Latest Odisha News

ଘର ମଧ୍ୟରୁ ପୁଣି ୩୦ଟି ବିଷାକ୍ତ ନାଗସାପ ଉଦ୍ଧାର: ଭଦ୍ରକ ଓ ପିପିଲି ପରେ ଏବେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ନାଗସାପ ଆତଙ୍କ

କେନ୍ଦ୍ରାପଡ଼ା/ଜଗତସିଂହପୁର: ବିଷାକ୍ତ ନାଗସାପ ଏବେ ଲୋକଙ୍କ ନିଦ ହଜାଇଦେଲେଣି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏବେ ନାଗସାପ ଉପଦ୍ରବର ଖବର ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେଉଁଠୁ ନା କେଉଁଠୁ ବିଷାକ୍ତ ନାଗସାପ ବାହାରୁଥିଲା ବେଳେ କୌଣସି ଜଣଙ୍କ ଘରୁ ଅନେକ ସର୍ପ ବାହାରିବା ନେଇ ଲୋକେ ଏବେ ନିରାପଦ ମଣୁନାହାଁନ୍ତି । ବୁଧବାର ଦିନ ସକାଳେ ଜଗତସିଂହପୁର ଜିଲ୍ଲାରେ ୧୦ଟି ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଜଣଙ୍କ ଘରୁ ଏକାବେଳକେ ୨୦ଟି ସାପ ଉଦ୍ଧାର ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନାନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବେଗୁନିଆ ଗ୍ରାମର କଳ୍ପତରୁ ନାୟକଙ୍କ ଘରୁ ୧୦ଟି ବିଷଧର ନାଗସାପ ଉଦ୍ଧାର ହୋଇଛନ୍ତି । ଘର ମଧ୍ୟରେ ଆହୁରି ଅନେକ ନାଗ ଲୁଚି ରହିଥିବା ସୂଚନା ମିଳିଛି, ସାପ ଉଦ୍ଧାରକାରୀଙ୍କ ସହାୟତାରେ ଆହୁରି ନାଗସାପ ଉଦ୍ଧାର ହେବାର ଅନୁମାନ କରାଯାଉଛି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ନରିଲୋ ଗ୍ରାମର ରଣଜିତ ସ୍ୱାଇଁଙ୍କ ଘରୁ ଏକାଥରକେ ୨୦ଟି ନାଗସାପ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଘର ସାମ୍ନାରେ ୨ଟି ନାଗସାପ ଖେଳୁଥିବାର ଦେଖି ପାଖ ପଡ଼ୋଶୀ ରଣଜିତଙ୍କୁ ଜଣାଇଥିଲେ । ରଣଜିତ ସ୍ନେକ ହେଲପରଙ୍କୁ ଡ଼କାଇବାରୁ ସେମାନେ ଘରୁ ପ୍ରାୟ ୨୦ଟି ନାଗସାପ ଉଦ୍ଧାର କରିଥିଲେ

ନାଗସାପଗୁଡ଼ିକ ମାଟି କାନ୍ଥତଳେ ଥିବା ଗାତ ମଧ୍ୟରେ ଶତାଧିକ ଅଣ୍ଡା ଦେଇଥିବାର କହିଛନ୍ତି ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିବା ସ୍ନେକ୍ ହେଲପର ସ୍ୱେଚ୍ଛାସେବୀ ।

ମଙ୍ଗଳବାର ଦିନ ପିପିଲି ସୁହାଗପୁର ଗ୍ରାମର ଅନାଦି ସାହୁଙ୍କ ଘରୁ ୧୨ଟି ନାଗସାପ ଉଦ୍ଧାର କରିଥିବା ବେଳେ ଭଦ୍ରକର ଶ୍ୟାମପୁର ଗ୍ରାମର ବିଜୟ ଭୁୟାଁଙ୍କ ଘରୁ ପ୍ରାୟ ୧୩୦ଟି ନାଗସାପ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.