Latest Odisha News

BREAKING NEWS

‘ଜେଜେ, ମୁଁ ଆଉ ବାପା ମିଶି ମା’ ପାଖକୁ ଯାଉଛୁ …’ନଦୀକୁ ଡେଇଁବା ପୂର୍ବରୁ ଏ ଥିଲା କୁନି ଝିଅର ଶେଷ କଥା

ଭଦ୍ରକ: କୁନି ଝିଅଟି ମା’କୁ ଝୁରୁଥିଲା । ମାସେ ତଳେ  ମା’ ତାକୁ ଛାଡି ସବୁଦିନ ପାଇଁ ଚାଲି ଯାଇଥିଲା ଆର ପାରିକୁ । ହେଲେ ସେ ଆର ପାରି ଯେ ଅଫେରା ରାଇଜ କୁନି ଝିଅଟି ବା କାହିଁକି ଜାଣିବ ? ବାପା କହିଲେ ଚାଲ ମା’ ପାଖକୁ ଯିବା । ଝିଅଟି କେତେ ଖୁସି ହୋଇ ଯାଇଥିବ ସତରେ ! ମା’ ପାଖକୁ ଯିବ ବୋଲି ବାପା ସହ ରାତି ୯ଟାରେ ବାହାରି ପଡିଥିବ । ବାଟରେ ଖୁସି ହୋଇ ଜେଜେ ବାପାଙ୍କୁ ଫୋନ କରି କହୁଥିଲା କୁନିଝିଅ-‘ଜେଜେ, ମୁଁ ଆଉ ବାପା ମା’ ପାଖକୁ ଯାଉଛୁ  ।’ ହେଲେ ଝିଅ ଜାଣି ନ ଥିଲା ସେ କୁଆଡେ ଯାଉଛି…  । ସକାଳୁ ସକାଳୁ ବୈତରଣୀ ନଦୀ ଗର୍ଭରୁ ଖୋଜା ଚାଲିଛି ବାପା ଆଉ ଏଇ କୁନିଝିଅକୁ ।

ଆମେ କହୁଛୁ ଭଦ୍ରକ ଜିଲ୍ଲା ବାଲି ପୋଖରୀ ପଞ୍ଚାୟତ  ପରମାନନ୍ଦ ପୁର ଗ୍ରାମର ଚନ୍ଦନ ସାହୁଙ୍କ କଥା ଯିଏ ଗତକାଲି ରାତି ୯ଟାରେ ନିଜ ଅଢେଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀ ଗର୍ଭକୁ ଡେଇ ପଡିଥିଲେ । ଏବେ ବି ବୈତରଣୀ ନଦୀ ଗର୍ଭରୁ ବାପା-ଝିଅଙ୍କୁ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ । ଏବେ ବି ମନରେ ଆଶା ଅଛି..କାଳେ କେଉଁଠି ଥିବେ । ଫେରି ଆସିବେ । ଆଶ..ଆଶଙ୍କା ଭିତରେ ପରିବାର ଲାେକ ଚାହିଁ ରହିଛନ୍ତି ନଦୀ କୂଳରେ । ଏସବୁ ଭିତରେ ସାମ୍ନାକୁ ଆସିଛି ଚନ୍ଦନଙ୍କ ଶେଷ ଅଡିଓ କଲର ରେକର୍ଡିଂ । ଚନ୍ଦନଙ୍କର ଶେଷ କଥା ଆଉ କୁନି ଝିଅର ବାପାଙ୍କୁ ଗୁଲୁଗୁଲୁ ସ୍ୱରରେ ଶାସନ..ଶୁଣିଲେ ଆଖି ଓଦା ହୋଇଯିବ ।

ମୃତ୍ୟୁ ପୂର୍ବରୁ ଚନ୍ଦନ ତାଙ୍କ ପିଉସୀଙ୍କୁ ଶେଷ ଫୋନ କରିଥିଲେ । ତାଙ୍କୁ କହିଥିଲେ ସେ କୁନି ଝିଅକୁ ନେଇ ବହୁତ ଦୂରକୁ ପଳାଇ ଯାଉଛନ୍ତି । ନଦୀକୁ ଡେଇଁ ପଡିବେ । ପିଉସୀ ବହୁତ ବୁଝାଉଛନ୍ତି । କୁନି ଝିଅର ଭବିଷ୍ୟତ କଥା କହୁଛନ୍ତି । ଏପରି ଚରମ ପଦକ୍ଷେପ ନ ନେବା ପାଇଁ ନେହୁରା ହେଉଛନ୍ତି । ବାପା-ପିଉସୀଙ୍କ ଫୋନ କଥା ଶୁଣି ବାପାକୁ ଝିଅ ଶାସନ କରୁଛି । ଗାଡି ଚଲାଇବା ବେଳେ ବାପା ଫୋନରେ କଥା ହେଉଛ କାହିଁକି ? କହି ଆକଟ କରୁଛି । ହେଲେ ଝିଅ ଜାଣିନି ଆଉ କିଛି ସମୟ ପରେ ତା ଜୀବନରେ କ’ଣ ଘଟିବାକୁ ଯାଉଛି ।

ଫୋନ କାଟିବାର କିଛି ସମୟ ପରେ ଚନ୍ଦନଙ୍କ ମୋବାଇଲ ସୁଇଜ ଅଫ ହୋଇଗଲା । ଆଉ ତା ପରେ ପରେ ଖବର ଆସିଲା ଝିଅକୁ ଧରି ଚନ୍ଦନ ଭଦ୍ରକ ଆଖୁଆପଦା ନିକଟ ବୈତରଣୀ ନଦୀକୁ ଡେଇଁ  ପଡିଛନ୍ତି । ରାତି ଅନ୍ଧାର ଆଉ ଭରା ପାଣି ଯୋଗୁ ଗତକାଲି ଖୋଜିବା ସମ୍ଭବ ହୋଇ ନ ଥିଲା । ଆଜି ସକାଳୁ ସକାଳୁ ଉଭୟଙ୍କୁ ଖୋଜା ଚାଲିିଛି ।

ଚନ୍ଦନ ୪ ବର୍ଷ ତଳେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ଚନ୍ଦନ ସୁରତର ଏକ ସୂତା ମିଲରେ କାମ କରୁଥିଲେ । ବିବାହ ପରେ ସ୍ୱାମୀ-ସ୍ତ୍ରୀ ସେଠାରେ ରହୁଥିଲେ । ପାରିବାରିକ ଅଶାନ୍ତି କାରଣରୁ ପତ୍ନୀ ସୁରତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସେବେଠାରୁ ମାନସିକ ଚାପରେ ଥିଲେ ଚନ୍ଦନ । ଅଢେଇ ବର୍ଷର ଝିଅ ସହ ଘରକୁ ଫେରିଥିଲେ ମଧ୍ୟ ତାଙ୍କ ମନ ଭଲ ଲାଗୁନଥିବା କହିଥିଲେ । ପତ୍ନୀଙ୍କ ପାଖକୁ ପଳାଇବେ ବୋଲି ଘର ଲୋକ ଓ ସମ୍ପର୍କୀୟଙ୍କୁ କହୁଥିଲେ । ଆଉ ଗତକାଲି ରାତିରେ ଅଢେଇ ବର୍ଷର ଝିଅ ତାଙ୍କ ଜେଜେଙ୍କୁ ଫୋନ୍ କରିଥିଲେ । ବାପା ଓ ସେ ମା’ଙ୍କ ପାଖକୁ ଯାଉଛନ୍ତି ବୋଲି କହିଥିଲେ । ଏହା ପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା ।

Leave A Reply

Your email address will not be published.