Latest Odisha News

BREAKING NEWS

ଯାଜପୁର ମା’ ପୁଅ ନିଖୋଜ ଘଟଣା; ଛତିଶିଗଡ଼ରୁ ହେଲେ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରୁ ନିଖୋଜ ମା’ ପୁଅ ଛତିଶିଗଡ଼ରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର। ଅଚେତ ଅବସ୍ଥାରେ ଛତିଶିଗଡ଼ର ଏକ ନିଛାଟିଆ ସ୍ଥାନରୁ ମା ଓ ପୁଅଙ୍କୁ ଉଦ୍ଧାର କରାଯାଇଛି  । ଗତ ୧୨ ତାରିଖ ସନ୍ଧ୍ୟାରୁ ବାଲିଚନ୍ଦ୍ରପୁର ବଜାରକୁ ମାର୍କେଟିଂ ପାଇଁ ଯାଇଥିବା ବେଳେ ସ୍ଥାନୀୟ କୃଷ୍ଣପୁର ଶାସନ ଗାଁର ଶୁଭଲକ୍ଷ୍ମୀ ମିଶ୍ର ଓ ତାଙ୍କ ପୁଅ ଅଂଶୁମାନ ମିଶ୍ର ନିଖୋଜ ହୋଇଯାଇଥିଲେ।

ସେମାନଙ୍କୁ କିଏ ଅପହରଣ କରିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ସମ୍ପତ୍ତି ପାଇଁ ମାଆ ଓ ପୁଅଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ବାଲିଚନ୍ଦ୍ରପୁର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି। ବାଲିଚନ୍ଦ୍ରପୁର ଥାନା କୃଷ୍ଣପୁର ଶାସନ ଗାଁର ସରୋଜ ମିଶ୍ରଙ୍କ ଝିଅ ଶୁଭଲକ୍ଷ୍ମୀ ସଦର ଥାନା ମଙ୍ଗରାଜପୁର ଗାଁରେ ବିବାହ କରିଥିଲେ। ୨୦୧୩ ମସିହାରେ ଶୁଭଲକ୍ଷ୍ମୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା।

ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଏହା ପରେ ଶୁଭଲକ୍ଷ୍ମୀ ନିଜର ଏକ ମାତ୍ର ପୁଅ ଅଂଶୁମାନକୁ ଧରି ବାପ ଘର କୃଷ୍ଣପୁର ଶାସନକୁ ପଳାଇ ଆସି ବାପ ଘରେ ରହୁଥିଲେ। ବାଲିଚନ୍ଦ୍ରପୁର ବଜାରକୁ ମାର୍କେଟିଂ କରିବାକୁ ଆସିଥିଲା ବେଳେ ମାଆ ଓ ପୁଅଙ୍କୁ ଅପହରଣ କରାଯାଇଥିଲା। ସେମାନଙ୍କ ମୁହଁରେ ରାସାୟନିକ ଦ୍ରବ୍ୟ ସ୍ପ୍ରେ କରି ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ପରିବାର ଲୋକେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରୁଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଥିଲା।

ଦୁର୍ବୃତ୍ତମାନେ ମାଆ ଓ ପୁଅଙ୍କୁ ଅପହଣ ପରେ ଲଣ୍ଡା କରିଥିଲେ। ସେମାନଙ୍କ ମୁଣ୍ଡରେ କଳା ବୋଳି ଛତିଶଗଡ଼ ନେଇ ଯାଇଥିଲେ। ତେବେ ରାତିରେ ସରେଇପାଲି ପୁଲିସ ପାଟ୍ରୋଲିଂ କରୁଥିବା ଦେଖି ଦୁର୍ବୃତ୍ତମାନେ ରାସ୍ତାରେ ମାଆ ଓ ପୁଅଙ୍କୁ ପକାଇ ପଳାଇଥିଲେ। ପୁଲିସ ଉଭୟଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ମେଡିକାଲ୍‌ରେ ଭର୍ତ୍ତି ହେବା ପରେ ଅଂଶୁମାନର ଚେତା ଫେରିଥିଲା। ସେ ତାଙ୍କ ମାମୁଁଙ୍କ ମୋବାଇଲ୍ ଫୋନ୍ ନମ୍ୱର ଦେଇଥିଲେ।

ଗତ ୧୪ ତାରିଖରେ ଛତିଶଗଡ଼ ପୁଲିସ ଅଂଶମାନ ମାମୁଁଙ୍କୁ ଫୋନ୍ କରି ପୂରା ଘଟଣା କହିଥିଲେ। ଏହା ପରେ ବାଲିଚନ୍ଦ୍ରପୁର ଥାନାକୁ ଖବର ଦିଆଯାଇଥିଲା। ବାଲିଚନ୍ଦ୍ରପୁର ଥାନା ପୁଲିସ୍‌ର ଏକ ଟିମ୍ ଆଜି ଛତିଶଗଡ଼ରେ ପହଞ୍ଚି ମାଆ ଓ ପୁଅଙ୍କୁ ଆଣିଛି। ଏବେବି ଉଭୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ପୁଲିସ ସେମାନଙ୍କୁ ପଚରା ଉଚରା କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ତେବେ ସମ୍ପତ୍ତି ହାସଲ ପାଇଁ ମାଆ ଓ ପୁଅଙ୍କୁ ଅପହରଣ କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଅପହରଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି।

Leave A Reply

Your email address will not be published.