କୋଲକାତା: କେନ୍ଦ୍ର ଗୃହ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତୀଶ ପ୍ରାମାଣିକଙ୍କ କାର୍କେଡ୍ ଉପରେ ଆକ୍ରମଣ। ଟେକାପଥର ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କ ଗାଡ଼ି ଡୋର କାଚ। ତୃଣମୁଳ କଂଗ୍ରେସର ସମର୍ଥନକାରୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶନିବାର ନୀତୀଶ ପଶ୍ଚିମବଙ୍ଗର କୁଚବିହାରର ଦିନହାଟ ଏରିଆରେ ଦଳୀୟ କର୍ମୀଙ୍କୁ ଭେଟିବାକୁ ଯାଉଥିବା ବେଳେ ଟିଏମ୍ସି କର୍ମୀମାନେ ତାଙ୍କ କାର୍କେଡ୍ ଉପରକୁ ଆକ୍ରମଣ କରିଥିଲେ। ତା ସହିତ କଳାପତାକା ଦେଖାଇ ପ୍ରାମାଣିକ ଗୋ ବ୍ୟାକ୍ ନାରା ଦେଇଥିଲେ।
ଏହାର କିଛି ସମୟରେ ବିଜେପି କର୍ମୀମାନେ ଦଳୀୟ ପତାକା ଓ ହାତରେ ବାଡ଼ି ଧରି ଘଟଣା ସ୍ଥଳରେ ପହଞ୍ଚି ହଙ୍ଗାମା କରିଥିଲେ। କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା କୁଚବିହାର। ପୁଲିସ ବ୍ୟାରିକେଡ୍ ଲଗାଇ ଟିଏମ୍ସି ଓ ବିଜେପି କର୍ମୀଙ୍କୁ ଭାଗ ଭାଗ କରିଥିଲେ। ଏହାପରେ ବିଜେପି କର୍ମୀମାନେ ପୁଲିସ ବିରୋଧୀ ନାରା ଲଗାଇଥିଲେ।
ହୋହାଲ୍ଲା ପରେ କେନ୍ଦ୍ରମନ୍ତ୍ରୀ କାର୍ ଭିତରୁ ବାହାରି ଦଳୀୟ କର୍ମୀଙ୍କୁ ଶାନ୍ତ କରାଇଥିଲେ। ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ନୀତୀଶ ପ୍ରାମାଣିକ ଟିଏମ୍ସିକୁ ଦାୟୀ କରିଛନ୍ତି। ଟିଏମ୍ସି ଗୁଣ୍ଡାମାନଙ୍କୁ ଆଶ୍ରୟ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି “ଯଦି ଜଣେ କେନ୍ଦ୍ରମନ୍ତ୍ରୀଙ୍କ କାର୍କୁ ଏଭଳି ଭାବରେ ଆକ୍ରମଣ କରାଯାଏ, ତେବେ ଏ ରାଜ୍ୟରେ ସାଧାରାଣ ଲୋକର ସୁରକ୍ଷା ବିଷୟରେ ଥରେ ଭାବନ୍ତୁ।”
ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦିଲ୍ଲୀପ ଘୋଷ, ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଘଟଣାକୁ କଡ଼ା ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ବିଜେପି ପ୍ରବକ୍ତା ଶମିକ ଭଟ୍ଟାଚାର୍ଯ୍ୟ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ରାଜ୍ୟପାଳ ରାଜ୍ୟରେ ତୁରନ୍ତ ଧାରା ୩୫୫ ଲାଗୁ କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଅନ୍ୟପଟେ ଟିଏମ୍ସି ନେତା ଜୟପ୍ରକାଶ ମଜମୁଦାର ମଧ୍ୟ ବିଜେପିକୁ ପାଲଟା ଜବାବ ଦେଇଛନ୍ତି। ଦିଲ୍ଲୀପ ଘୋଷ ଓ ଶୁଭେନ୍ଦୁ ଅଧିକାରୀଙ୍କ ଭଳି ଲୋକେ ଦଳୀୟ ୱାର୍କରୁ ଉସ୍କାଇ ରାଜ୍ୟରେ ଶାନ୍ତି ଭଙ୍ଗ କରୁଛନ୍ତି। ଏହି ନେତାମାନଙ୍କ ଉପରେ ଆଗ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି।
Comments are closed.