Latest Odisha News

BREAKING NEWS

ଭରସାଯୋଗ୍ୟ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଭ୍ରାମ୍ୟମାଣ ସବଷ୍ଟେସନ ମୁତୟନ

ବ୍ରହ୍ମପୁର: ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ସମସ୍ତ ସର୍କଲରେ ଏବେ ଭ୍ରାମ୍ୟମାଣ ସବଷ୍ଟେସନ ମୁତୟନ କରାଯାଇଛି । ଏହା ଫଳରେ ବିଭ୍ରାଟ ସମୟରେ ବିଜୁଳି ଯୋଗାଣ ସୁଗମ ହେବ।

ଛଅଟି ସର୍କଲ୍ ଯଥା ବ୍ରହ୍ମପୁର ସର୍କଲ୍, ସିଟି ସର୍କଲ, ରାୟଗଡ଼ା ସର୍କଲ, ଜୟପୁର ସର୍କଲ୍, ଆସ୍କା ସର୍କଲ୍ ଓ ଭଞ୍ଜନଗର ସର୍କଲରେ ୧୧/୦.୪ କେଭିର ଗୋଟିଏ ଲେଖାଏ ଭ୍ରାମ୍ୟମାଣ ସବଷ୍ଟେସନ ମୁତୟନ କରାଯାଇଛି ।

ଏହି ଭ୍ରାମ୍ୟମାଣ ସବଷ୍ଟେସନଗୁଡ଼ିକ ହେଉଛି ଛୋଟ ପ୍ଲଗ୍-ଇନ୍ ସବଷ୍ଟେସନ ଯେଉଁଥିରେ ରହିଛି ଏକ ବଂଟନ ଟ୍ରାନ୍ସଫରମର, ହାଇ ଓ ଲୋ-ଟେନସନ ସୁରକ୍ଷା ଉପକରଣ ଯାହାକୁ ଏକ ଭ୍ରାମ୍ୟମାଣ ଟ୍ରଲି ଉପରେ ରଖାଯାଇଛି ଏବଂ ଯେକୌଣସି ଜରୁରୀକାଳୀନ ସମୟରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି ତୁରନ୍ତ ତାହାକୁ ବ୍ୟବହାର କରି ହେବ । ପରିବହନ ସମୟ ବାଦ ପ୍ରାୟ ଦେଢ଼ ଘଂଟା ଭିତରେ ଭ୍ରାମ୍ୟମାଣ ସବଷ୍ଟେସନକୁ ସେବାରେ ବ୍ୟବହାର କରିହେବ ।

“ଆମ ଗ୍ରାହକମାନଙ୍କ ଲାଗି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଦିଗରେ ଆମେ ନିରନ୍ତର ଉଦ୍ୟମ କରୁଛୁ । ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଏହି ଛୋଟ ସବଷ୍ଟେସନଗୁଡ଼ିକ ବିଶେଷ ସହାୟକ ହେବ କାରଣ ଏହା ବିଦ୍ୟୁତ ଯୋଗାଣକୁ ତୁରନ୍ତ ସ୍ୱାଭାବିକ କରିବାରେ ସହାୟକ ହୋଇପାରିବ । ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବଂଟନର ଦୃଢ଼ତାକୁ ନିଶ୍ଚିତ କରିବା ଲାଗି ଆମ ଟିମ୍ ଅଭିନବ ନୂଆ ପଥ ଓ ମାଧ୍ୟମକୁ ପ୍ରାଧାନ୍ୟ ଦେଇ ଆସିଛି ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି ।’’

ଭ୍ରାମ୍ୟମାଣ ସବଷ୍ଟେସନର ଲାଭ

• ତ୍ରୁଟିପୂର୍ଣ୍ଣ ବଂଟନ ଟ୍ରାନ୍ସଫରମର ମାମଲାରେ ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବା ଲାଗି ଭ୍ରାମ୍ୟମାଣ ସବଷ୍ଟେସନକୁ ଶୀଘ୍ର ବ୍ୟବହାର କରିହେବ ।

• ହସ୍ପିଟାଲ ଓ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ସେବା ମାମଲାରେ ଶୀଘ୍ର ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବାରେ ଏହି ସବଷ୍ଟେସନଗୁଡ଼ିକ ବିଶେଷ ସହାୟକ ହୋଇପାରିବ ।

• ଡିଏସ୍ଏସର ମରାମତି ଭଳି ମାମଲାରେ ଗ୍ରାହକମାନଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ଭ୍ରାମ୍ୟମାଣ ସବଷ୍ଟେସନ ବ୍ୟବହାର କରାଯାଇପାରିବ ।

• ସବଷ୍ଟେସନଗୁଡ଼ିକ ଛୋଟ ଓ ସହଜରେ ପରିବହନ କରିହେବ। ତେଣୁ ଝଡ଼ ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାରେ ସହାୟକ ହେବ ।

• ପ୍ରକଳ୍ପ କାର୍ଯ୍ୟ ସମୟରେ ସାମୟିକ ବିଦ୍ୟୁତ ଯୋଗାଣ ପାଇଁ ଏହାକୁ ବ୍ୟବହାର କରିହେବ ।

Leave A Reply

Your email address will not be published.