Latest Odisha News

BREAKING NEWS

ଇଏ ବି ଜଣେ ଗୁରୁ! ସମସ୍ତ ଦୁଃଖକୁ ଛାତିରେ ଚାପି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ଶିକ୍ଷୟତ୍ରୀ ରଶ୍ମିତା

ନବରଙ୍ଗପୁର: ମା’ ବାପାଙ୍କ ପରେ ଗୁରୁ ହିଁ ସାଜନ୍ତି ଆମର ମାର୍ଗଦର୍ଶକ । ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି, ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ମଧ୍ୟ ରଖନ୍ତି । ଏହାଦ୍ୱାରା ଶିଷ୍ୟ ଦିନେ ସଫଳତା ପାଏ ଓ ଆଗକୁ ବଢ଼େ । କିନ୍ତୁ ସମାଜରେ ଏମିତି କିଛି ଗୁରୁ ଅଛନ୍ତି ଯିଏ ଆମ ପାଇଁ ସାଜନ୍ତି ପ୍ରେରଣା । ମନରେ ପାଇବାର ଆଶା ନଥାଏ କିନ୍ତୁ ଢାଳିଦିଅନ୍ତି ଅଜସ୍ର ଭଲପାଇବା । କୁହନ୍ତି ଗୋଟେ ମଣିଷର ପ୍ରଥମ ଗୁରୁ ତା’ର ମା ହୋଇଥାଏ । କିନ୍ତୁ ମା ମନର କଷ୍ଟ ବୁଝେ ବା କିଏ ? ମନରେ ଅନେକ ଦୁଃଖ,କଷ୍ଟ, କୋହକୁ ଚାପିରଖେ ମା’ । ଆଜି ଆମେ ଆପଣଙ୍କୁ ଜଣେ ଏମିତି ମହିଳାଙ୍କ ବିଷୟରେ କହିବୁ ଯିଏ କେବଳ ଜଣେ ମା’ ନୁହନ୍ତି । ଜଣେ ଶିକ୍ଷୟତ୍ରୀ ମଧ୍ୟ । ଯାହାଙ୍କ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଆମେ କହୁଛୁ ନବରଙ୍ଗପୁରର ରଶ୍ମିତା ସେଠୀଙ୍କ ବିଷୟରେ ।

ନବରଙ୍ଗପୁର ପାପଡ଼ାହାଣ୍ଡିର ଚନ୍ଦନପାଲା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି ରଶ୍ମିତା ସେଠୀ । ତାଙ୍କର ଏକମାତ୍ର ଝିଅ ଦିବ୍ୟମୟୀ ପାତିକାଙ୍କ ସହିତ ସେ ନବରଙ୍ଗପୁର ମିର୍ଗାନ ଗୁଡାରେ ରହୁଥିଲେ । ଦିବ୍ୟମୟୀ ସପ୍ତମ ଶ୍ରେଣୀରେ ପଢୁଥିଲେ ଏବଂ ଜଣେ ମେଧାବୀ ଛାତ୍ରୀ ଥିଲେ । ଦିବ୍ୟମୟୀ ଗତ ଏକବର୍ଷ ହେଲା ରକ୍ତଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ନିୟମିତ ଭାବେ ତାଙ୍କୁ ଡାକ୍ତରଖାନରେ ରକ୍ତ ଦିଆଯାଉଥିଲା । ତେବେ ଗତ ମାର୍ଚ୍ଚ ୩୧ ତାରିଖରେ ଅଚାନକ ତାଙ୍କର ମୃତ୍ୟୁ ଘଟିଥିଲା । ଏକମାତ୍ର ସନ୍ତାନକୁ ହରାଇ ଏବେ ସନ୍ତାନଶୂନ୍ୟ ହୋଇଯାଇଛନ୍ତି ରଶ୍ମିତା । ଏକ ମାତ୍ର ଝିଅକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ମାଆ । ହଠାତ୍ ଗତକାଲି ରଶ୍ମିତା ସମସ୍ତ ଦୁଃଖକୁ ଛାତିରେ ଚାପି ଯାଇ ପହଞ୍ଚିଲେ ରେଡକ୍ରସ୍ ଶିବିରରେ । ତାଙ୍କର ଏକମାତ୍ର ଝିଅ ବିୟୋଗର ଅସହ୍ୟ ବେଦନାରେ ରହିଥିବାବେଳେ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ହଠାତ୍ ୫ଲକ୍ଷ ଟଙ୍କା ବଢାଇ ଦେଇଥିଲେ ନବରଙ୍ଗପୁର ଜିଲ୍ଲାପାଳ ଡଃ. କମଳ ଲୋଚନଙ୍କ ହାତକୁ । କାରଣ ପଚାରିବାରୁ କାନ୍ଦି କାନ୍ଦି ତାଙ୍କର ସମସ୍ତ ଦୁଃଖ ଘଟଣା ଜଣାଇଥିଲେ ରଶ୍ମିତା । ଯାହାକି ଉପସ୍ଥିତ ସମସ୍ତଙ୍କୁ ବିସ୍ମିତ ଓ ଭାବପ୍ରବଣ କରିଦେଇଥିଲା। ସମସ୍ତ ଘଟଣା ଶୁଣି ଜିଲ୍ଲାପାଳ ଡଃ.ମିଶ୍ରଙ୍କର ଆଖିରେ ଲୁହ ଆସିଯାଇଥିଲା । ଉପସ୍ଥିତ ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ, ଜିଲାପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଆସନରୁ ଉଠି ଏହି ମହାନତା ପାଇଁ ଅନ୍ତରରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ।

