ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ଆମେ ମାନେ ସୋସିଆଲ ମିଡିଆରେ ଅନେକ ଭଲ ସହ ବିଚିତ୍ର ଓ ଆଶ୍ଚର୍ଯ୍ୟ ଜନକ ଭିଡିଓ ମଧ୍ୟ ଦେଖୁଛେ । ସେହିପରି ଏକ ଅଜବ ଘଟଣା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ ମେଟ୍ରୋ ଷ୍ଟେସନରେ ଦେଖିବା ପରେ, କୌଣସି ପ୍ରତିକ୍ରିୟା ନଦେଇ ସେଠାରେ ହିଁ ଉଭୟଙ୍କର ନିର୍ବନ୍ଧ କରିଦେଉଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ମେଟ୍ରୋ ଷ୍ଟେସନର ଏକ ବେଞ୍ଚରେ ପୁଅ ଓ ତାଙ୍କ ପ୍ରେମିକା ବସିଥିବା ବେଳେ ହଠାତ୍ ମା’ ସେଠାରେ ପହଞ୍ଚି ଯାଇଥିଲେ । ପୁଅକୁ ଏପରି ଅବସ୍ଥାରେ ଦେଖି ମା’ ସେଠାରେ ହିଁ ନିର୍ବନ୍ଧର ରୀତିନୀତି ଆରମ୍ଭ କରିଦେଇଥିଲେ । ମା’ ଜଣକ ପାଖରେ ଥିବା ବ୍ୟକ୍ତିଙ୍କୁ ଭିଡିଓଟିକୁ ସଠିକ୍ ଭାବେ ସୁଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଉଥିବା ଦେଖାଯାଇଛି ।
ତେବେ ମାଆଙ୍କର ଏପରି କାର୍ଯ୍ୟକଳାପ ଦେଖି ପୁଅ ଜଣକ ଲଜ୍ଜାରେ ବାରମ୍ବାର ମା’ଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ମା’ ଶୁଣିନଥିଲେ । ସେ କହିଥିଲେ, “ମୋର ଯେଉଁ ଅପମାନ ହେଲା ତାର କ’ଣ?” ଶେଷରେ ସେ ଉଭୟଙ୍କୁ “ଖୁସିରେ ରୁହ” ବୋଲି କହି ଆଶୀର୍ବାଦ ମଧ୍ୟ ଦେଇଥିଲେ ।
ତେବେ ଏହି ଭିଡିଓରେ ଅନେକ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି ଯେ, ଏହା ସ୍କ୍ରିପ୍ଟେଡ୍ ବା ପୂର୍ବ ପ୍ରସ୍ତୁତ । ଅନ୍ୟ ଜଣେ ପ୍ରଶ୍ନ କରିଛନ୍ତି, “ଝିଅର ପରିବାର ଲୋକଙ୍କ ସମ୍ମତି ନିଆଯାଇଛି କି ନାହିଁ?” ତେବେ ଭିଡିଓଟି କେବେର ଏବଂ କେଉଁ ସ୍ଥାନର ତାହା ଜଣାପଡିନାହିଁ ।