ୍ରମଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ ଏବେ ପାକିସ୍ତାନ ସହିତ ନା ବାଣିଜ୍ୟ ହେବ ନା କଥାବାର୍ତ୍ତା ହେବ। ଏବେ କେବଳ ପିଓକେ ଉପରେ ଆଲୋଚନା ହେବ। ପାକିସ୍ତାନକୁ ଭାରତର ନ୍ୟାଯ୍ୟ ପାଣି ମିଳିବ ନାହିଁ। ଭାରତର ରକ୍ତ ସହିତ ଖେଳିବା ପାଇଁ ପାକିସ୍ତାନକୁ ମୂଲ୍ୟ ଦେବାକୁ ପଡିବ ବୋଲି ଆଜି ପୁଣି ଥରେ କଡା ବାର୍ତ୍ତା ଦେଇଛନ୍ତି ମୋଦି ।

Comments are closed.