Latest Odisha News

କେସିଆର ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଠୁ ଅଧିକ ବିପଜ୍ଜନକ: ସଞ୍ଜୟ କୁମାର

ହାଇଦ୍ରାବାଦ: ତେଲେଙ୍ଗାନାର ଶାସକ ଦଳ ଟିଆରଏସ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ରାଜ୍ୟ ବିଜେପି ସଭାପତି  ସଞ୍ଜୟ କୁମାରଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ନିକଟରେ ହତ୍ୟାର ଶିକାର ହୋଇଥିବା ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ସହ ତୁଳନା କରିଛନ୍ତି।

ସେ କହିଛନ୍ତି ଯେ କେସିଆର ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଅପେକ୍ଷା ଅଧିକ ବିପଜ୍ଜନକ। ସେ ସମସ୍ତ ଗ୍ୟାଙ୍ଗଷ୍ଟରଠୁ ଅଧିକ ବିପଜ୍ଜନକ।ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବିଜେପି ନେତା ଅଭିଯୋଗ କରିଛନ୍ତି ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତାଙ୍କ କ୍ଷମତାର ଅପବ୍ୟବହାର କରୁଛନ୍ତି।

ସଞ୍ଜୟ କୁମାର କହିଛନ୍ତି, ଲୋକଙ୍କ ସମ୍ପତ୍ତି ଦଖଲ କରିବା ପାଇଁ କେସିଆର ତାଙ୍କ ଶକ୍ତି ବ୍ୟବହାର କରୁଛନ୍ତି। ଯେପରି ଅତିକ ଲୋକଙ୍କ ସମ୍ପତ୍ତି ଜବତ କରୁଥିଲା। ସେହିପରି କେସିଆର ଜବତ କରୁଛନ୍ତି। ରାଜ୍ୟ ବିଜେପି ସଭାପତି ଆହୁରି କହିଛନ୍ତି ଯେ ତାଙ୍କ ଦଳ ବେରୋଜଗାର ଯୁବକମାନଙ୍କ ପାଇଁ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବ।

ମୁଖ୍ୟମନ୍ତ୍ରୀ ଯେତେ ଶକ୍ତିଶାଳୀ ହେଉନ୍ତୁନା କାହିଁକି ଆମେ ଲଢେଇ ଜାରି ରଖିବୁ। ଏଥିସହ ସେ ତେଲେଙ୍ଗାନା ସରକାରଙ୍କୁ ଟିଏସପିଏସସି ପରୀକ୍ଷାର ୩୦ ଲକ୍ଷ ପ୍ରାର୍ଥୀଙ୍କ ଭବିଷ୍ୟତକୁ ବିପଦରେ ପକାଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଟିଏସପିଏସସି ପରୀକ୍ଷାରେ ଉପସ୍ଥିତ ଯୁବକମାନେ କ୍ଷତିପୂରଣ ନ ପାଇବେ ସେ ପର୍ଯ୍ୟନ୍ତ ସେମାନେ ସଂଗ୍ରାମ ଜାରି ରଖିବେ। ବିଜେପି ନେତାଙ୍କ କହିବାନୁସାରେ, ଅନେକ ଅଭିଭାବକ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ଋଣ ନେଇଥିଲେ।

ବିଜେପି ନେତା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ପ୍ରତିବର୍ଷ ଚାକିରି କ୍ୟାଲେଣ୍ଡର ସାର୍ବଜନୀନ କରିବେ। ଯେଉଁଥିରେ ଖାଲିଥିବା ପଦବୀ ପୂରଣ କରାଯିବ। ଟିଏସପିଏସସି ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ ଦାବି କରି ବିଜେପି ନେତା ସଞ୍ଜୟ କୁମାର କହିଛନ୍ତି ଯେ ଜେଲ ଯିବା ତାଙ୍କ ପାଇଁ ନୂଆ କଥା ନୁହେଁ। ସେ କହିଛନ୍ତି ଯେ ମୋର ଲକ୍ଷ୍ୟ ହେଉଛି ଏହି ଦଳକୁ ଶାସନରୁ ହଟାଇବା। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୋଲିସ ମୋତେ କେଉଁଠିକୁ ନେଉଛି ମୁଁ ଜାଣେ ନାହିଁ, କିନ୍ତୁ ଗତ ଆଠ ଘଣ୍ଟା ଧରି ଆମେ ରାସ୍ତାରେ ଯାଉଥିଲୁ।

Comments are closed.