କଟକ: ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟପାଇଁ ନିଲମ୍ବିତ ହୋଇଥିବା ବିଧାୟକଙ୍କୁ ବଡ ଆହ୍ୱାନ ଦେଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଗୋଟିଏ ପ୍ଲାଟଫର୍ମରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ସେ ।
ଝିଅ ସୋଫିଆକୁ କଂଗ୍ରେସ ଦଳ ଅଣଦେଖା କରୁଥିଲା । ବିଶେଷ କରି ମୋତେ ବହିସ୍କାର ପରେ ତାକୁ ଅଣଦେଖା କରାଯାଉଥିବା ବୋଲି ଅନୁଭବ ହେଉଥିଲା । କଟକରେ କାହାକୁ ଦଳରେ ମିଶାଇଲେ ବି ଜଣାଉନଥିଲେ,ଏପରିକି ଦଳର ମହିଳା କାର୍ଯ୍ୟକ୍ରମକୁ ମଧ୍ୟ ତାକୁ ଡାକୁନଥିଲେ ବୋଲି କହିଛନ୍ତି ମୋକିମ । ଯଦି ତାଙ୍କୁ ଦଳ ବହିଷ୍କାର କରେ ତେବେ ସେ ଓଡିଶା ଜନତା କଂଗ୍ରେସ ପାଇଁ କାମ କରିବେ ବୋଲି ମୋକିମ କହିଛନ୍ତି ।
ସୂଚନା ଥାଉକି, ଦଳୀୟ ହ୍ୱିପ୍ ଲକ୍ଷ୍ମଣରେଖା ଡେଇଁବାରୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ ଆଣ୍ଟି ଡିଫେକ୍ସନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଏବଂ ଗୃହରେ ସିଟ୍ ପରିବର୍ତ୍ତନ ପାଇଁ ଚିଠିରେ ଉଲ୍ଲେଖ ରହିଛି ।