Latest Odisha News

ନ୍ୟାୟିକ ବିଳମ୍ବ; ଓଡିଶାର ବିଭିନ୍ନ ଅଦାଲତରେ ବିଚାରଧୀନ ପଡି ରହିଛି ୨.୬୭ଲକ୍ଷଟି ମାମଲା

ଭୁବନେଶ୍ୱର : ଦେଶରେ ନ୍ୟାୟିକ ବିଳମ୍ବ ଅତି ଗୁରୁତର ସମସ୍ୟା। ଏହାକୁ ନେଇ ଲୋକସଭରେ କେନ୍ଦ୍ର ଆଇନ ମନ୍ତ୍ରୀ ଅତି ସାଂଘାତିକ ତଥ୍ଯ ଦେଇଛନ୍ତି। ଓଡିଶା ଉଚ୍ଚ ନ୍ୟାୟାଳୟ ସମେତ ଅନ୍ୟ ଅଦାଲତ ଗୁଡିକରେ ଦୀର୍ଘ ଦଶ ବର୍ଷ ଭିତରେ ୨.୬୭ ଲକ୍ଷରୁ ଅଧିକ ମାମଲା ପଡି ରହିଛି । କେନ୍ଦ୍ର ଆଇନ୍‍ ଏବଂ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତରରୁ ଜଣାଯାଇଛି ଯେ, ଗତ ଦଶ ବର୍ଷରେ ହାଇକୋର୍ଟରେ ୩୩, ୩୬୩ଟି ମାମଲା ପଡି ରହିଥିବା ବେଳେ ବିଭିନ୍ନ ଜିଲ୍ଲା ଏବଂ ଅନ୍ୟ ଅଦାଲତରେ ଚଳିତ ବର୍ଷ ଜୁଲାଇ ୧୯ ସୁଦ୍ଧା ୨,୩୪,୨୧୬ ଟି ମାମଲା ପଡିଛି ।

୨୦୧୯ ମସିହାରେ ରାଜ୍ୟର ଫାଷ୍ଟଟ୍ରାକ ଅଦାଲତ ଗୁଡିକ ୬୬୬୪ଟି ମାମଲା ଫଇସଲା କରିଛନ୍ତି । ୨୦୨୧ ରେ ୨୩୪ଟି ଏବଂ ଚଳିତ ବର୍ଷ ମେ ମାସ ଶେଷ ସୁଦ୍ଧା ଏହି ଅଦାଲତରେ ୩୦୪ଟି ମାମଲାଫଇସଲା ହୋଇଛି । ଅତି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୨୦ ରେ ଓଡିଶାର ଫାଷ୍ଟଟ୍ରାକ କୋର୍ଟରେ କୌଣସି ମାମଲା ବିଚାର ହୋଇପାରିନି ।

ଠିକ୍ ସମୟରେ ମାମଲା ଗୁଡିକର ବିଚାର ପାଇଁ ଅନେକ ଦିଗ ରହିଛି । ସେଗୁଡିକ ମଧ୍ୟରେ ଆବଶ୍ୟକ ସଂଖ୍ୟକ ବିଚାରପତି ଏବଂ ଜୁଡିସିଆଲ ଅଫିସର ନିଯୁକ୍ତି, ଅଦାଲତରେ ଆବଶ୍ୟକ କର୍ମଚାରୀ ଏବଂ ଭିତ୍ତିଭୂମି, ମାମଲାର ପ୍ରମାଣ, ହିତାଧିକାରୀମାନଙ୍କ ସହଯୋଗ ଯଥା ବାର୍‍, ତଦନ୍ତକାରୀ ସଂସ୍ଥା, ସାକ୍ଷୀ ଏବଂ ଠିକଣା ଭାବେ ଅଭିଯୋଗ ଓ ଆଇନ୍‍ର ତର୍ଜମା କରାଯିବା ।

୨୦୧୯ ମସିହାରେ ସୁପ୍ରିମ୍‍କୋର୍ଟରେ ମୁଖ୍ୟ ବିଚାରପତିଙ୍କ ବାଦ୍‍ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି ପାଇଛି । ସେହିଭଳି ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୯୦୬ରୁ ୧୧୦୮କୁ ବଢିଛି ।

ଜିଲ୍ଲା ଏବଂ ଅନ୍ୟାନ୍ୟ ଅଦାଲତରେ କ୍ୟାଡର ବିଚାରପତିଙ୍କ ସଂଖ୍ୟା ୧୯,୫୧୮ ରୁ ୨୪,୬୩୧କୁ ଚଳିତ ବର୍ଷ ଜୁଲାଇ ମାସରେ ବୃଦ୍ଧି ପାଇଛି ।

ସମ୍ବିଧାନର ଧାରା ୩୯କ ଅନୁଯାୟୀ କେନ୍ଦ୍ର ସରକାର ମାମଲାଗୁଡିକର ତୁରନ୍ତ ଫଏସଲା ସହିତ ପଡି ରହିଥିବା ମାମଲା ସଂଖ୍ୟା ହ୍ରାସ ପାଇଁ ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ସରକାର ପ୍ରତିଷ୍ଠା କରିଥିବା ନେସନାଲ ମିଶନ ଫର ଜଷ୍ଟିସ ଡେଲିଭରୀ ଆଣ୍ଡ ଲିଗାଲ ରିଫର୍ମସ କେତେଗୁଡିକ ପନ୍ଥା ଆପଣେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଛନ୍ତି।

ଏଥି ମଧ୍ୟରେ ଜିଲ୍ଲା ଏବଂ ନିମ୍ନ ଅଦାଲତରେ ଥିବା ବିଚାର ବିଭାଗୀୟ ଅଧିକାରୀଙ୍କ ଲାଗି ଭିତ୍ତିଭୂମି ବିକାଶ, ତୁରନ୍ତ ମାମଲା ବିଚାର ପାଇଁ ଆଇସିଟିର ବ୍ୟବହାର, ହାଇକୋର୍ଟ ଓ ସୁପ୍ରିମ୍‍କୋର୍ଟରେ ଖାଲି ପଡିଥିବା ବିଚାରପତି ପଦବୀ ଗୁଡିକୁ ପୂରଣ କରିବା, ଜିଲ୍ଲା, ହାଇକୋର୍ଟ ଓ ସୁପ୍ରିମ୍‍କୋର୍ଟ ସ୍ତରରେ ଥିବା ଏରିଅର କମିଟିର ମତାମତ ଅନୁଯାୟୀ ମାମଲାର ତ୍ୱରିତ ବିଚାର, ମାମଲାର ବିକଳ୍ପ ସମାଧାନକୁ ଗୁରୁତ୍ୱ ଏବଂ ସ୍ୱତନ୍ତ୍ର ମାମଲାଗୁଡିକୁ ଫାଷ୍ଟଟ୍ରାକ ଅଦାଲତରେ ବିଚାର କରିବା ବ୍ୟବସ୍ଥା ରହିଛି।

Leave A Reply

Your email address will not be published.