Latest Odisha News

ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ: ମା’ ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ: ହବିଷ୍ୟାଳୀ ମା’ ମାନେ ଓଡିଆ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଏହା ଆମ ରାଜ୍ୟକୁ ସମୃଦ୍ଧ କରିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଆଜି ଅପରାହ୍ନରେ ବୃନ୍ଦାବତୀ ନିବାସ ପରିସରରେ ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଇଦାମୋଦର ବ୍ରତର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକମାସ ଧରି ହବିଷ୍ୟାଳୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ। ମୁଖ୍ୟ ବକ୍ତାଭାବେ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବସେବା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଆ ସଂସ୍କୃତିରେ ବାର ମାସରେ ତେର ପର୍ବ ଆମ ପରମ୍ପରାକୁ ମହାନ କରିଥିବା କହିଥିଲେ । ଚଳିତ ବର୍ଷ ସଂସ୍କୃତି ବିଭାଗ ମା’ ମାନଙ୍କ ବ୍ରତ ପାଇଁ ଅର୍ଥ ମଞ୍ଜୁର ସହ ସରକାର ସମସ୍ତ ସହଯୋଗ କରିଛନ୍ତି ବୋଲିସୂଚନା ଦେଇଛନ୍ତି।

 

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମା’ ମାନଙ୍କ ଏକ ମାସର ହବିଷ ବ୍ରତ ପାଇଁ ସମସ୍ତ ବ୍ୟବସ୍ଥା କୁ ଶୃଙ୍ଖଳିତ କରିଯାଇଛି ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ଉପସ୍ଥିତ ଥିଲେ। ସେହିପରି ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ନିରଞ୍ଜନ ବାରିକ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।  ଅତିଥିମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବୃନ୍ଦାବତୀ ନିବାସରେ ଆକାଶ ଦୀପ ପ୍ରଜ୍ୱଳନ କରିଥିଲେ।

ସୂଚନା ଅନୁସାରେ, ବିଭିନ୍ନ ରହଣୀ ନିବାସରେ ୨୫୪୪ ହବିଷ୍ୟାଳୀ ରହିଥିବା ବେଳେ ସମସ୍ତ ନିବାସର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ସାରିଥିବାରୁ ଆଉ କୌଣସି ନୂତନ ହବିଷ୍ୟାଳୀଙ୍କୁ ରଖାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚଳିତବର୍ଷ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି।

Leave A Reply

Your email address will not be published.