Latest Odisha News

BREAKING NEWS

ପିଏମ କିଷାନରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ଆଜି ପିଏମ୍ କିଷାନ ଟଙ୍କା ଚାଷୀଙ୍କ ଖାତାକୁ ଚଢିଛି । ୯.୮ କୋଟିରୁ ଚାଷୀଙ୍କୁ ଏହି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତିରେ ସାମିଲ କରାଯାଇଥିବା ବେଳେ ଏଥିରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।

ସେ ଦେଇଥିବା ତଥ୍ୟ ଅନୁସାରେ, ପିଏମ୍‌ କିଷାନରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ ହୋଇଛନ୍ତି । ୧୮ତମ କିସ୍ତି ପ୍ରଦାନ ବେଳେ ବାଦ ପଡ଼ିଥିବା ଚାଷୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସ୍ବତନ୍ତ୍ର ଡ୍ରାଇଭ୍‌ ଜରିଆରେ ବିଭାଗ ପକ୍ଷରୁ ସେମାନଙ୍କୁ ୧୯ତମ କିସ୍ତିରେ ସାମିଲ୍‌ କରାଯାଇଛି । ଗତ ଥର ଅପେକ୍ଷା ଏଥର ୩ ଲକ୍ଷ ୪୩ ହଜାର ୪୪୭ ହିତାଧିକାରୀଙ୍କ ବୃଦ୍ଧି ଘଟିଛି । ଯେଉଁମାନେ ବାଦ୍‌ ପଡ଼ିଛନ୍ତି ପରେ ପୋର୍ଟାଲରେ ଆବେଦନ କରିପାରିବେ ।

ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦି, ବିହାରର ଭାଘଲପୁରରୁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । ଦେଶର ୯.୮ କୋଟି ଚାଷୀଙ୍କ ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଚଢିଛି । ପିଏମ ମୋଦୀ ଡିବିଟି ଜରିଆରେ ୯ କୋଟି ୮୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ସରକାର ଏହି କିସ୍ତି ପାଇଁ ୨୨ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି । ପିଏମ କିଷାନ ଯୋଜନାରେ ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛି ।

ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ । ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି ସରକାର । ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ‘ପିଏମ କିଷାନ’ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା, ଯାହାକୁ ମୋଦୀ ସରକାର ୨୦୧୯ ଫେବୃଆରୀରେ ଆରମ୍ଭ କରିଥିଲେ । ସିଧାସଳଖ ବେନିଫିଟ ଟ୍ରାନ୍ସଫର ମୋଡରେ ଯୋଗ୍ୟ ଚାଷୀଙ୍କ ଖାତାକୁ ଏହି ସହାୟତା ରାଶି ହସ୍ତାନ୍ତର କରାଯାଉଛି ।

Comments are closed.