Latest Odisha News

BREAKING NEWS

‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ମହିଳା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାକୁ ଚିକିତ୍ସା ସୁବିଧା ବୃଦ୍ଧି କଲେ ଓଡ଼ିଶା ସରକାର

ଭୁବନେଶ୍ୱର : ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ମହିଳା ମାନଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାନୁଭବତା କହିଲେ ଅତ୍ୟୁକ୍ତି ହେବନାହିଁ, କାରଣ ମାଲକାନଗିରି ମହିଳାଙ୍କ ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ମହିଳାଙ୍କ ଲାଗି ଚିକିତ୍ସା ସୁବିଧା ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଆଜି ସଚିବାଳୟ ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଜଣେ ମା ମମତା ପଡ଼ିଆମୀ ମୁଖ୍ୟମନ୍ତ୍ରୀଙ୍କୁ ମହିଳା ମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଚିକିତ୍ସା ସହାୟତା ରାଶି ବୃଦ୍ଧି ପାଇଁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ “ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ । ଅପଣ ମହିଳା ମାନଙ୍କ ପାଇଁ ବହୁତ କିଛି କରିଛନ୍ତି । ପଚାଶ ପ୍ରତିଶତ ସ୍ଥାନ ସଂରକ୍ଷଣ ଦ୍ୱାରା ଆମେ ଆଜି ବିକାଶ କାମରେ ସାମିଲ ହୋଇ ପାରୁଛୁ । ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ୱାରା ଆମ ପରିବାର ପାଇଁ ଆମେ ବହୁତ କିଛି କରିପାରୁଛୁ । ତେଣୁ ମହିଳା ମାନଙ୍କ କଥା ସ୍ୱତନ୍ତ୍ର ଭାବେ ବିଚାର କରି ଆମ ପାଇଁ ଅଧିକ ଅର୍ଥ ବ୍ୟବସ୍ଥା କରନ୍ତୁ” ।

ମାଲକାନଗିରିର ଏହି ମହିଳାଙ୍କ ଯୁକ୍ତି ମୁଖ୍ୟମନ୍ତ୍ରୀଙ୍କୁ ବହୁତ ପ୍ରଭାବିତ କରିଥିଲା ଏବଂ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ପାଇଁ ଚିକିତ୍ସା ସହାୟତା ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ ଯେ ଚଳିତ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ଘୋଷଣା କରିଥିଲେ । ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଏହା କାର୍ଯ୍ୟକାରୀ ହେବ । ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଛି । ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାର ଏବଂ ସାଢେ ତିନି କୋଟିରୁ ଅଧିକ ଲୋକ ଏହି ସୁବିଧା ପାଇପାରିବେ ।

Leave A Reply

Your email address will not be published.