Latest Odisha News

୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ୬ରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଆଜି ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମ କେନ୍ଦ୍ରୀୟ ଓ ‌ଉତ୍ତର ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଓଡ଼ିଶା ସମେତ ଉତ୍ତର ଛତିଶଗଡ଼ ଏବଂ କିଛି ରାଜ୍ୟରେ ପାଗ ଅନୁକୂଳ ରହିଛି। ଆଜି ସୁଦ୍ଧା କର୍ଣ୍ଣାଟକ, ରୟାଲସୀମା, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର କେତେକ ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ନେଇ ଅନୁମାନ କରାଯାଇଛି । ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶାକୁ ପ୍ରବେଶ କରିଥାଏ। ତେବେ ଆଇଏମ୍‌ଡି ଆକଳନ ଅନୁଯଆୟୀ, ଧାର୍ଯ୍ୟ ସମୟର ଦୁଇ ଦିନ ଆଗରୁ ଓଡ଼ିଶାରେ ‌ମୌସୁମୀ ପ୍ରବେଶ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତା ୪ରୁ ୫ ଦିନ ଅର୍ଥାତ୍‌ ଜୁନ୍‌ ୮ ତାରିଖ ମଧ୍ୟରେ ମୌସୁମୀ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ୫ ଓ ୬ ତାରିଖ ବେଳକୁ ରାଜ୍ୟରେ ବର୍ଷା ହେବ। ଦକ୍ଷିଣ ଓଡିଶା ଓ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେବ।

ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ୬ ତାରିଖରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ଦିନ ତାପମାତ୍ରା ୪୨ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।

Comments are closed.