ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ପୂର୍ବ ଆକଳନ ଅନୁଯାୟୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ପରାଜିତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ ଏବଂ ସିକ୍କିମରୁ ଯଶୱନ୍ତ ସିହ୍ନାଙ୍କୁ ଗୋଟିଏ ବି ଭୋଟ୍ ମିଳିନି । ଅର୍ଥାତ୍ ଏହି ରାଜ୍ୟରେ ଶାସକ ଓ ବିରୋଧୀ ଏକ ହୋଇ ଓଡିଆ ଝିଅକୁ ସମର୍ଥନ କରିଛନ୍ତି ।
ସେହିପରି ଓଡିଶାର ୧୪୭ ବିଧାୟକଙ୍କ ମଧ୍ୟରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭୋଟ୍ ଦେଇନଥିଲେ । ତେଣୁ ୧୪୬ ଭୋଟ୍ ମଧ୍ୟରୁ ଦ୍ରୌପଦୀଙ୍କ ସମର୍ଥନରେ ୧୩୭ ଭୋଟ୍ ପଡିଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ୯ଟି ଭୋଟ୍ ମିଳିଛି ।
ରାଜ୍ୟରେ ଶାସକ ଦଳ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୨ ରହିଥିବା ବେଳେ ବିଜେପି ବିଧାୟକଙ୍କ ସଂଖ୍ୟା ରହିଛି ୨୨ । ସେହିପରି ନିକଟରେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ରହିଛନ୍ତି । କଂଗ୍ରେସରୁ ମହମ୍ମଦ ମୋକିମ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିବାରୁ ମୋଟ୍ ୧୩୭ ଖଣ୍ଡ ଭୋଟ୍ ମିଳିଛି ରାଇରଙ୍ଗପୁରର ଝିଅକୁ ।
ସୋମବାର ଭୋଟିଂ ପରେ କିନ୍ତୁ ବିଜେପି ବିଧାୟକ ମୋହନ ମାଝୀ କହିଥିଲେ କଂଗ୍ରେସରୁ ମୋକିମଙ୍କ ବ୍ୟତୀତ ଆଉ ଜଣେ ବିଧାୟକ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ଯାହାର ଜବାବରେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟ ବିଜେପିର କିଛି ବିଧାୟକ ମଧ୍ୟ ଭୋଟ୍ ଦେଇଛନ୍ତି ଯଶୱନ୍ତ ସିହ୍ନାଙ୍କୁ । ଉଭୟ କହିଥିଲେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସବୁ ଜଣାପଡିବ ।
କିନ୍ତୁ ରିପୋର୍ଟ ଅନୁଯାୟୀ ଯଶୱନ୍ତ ସିହ୍ନାଙ୍କୁ କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ୮ ଏବଂ ସିପିଆଇଏମର ଜଣେ ବିଧାୟକ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିଛନ୍ତି ।
ଅର୍ଥାତ୍ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମୋକିମଙ୍କୁ ଛାଡିଦେଲେ ଆଉ କେହି କ୍ରସ ଭୋଟିଂରେ ସାମିଲ ହୋଇନାହାନ୍ତି । ସେହିପରି ବିଜେପିର ସମସ୍ତ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି । କିନ୍ତୁ ଉଭୟ ତାରା ବାହିନୀପତି ଏବଂ ମୋହନ ମାଝୀ ଯେଉଁ ଦାବି କରିଥିଲେ ତାହାର କୌଣସି ସତ୍ୟତା ନାହିଁ । ମିଡିଆ ଆଗରେ ଡାହା ମିଛ ବୋଲି ପ୍ରମାଣିତ ହୋଇଛି ।
Comments are closed.