Latest Odisha News

BREAKING NEWS

ଆଉ ୫ ମୁଣ୍ଡ ନେଲା କରୋନା, ନୂଆପଡ଼ାରୁ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ହୁ ହୁ ହୋଇ ମାଡ଼ି ଚାଲିଛି କରୋନା । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ୪ ହଜାର ୮୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ଜୀବନ ନେଇଛି ମହାମାରୀ । କଟକରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୂଆପଡ଼ାରୁ ୨ ଜଣ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୯୫୮କୁ ବୃଦ୍ଧି ପାଇଛି ।

କଟକ ଜିଲ୍ଲାରେ ଏଯାବତ୍ ୩୧ ହଜାର ୬୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯ ହଜାର ୮୦୦ ଜଣ କୋଭିଡକୁ ମାତ୍ ଦେଇଛନ୍ତି । ଜିଲ୍ଲାରେ ଏବେ ୧୬୭୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ଗତ ୨୪ ଘଣ୍ଟାରେ ଗୋଟିଏ କୋଭିଡ୍ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୧୪୩ରେ ପହଞ୍ଚିଛି । ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୭୮ ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୩୬୨କୁ ବୃଦ୍ଧି ପାଇଛି । ୧୪ ହଜାର ୬୨୨ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ୬୪୬ଟି ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ଜିଲ୍ଲାରେ ୯୧ ଜଣଙ୍କ ପ୍ରାଣ ନେଇଛି କରୋନା ।

ନୂଆପଡ଼ା ଜିଲ୍ଲାରେ କୋଭିଡ୍ ମାମଲା ବେଶ୍ ଚିନ୍ତାଜନକ ରହିଛି । ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୪୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ସଂକ୍ରମଣ ମାମଲା ୧୧ ହଜାର ୪୯୧ରେ ପହଞ୍ଚିଛି । ୯ ହଜାର ୫୨୬ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ୧୯୩୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ୬୨୮ରେ ପହଞ୍ଚିଥିବା ବେଳେ ୧୭ ହଜାର ୫୫୨ ଜଣ ସୁସ୍ତ ହୋଇଛନ୍ତି । ଏବେ ଜିଲ୍ଲାରେ ୪ ହଜାର ୮୯୪ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୭୮ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.