Latest Odisha News

BREAKING NEWS

୩ ମାସରେ ୨୪ ହଜାର ଥର ଜଳିଲାଣି ଜଙ୍ଗଲ

ଭୁବନେଶ୍ୱର: ଖରା ଆସିଲେ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି । ଫଳରେ ଜଳି ଯାଉଛି ହେକ୍ଟର ହେକ୍ଟର ଜଙ୍ଗଲ । ଜଙ୍ଗଲ ନିଆଁ ନେଇ ବିଧାନସଭାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିବା ବେଳେ ୨୦୧୯ରୁ ୨୦୨୩ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା କେତେ ଜଙ୍ଗଲରେ ନିଆଁ ଲାଗିଛି ସେନେଇ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍ ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ୨୦୨୩ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ଜଙ୍ଗଲରେ ୨୪ ହଜାର ୧୫୨ଟି ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ପ୍ରାୟ ୭୦୭୯.୭୯ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।

ସେହିଭଳି ୨୦୧୯ ମସିହାରେ ୧୯ ହଜାର ୭୮୭ଟି ଅଗ୍ନିକାଣ୍ଡ ହୋଇଥିବା ବେଳେ ୭୧୬୪.୯୫ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଥିଲା । ୨୦୨୦ରେ ୧୧ ହଜାର ୮୮ଟି ଅଗ୍ନିକାଣ୍ଡ ହୋଇଥିବା ବେଳେ ୬୦୭୦.୨୫ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଥିଲା ।

୨୦୨୧ରେ ଜଙ୍ଗଲରେ ସର୍ବାଧିକ ୫୭ ହଜାର ୩୩୯ଟି ଅଗ୍ନିକାଣ୍ଡ ଘଟଣା ଘଟିଥିବା ବେଳେ ୨୮୬୫୩.୧୭ ହେକ୍ଟର ଅଞ୍ଚଳ ଏଥିରେ ପ୍ରଭାବିତ ହୋଇଥିଲା । ସେହିଭଳି ୨୦୨୨ ମସିହାରେ ୨୯ ହଜାର ୧୯୯ଟି ଅଗ୍ନିକାଣ୍ଡ ଘଟିଥିବା ବେଳେ ୮୪୫୦.୩୯ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଥିଲା ।

ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ଲାଗି ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ୭ କୋଟି ୬୯ ଲକ୍ଷ ୧୫ ହଜାର ଟଙ୍କା ଓ କାମ୍ପା ପାଣ୍ଠିରୁ ୨୭ କୋଟି ୭୫ ଲକ୍ଷ ୨୮ ହଜାର ଟଙ୍କା ବ୍ୟୟ କରାଯାଇଛି ।

ତେବେ ରାଜ୍ୟର ଜଙ୍ଗଲ ଗୁଡ଼ିକରେ ମୁଖ୍ୟତଃ ଭୂପୃଷ୍ଠୀୟ ବନାଗ୍ନି ଘଟୁଛି । ତେଣୁ କୌଣସି ବୃକ୍ଷ ସମ୍ପଦ, ବନ୍ୟଜନ୍ତୁ ନଷ୍ଟ ହୋଇ ନଥିବା ଏବଂ ଜନସାଧାରଣଙ୍କ ଜୀବନ କ୍ଷତିଗ୍ରସ୍ତ ହୋଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.