Latest Odisha News

BREAKING NEWS

କାନ୍ସ ଫିଲ୍ମ ଫେଷ୍ଟିଭାଲ୍: ଚର୍ଚ୍ଚାରେ ଓଡ଼ିଶାର କଳାକାର

ଭୁବନେଶ୍ୱର: କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟରେ ଭାରତୀୟ ଅଭିନେତ୍ରୀ ଚାଲିବାକୁ ନେଇ ପ୍ରତିଦିନ ଖବରରେ ଶୀର୍ଷକ ମଣ୍ଡନ କରୁଥିବାର ଦେଖାଯାଉଛି । ଓଡ଼ିଆ ବି କମ୍ ନୁହନ୍ତି, ଅନେକ କାରଣରୁ କାନ୍ସରେ ଓଡ଼ିଶାର କଳାକାରମାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଏବେ ଜୋର୍ ଧରିଛି ।

ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାଙ୍କର ଦୁଇଟି ଫିଲ୍ମ ଏହି ସମ୍ମାନଜନକ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ଯାଉଛି । ଏହା ସମସ୍ତ ଓଡ଼ିଆ ଚଳଚ୍ଚିତ୍ରପ୍ରେମୀଙ୍କ ଲାଗି କମ୍ କଥା ନୁହେଁ । ମେ ୧୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହେଉଥିବା ଫିଲ୍ମ ଫେଷ୍ଟିଭାଲରେ ଶିଶିର କୁମାର ସାହୁଙ୍କ ଫିଲ୍ମ ସ୍ୱାହା ଏବଂ ପ୍ରଡ୍ୟୁସର୍ ରାଜେଶ କୁମାର ମହାନ୍ତିଙ୍କ ଅନ୍ତଧ୍ୱର୍ନୀ ପ୍ରଦର୍ଶିତ ହେବାକୁ ଯାଉଛି ।

ଅନ୍ତଧ୍ୱର୍ନୀ ୨୪ଏଫପିଏସ ଏଣ୍ଟରଟେନମେଣ୍ଟବ୍ୟନରରେ ନିର୍ମିତ ହୋଇଥିବା ବେଳେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସିନେମା ଅଟୋଗ୍ରାଫର ତଥା ନିର୍ମାତା ଅପୂର୍ବ କିଶୋର ବୀରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି । ଏହି ଚଳଚ୍ଚିତ୍ରରେ ଦିଲ୍ଲୀ ବାସିନ୍ଦା ଓଡ଼ିଆ ମଡ଼େଲ୍ ତଥା ଅଭିନେତ୍ରୀ ସ୍ୱପ୍ନା ପତି ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ।

“ଏହା ମୋ ଲାଗି ଏକ ସ୍ମରଣୀୟ ମୂହୁର୍ତ୍ତ । ଏହି ଫିଲ୍ମଟି ପ୍ରାକୃତିକ ଆଲୋକରେ ହିଁ ନିର୍ମାଣ କରାଯାଇଛି । ଏହି ଫିଲ୍ମର ବିଶେଷତା ହେଉଛି କି, ଫିଲ୍ମଟି କେବଳ ଜଙ୍ଗଲ ଓ ପ୍ରାକୃତିକ ପରିବେଶର ପରିବେଷ୍ଟନୀ ମଧ୍ୟରେ ନିର୍ମାଣ କରାଯାଇଛି ।” ଏହି କଥା କହିଛନ୍ତି ରାଜେଶ କୁମାର ମହାନ୍ତି ।

ଏହି ଫିଲ୍ମଟି ଯୁବସୁଲଭ ଚପଳତାରେ ବଶବର୍ତ୍ତୀ ହୋଇ ଜଣେ କିପରି ଅପରାଧ କରିବସିଛି ଏବଂ ପରବର୍ତ୍ତୀ ସମୟରେ ନିଜର ଭୁଲକୁ ସ୍ୱୀକାର କରିବା ସହିତ ମନସ୍ତାପ କରିଛି ତାହା ଏହି ଫିଲ୍ମଟିରେ ପ୍ରଦର୍ଶିତ ହୋଇଛି ।

ସେହିପରି ଅନ୍ୟଏକ ଫିଲ୍ମ ସ୍ୱାହାକୁ ୨୦୧୯ ସର୍ଟ ଫିଲ୍ମ କ୍ୟାଟେଗୋରୀରେ ଅନ୍ତଭୃକ୍ତ କରାଯାଇ ଏହାକୁ ମନୋନୟନ କରାଯାଇଛି । ଏହି ଫିଲ୍ମଟି ମେ ୨୩ ତାରିଖରେ ପ୍ରଦର୍ଶିତ ହେବ ।

ଏହି ୨୫ ମିନିଟର ଚଳଚ୍ଚିତ୍ରଟିରେ ୨ ଜଣ କବି ଯେଉଁ ଦୁଇଜଣ ଦୁଇଟି ପୃଥକ ପୀଢିର ମଣିଷ । ମାତ୍ର ଦୁଇ ଜଣଙ୍କ ଆଦର୍ଶଗତ ପାର୍ଥକ୍ୟ ରହିଥିଲେ ମଧ୍ୟ କାବ୍ୟିକ ଅନୁରକ୍ତି ଦୁହିଁଙ୍କୁ ବେଶ୍ ନିକଟତର କରିପାରିଛି । ଏହି ଫିଲ୍ମଟିର ସ୍କ୍ରିନପ୍ଲେ ଏବଂ ଡ଼ାଏଲଗ୍ ସୁରେଶ ମିଶ୍ର ଲେଖିଥିବା ବେଳେ ଶୁଭସ୍ମିତା ରଥ ଏବଂ ପଲ୍ଲବୀ ବାର୍ବୀ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଫିଲ୍ମଟି ପ୍ରଦୀପ ସାହୁଙ୍କ ଦ୍ୱାରା ପ୍ରଡ୍ୟୁସ ହୋଇଛି ।

ଶ୍ରୀ ସାହୁଙ୍କର ଏହା ହେଉଛି ୩ୟ ଫିଲ୍ମ, ଅବଶ୍ୟ ପୂର୍ବରୁ ସେ ଦୁଇଟି ସର୍ଟ ଫିଲ୍ମ ନିର୍ମାଣ କରିଛନ୍ତି ସେଗୁଡ଼ିକ ହେଉଛି – ରୋଜା ଏବଂ ଫର୍ଚ୍ଚା । ସେ ଓଡ଼ିଶା ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ଛାତ୍ର ଏବଂ ପୂର୍ବରୁ ସେ ଆଶୁତୋଷ ଗୋୱାଲିକର୍ ଏବଂ ଶ୍ୟାମ ବେନେଗାଲଙ୍କ ଫିଲ୍ମରେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.