ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଗତକାଲି ହୋଇଥିବା ଝଡ଼ବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତ୍ତନକୁ ନିର୍ଦ୍ଦେଶ କରେ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି । ଗତକାଲି ଏହି ଝଡବାତ୍ୟା ଅପରାହ୍ନ ୨ଟା ସମୟରେ ଆରମ୍ଭ ହୋଇ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଚାଲିଥିଲା ଓ ସହରର ଅନେକ ଅଂଚଳ କଳାର୍ଣ୍ଣବ ହୋଇଥିଲା ।
ଡକ୍ଟର ସାହୁ କହିଥିଲେ ଯେ, ସିଇସିରେ ଉପଲବ୍ଧ ଓବଜର୍ଭେଟରୀରେ ଏହି ସାଢେ ପାଞ୍ଚ ଘଣ୍ଟା ସମୟ ମଧ୍ୟରେ ୨୫୧.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା । ଅନ୍ୟ ଅଞ୍ଚଳରେ ଏହାଠାରୁ ଅଧିକ ବର୍ଷା ହୋଇ ଥାଇପାରେ ବୋଲି ସେ କହିଥିଲେ ।
ଯଦିଓ ପୂର୍ବରୁ ଭୁବନେଶ୍ୱର ସହରରେ ଏକା ସଙ୍ଗେ ଏହାଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ରହିଛି ଏହା ୨୪ ଘଣ୍ଟା ବା ତା’ଠାରୁ ଅଧିକ ସମୟରେ ରେକର୍ଡ କରାଯାଇଥିଲା । ୧୯୬୯ ଜୁଲାଇ ୩୦ରେ ସହରରେ ୨୮୨.୩ ମିଲିମିଟର ବର୍ଷା ହୋଇଥିବା ବେଳେ ୧୯୭୧ ଜୁନ୍ ୨୨ରେ ୨୭୭.୮ ମିଲିମିଟର ଓ ୧୯୯୭ ଅଗଷ୍ଟ ୨୦ରେ ୨୫୪.୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ରହିଛି ମାତ୍ର ଏହା ଅଧିକ ସମୟରେ ହୋଇଥିଲା ବୋଲି ସେ କହିଥିଲେ ।
୧୯୯୯ ଅକ୍ଟୋବର ୩୦ ଦିନ ମହାବାତ୍ୟା ପ୍ରବାହିତ ହେଉଥିବା ସମୟରେ ଭୁବନେଶ୍ୱରରେ ରେକର୍ଡ ୪୨୬.୪ ମିଲିମିଟର ବର୍ଷା ହୋଇଥିଲା ।
ଡକ୍ଟର ସାହୁ କହିଥିଲେ ଯେ ଆଜି ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ରାତିରେ ବାଂଲାଦେଶ ମଧ୍ୟରେ ପ୍ରବେଶ କରିବ ଓ ପରବର୍ତ୍ତୀ ସମୟରେ ଏହା ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଆଡକୁ ଗତି କରିବାର ସମ୍ଭାବନା ଅଛି ।
ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ମୟୂରଭଞ୍ଜ, କେନ୍ଦୁଝର , ବାଲେଶ୍ୱର, ଭଦ୍ରକ , ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ, ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଅଗଷ୍ଟ ୨ ଓ ୪ ମଧ୍ୟରେ ଦେଓଗଡ, ଅନୁଗୁଳ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର ସୋନପୁର, ,ବୌଦ୍ଧ, ବଲାଙ୍ଗୀର , ନୂଆପଡା ଓ କଳାହାଣ୍ଡି ଜିଲ୍ଲା ଗୁଡିକରେ ମଧ୍ୟ ଭୀଷଣ ବର୍ଷା ହୋଇପାରେ ।
ଏହି ବର୍ଷା ଆସନ୍ତା ତିନିଦିନ ଧରି ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡ ଏବଂ ମହାନଦୀର ଉଭୟ ଉପର ଓ ତଳ ମୁଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡକ୍ଟର ସାହୁ କହିଛନ୍ତି । ଏହା ଛଡା ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ଉପର ମୁଣ୍ଡରେ ବର୍ଷାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି ।
Comments are closed.