ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସଦ୍ୟତମ ସୂଚନା ଅନୁଯାୟୀ, ମୌସୁମୀ ଏବେ ଓଡ଼ିଶାର ଆହୁରି ଅନେକ ଜିଲ୍ଲାକୁ ଅଗ୍ରସର ହୋଇ ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ଛୁଇଁ ସାରିଛି।
ଦୀର୍ଘ ଦିନର ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀ ବର୍ଷା ଯୋଗୁଁ ରାଜ୍ୟବାସୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ଏବଂ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରାରେ ମଧ୍ୟ ବ୍ୟାପକ ହ୍ରାସ ଘଟିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ମୁତାବକ, ଉପକୂଳ ଜିଲ୍ଲାଗୁଡ଼ିକ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ମୌସୁମୀ ବ୍ୟାପିସାରିଛି। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଏହା ରାଜ୍ୟର ଅବଶିଷ୍ଟ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ଛୁଇଁବାର ଅନୁକୂଳ ପରିବେଶ ରହିଛି।
ମୌସୁମୀ ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ଏବଂ ମଧ୍ୟମ ଧରଣର ବର୍ଷା ଏବଂ ଘଡ଼ଘଡ଼ି ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି।
ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଭଳି ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି। ସେହିପରି ଅନ୍ୟ କେତେକ ଜିଲ୍ଲାରେ ବର୍ଷା ସହିତ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଦିଆଯାଇଛି।
