Latest Odisha News

BREAKING NEWS

ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ଘଟଣା, ଆହୁରି ଅନେକ ଗିରଫ ହୋଇପାରନ୍ତି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ନକଲି ସାର୍ଟିଫିକେଟ୍ ରାକେଟ୍ ଠାବ ଘଟଣା, ଆହୁରି ଅନେକ ଏହି ମାମଲାରେ ଗିରଫ ହୋଇପାରନ୍ତି ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି। କ୍ରାଇମବ୍ରାଞ୍ଚର ଏକ ୧୦ ଜଣିଆ ଟିମ୍ ବର୍ତ୍ତମାନ ବଲାଙ୍ଗୀରରେ ତଦନ୍ତ ଚଳାଇଛି। ବଲାଙ୍ଗୀର ପୋଲିସର ବରିଷ୍ଠ ଅଧିକାରୀ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।

ଅଧିକାରୀ ଜଣକ ପ୍ରକାଶ କରିଛନ୍ତି ଯେ ଏକ ଟିମ୍ ଓଡ଼ିଶା ବାହାରେ ମଧ୍ୟ ସ୍ୱତନ୍ତ୍ର ତଦନ୍ତ କରିପାରନ୍ତି। ତେବେ ତଦନ୍ତ ଜାରି ରହିଥିବାରୁ ଏହି ପ୍ରସଙ୍ଗରେ ଅଧିକ ମନ୍ତବ୍ୟ ଦେବା ବର୍ତ୍ତମାନର ସ୍ଥିତିରେ ଅନୁଚିତ ହେବ ବୋଲି ଗୁରୁତ୍ୱାରୋପ ଦେଇଥିଲେ। ବଲାଙ୍ଗୀର ଏସପି ପୂର୍ବରୁ ଦାବି କରିଥିଲେ ଯେ ଏହି ରାକେଟର ତଦନ୍ତ ବେଳେ ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ତଳ ସ୍ତରର, ଆହୁରି ଅନେକ ଏହି ରାକେଟରେ ସାମିଲ ରହିଛନ୍ତି। କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

ବଲାଙ୍ଗୀରରେ ପୋଷ୍ଟାଲ ଚାକିରିକୁ ସୁରକ୍ଷିତ କରିବା ପାଇଁ ଆଶାୟୀମାନେ କିଭଳି ଜାଲ୍ ସାର୍ଟିଫିକେଟ୍ ଦେଇଥିଲେ ସେ ସମ୍ପର୍କରେ ମିଡିଆରେ ପ୍ରଥମେ ଖବର ପ୍ରକାଶ ପାଇଥିଲା। ଗତ ମାର୍ଚ୍ଚ ୨୭ ତାରିଖରେ ‘ରିଲାଏନ୍ସ ଏଜୁକେସନ ଇନଷ୍ଟିଚ୍ୟୁଟ’ କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ରଙ୍କ ସମେତ ୧୮ ଜଣଙ୍କୁ ଗିରଫ କରିଥିଲା ପୋଲିସ।

ଚଢ଼ାଉ ବେଳେ ବଲାଙ୍ଗୀର ପୁଲିସ ୪୧ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ନାଁରେ ହଜାରେରୁ ଅଧିକ ନକଲି ସାର୍ଟିଫିକେଟ୍ ଠାବ କରିଛି। ବିଭିନ୍ନ ସରକାରୀ ଅଧିକାରୀ ଏବଂ ବିଶ୍ବବିଦ୍ୟାଳୟର ନକଲି ସିଲ୍, ଡାଏରୀ, ରବର ଷ୍ଟାମ୍ପ, ମୋବାଇଲ୍ ଫୋନ୍, ବ୍ୟାଙ୍କ୍ ଆକାଉଣ୍ଟ୍, ଜମି କାଗଜପତ୍ର ଆଦି ଜବତ କରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ନିକଟରୁ ନଗଦ ୩.୬୭ ଲକ୍ଷ ଟଙ୍କା ଜବତ କରାଯାଇଛି।

Leave A Reply

Your email address will not be published.