Latest Odisha News

BREAKING NEWS

ମଉଳିଲା ଚାଷୀଙ୍କ ଆଶା, ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ । ଜୁନ୍ 10 ପରେ ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଜୁନ୍ 1 ସୁଦ୍ଧା କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବା ପରେ ଓଡ଼ିଶା ଛୁଇଁବା ପାଇଁ ପ୍ରାୟ 10 ଦିନ ସମୟ ଲାଗିଥାଏ । ତେଣୁ ଜୁନ୍ 1 ସୁଦ୍ଧା ମୌସୁମୀ କେରଳରେ ପହଞ୍ଚିଲେ ଜୁନ୍ 10 ସୁଦ୍ଧା ଓଡ଼ିଶା ଛୁଇଁବା କଥା। କିନ୍ତୁ ଆଉ ଯଦି ବିଳମ୍ବ ହୁଏ ତେବେ ରାଜ୍ୟରେ ମୌସୁମୀ ଛୁଇଁବାକୁ ଅଧିକ ସମୟ ଲାଗିପାରେ ।

ନିକଟରେ ପାଣିପାଗ ବିଭାଗ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରୁ ଏଥର ମୌସୁମୀ ଆଗୁଆ କେରଳ ଛୁଇଁବ ବୋଲି କୁହାଯାଇଥିଲା। ତେଣୁ  ମେ’ 27 ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଯାହାକୁ ନେଇ ଚାଷୀ କୂଳ ମଧ୍ୟ ବେଶ ଖୁସି ହୋଇଥିଲେ । ଅନ୍ୟପଟେ ଚଳିତ ବର୍ଷ ଅସହ୍ୟ ତାତିରୁ ମଧ୍ୟ ଖୁବଶୀଘ୍ର ଆଶ୍ୱସ୍ତି ମିଳିବ ବୋଲି ଆଶା ରହିଥିଲା।

ଏବେ କିନ୍ତୁ ଭାରତୀୟ ପାଣିପାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମୌସୁମୀ ଆସିବା ନେଇ କୌଣସି ପୂର୍ବାନୁମାନ କରି ନାହୁଁ ପାଣିପାଗ ବିଭାଗର ସୂଚନା ଅନୁୟାୟୀ ମୌସୁମୀ ଆଣ୍ଡାମାନ ଛୁଇଁ ସାରିଛି ଏବଂ ଏହା ଦକ୍ଷିଣ ପଶ୍ଚିମ ଦିଗରେ ଆରବ ସାଗର ଆଡ଼କୁ ଗତି କରିବ।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା, ମୌସୁମୀ କେରଳରେ ପହଞ୍ଚିବା ପାଇଁ ସ୍ଥିତି ସେତେବେଳେ ଅନୁକୂଳ ହେବ, ଯେତେବେଳେ ପବନରେ ସ୍ଥିରତା ଓ ଶକ୍ତି ଆସିବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପଶ୍ଚିମ ଆରବ ସାଗରର କିଛି ଅଂଶରେ ଅଗ୍ରସର ହେବାର ସମ୍ଭାବନା ରହିଛି, ଦକ୍ଷିଣ-ପୂର୍ବ ଆରବ ସାଗରର ଆଉ କିଛି ଅଂଶ, ମାଳଦ୍ୱୀପ ଓ କୋମୋରିନ ଅଞ୍ଚଳ, ଆସନ୍ତା 48 ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳରେ ବର୍ଷା ହେବ।

Comments are closed.