ଝିଅ ଦିବ୍ୟମୟୀଙ୍କର ମୃତ୍ୟୁ ପରେ ତାଙ୍କର ନାମରେ ଥିବା ସୁକନ୍ୟା ଯୋଜନା, ଜୀବନବୀମା ଓ ସ୍କଲାରସିପ ଟଙ୍କାକୁ ସେ ରେଡକ୍ରସକୁ ଦାନ କରିଥିବା ଜଣାପଡ଼ିଛି। ଝିଅ ନାମରେ ଥିବା ସମସ୍ତ ଟଙ୍କା ଲୋକଙ୍କ ସେବାରେ ଖର୍ଚ୍ଚ କରିବାକୁ ତାଙ୍କର ମାଆ ରଶ୍ମିତା ନିବେଦନ କରିଛନ୍ତି। ମୋ ଝିଅ ତ ଆଉ ନାହିଁ ଯାହା କିଛି ତା’ ପାଇଁ ସାଇତି ରଖିଥିଲି ସେ ସବୁକୁ ଦାନ କରୁଛି । ଏ ଟଙ୍କା କେଉଁ ଗରୀବ ପିଲାଙ୍କ କାମରେ ଆସିଲେ ମୋ ଝିଅ ଖୁସି ହବ ବୋଲି ଭୋ ଭୋ ହୋଇ କାନ୍ଦି କହୁଥିଲେ ରଶ୍ମିତା । ଏହି ଅବସରରେ ଜିଲ୍ଲାପାଳ ଡଃ.ମିଶ୍ର କହିଥିଲେ ଯେ, ଏହି ଶିବିରରେ ସମସ୍ତେ କିଛି ପାଇବା ପାଇଁ ଆସିଥାନ୍ତି। କିନ୍ତୁ ଆଜି ଜଣେ ଶିକ୍ଷୟତ୍ରୀ ମାଆ ରଶ୍ମିତା କିଛି ଦେବାକୁ ଆସିଛନ୍ତି, ଯାହା ବିରଳ ଘଟଣା । ସେ ତାଙ୍କର ଏକମାତ୍ର ଝିଅ ବିୟୋଗର ଅସହ୍ୟ ବେଦନାରେ ରହିଥିବାବେଳେ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ୫ଲକ୍ଷ ଟଙ୍କା ଦାନ କରିଛନ୍ତି । ଏଭଳି ମନୋଭାବକୁ ନେଇ ଜିଲ୍ଲାପାଳ  ଶିକ୍ଷୟିତ୍ରୀଙ୍କୁ ନମସ୍କାର କରି କୃତଜ୍ଞତା ଜଣାଇଛନ୍ତି । ତେବେ ପ୍ରଥମଥର ପାଇଁ ଜିଲାରେ ଏଭଳି ଦାନ କରିଥିବାରୁ ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ବଦାନ୍ୟତା ପାଇଁ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସାର ସୁଅ ଛୁଟିଛି।

Comments are closed.